କନକ ବ୍ୟୁରୋ: ବିରଳ ପଥରରେ ନିର୍ମାଣ ହେବ ଅଯୋଧ୍ୟାରେ ସ୍ଥାପନ ହେବାକୁ ଥିବା ପ୍ରଭୁ ଶ୍ରୀରାମ ଓ ମାତା ସୀତାଙ୍କ ପ୍ରତିମୂର୍ତ୍ତି । ନେପାଳର ଗଣ୍ଡାକି ନଦୀରୁ ଖୋଳାଯାଇଥିବା ବିରଳ ପଥରରୁ ରାମ ଓ ସୀତାଙ୍କ ପ୍ରତିମୂର୍ତ୍ତି ହେବା ପରେ ଅଯୋଧ୍ୟ୍ୟାର ରାମ ମନ୍ଦିରରେ ସ୍ଥାପନ କରାଯିବ । ନେପାଳର ମୁକ୍ତି ସ୍ଥାନ ଜିଲ୍ଲାରୁ ଦୁଇଟି ବଡ଼ ଶିଳା ଏହି ଉଦ୍ଦେଶ୍ୟରେ ଅଯୋଧ୍ୟ୍ୟାକୁ ବୁଧବାର ପ୍ରଦାନ କରାଯାଇଛି । ଏହି ଶିଳା ଶାଳଗ୍ରାମ ଭାବରେ ଜଣାଶୁଣା । ଆସନ୍ତାବର୍ଷ ଜାନୁଆରୀରେ ମକର ସଂକ୍ରାନ୍ତି ଉତ୍ସବ ପାଇଁ ଏହି ପ୍ରତିମୂର୍ତ୍ତି ଗୁଡ଼ିକ ଠିକ ସମୟରେ ଶେଷ ହେବ ବୋଲି ଆଶା କରାଯାଉଛି । ତେବେ ଏହି ଦୁଇଟି ପଥରର ଉଚ୍ଚତା ୫-୬ ଫୁଟ ଏବଂ ଚଉଡ଼ା ପ୍ରାୟ ୪ ଫୁଟ । ଏହି ପଥର ଗୁଡ଼ିକରୁ ରାମଲାଲା’ର ମୂର୍ତ୍ତି ଖୋଦିତ ହେବ ଏବଂ ଅଯୋଧ୍ୟାର ରାମ ମନ୍ଦିରରେ ରଖାଯିବ । ତେବେ ୨୦୨୪ ମସିହା ମକର ସଂକ୍ରାନ୍ତିରେ ରାମ ମନ୍ଦିରରେ ନୂଆ ରାମଲାଲା ମୂର୍ତ୍ତି ସ୍ଥାପନ କରାଯିବାର ବ୍ୟବସ୍ଥା କରାଯାଇଛି ।