ମୁକେଶ ଅମ୍ବାନୀଙ୍କ ବଙ୍ଗଳା ବାହାରେ ବିସ୍ଫୋଟକ ସହ ଜବତ ହୋଇଥିବା ଗାଡିର ମିଳିଲା ପରିଚୟ । ଗାଡିରେ ଲାଗିଥିଲା ନକଲି ନମ୍ବର । କିଛିଦିନ ଆଗରୁ ମୁମ୍ବାଇରୁ ହୋଇଥିଲା ଚୋରୀ ।

254

କନକ ବ୍ୟୁରୋ : ଗତକାଲି ମୁକେଶ ଅମ୍ବାନୀଙ୍କ ଘର ନିକଟରୁ ବିସ୍ଫୋଟକ ଭର୍ତ୍ତି କାର ମିଳିବା ପରେ କ୍ରାଇମବ୍ରାଞ୍ଚ ତରଫରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସଦ୍ୟ ମିଳିଥିବା ସୂଚନା ମୁତାବକ କାରର ପରିଚୟ ପାଇଛି କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ କହିଛି କି କାରରେ ଲାଗିଥିବା ନମ୍ବର ପ୍ଲେଟ ଜାଲ୍ ଅଟେ । ମୁମ୍ବାଇର ବିକ୍ରୋଲି ଅଞ୍ଚଳରୁ ଏହି କାରଟି କିଛିଦିନ ପୂର୍ବରୁ ଚୋରୀ ହୋଇଥିଲା । ଚୋରୀ ହେବା ପରେ କାରର ଚେସିସ୍ ନମ୍ବରକୁ ବଦଳାଇବାକୁ ଚେଷ୍ଟା କରାଯାଇଥିଲା । ହେଲେ ଏବେ କାରଟିକୁ ତାର ପ୍ରକୃତ ମାଲିକ ଚିହ୍ନଟ କରିଛନ୍ତି  ।
ଅନ୍ୟପଟେ କାରଟିକୁ ଅମ୍ବାନୀଙ୍କ ଘର ନିକଟରେ ରଖିଥିବା ଡ୍ରାଇଭରର ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଛି । ହେଲେ ସନ୍ଦିଗ୍ଧ ତାଙ୍କ ମୁହଁକୁ ଘୋଡାଇ ରଖିଥିବାରୁ ତାଙ୍କୁ ଚିହ୍ନଟ କରିବାକୁ ସମୟ ଲାଗିବ ବୋଲି କ୍ରାଇମବ୍ରାଞ୍ଚ କହିଛି ।

କ୍ରାଇମବ୍ରାଞ୍ଚ ତରଫରୁ ଏହି କାରର ଫୋରେନସିକ ଯାଂଚ ଆରମ୍ଭ କରାଯାଇଛି । ଅମ୍ବାନୀଙ୍କ ଘର ବାହାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜକୁ ଏକତ୍ରିତ କରାଯାଇଛି । ସିସିଟିଭି ଫୁଟେଜ ମୁତାବକ ଅମ୍ବାନୀଙ୍କ ବଙ୍ଗଳା ନିକଟକୁ କାରଟି ଆସିବା ପୂର୍ବରୁ ଏହା ମୁମ୍ବାଇ ରାସ୍ତାରେ ଚାଲୁଛି ଓ ଏହି କାର ପଛରେ ଏକ ଧଳା ରଙ୍ଗର ଇନୋଭା କାର ବି ଯାଉଛି । କ୍ରାଇମବ୍ରାଞ୍ଚ ଏବେ ସେହି ଇନୋଭା କାର ବାବାଦରେ ବି ତଦନ୍ତ ଚଳାଇଛି । ଏହାସହ କାରରୁ ମିଳିଥିବା ବିସ୍ଫୋଟକ ଜିଲୋଟିନ ମିଲଟାରୀ ଗ୍ରେଡର ନୁହେଁ ବରଂ ବ୍ୟବସାୟିକ ଗ୍ରେଡର ବୋଲି କୁହାଯାଇଛି । ଏହି ଜିଲୋଟିନ୍ ଖାଦାନ ଓ ବିଭିନ୍ନ ଖନନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ ।

କହିରଖୁ କି ଗୁରୁବାର ଅପରାହ୍ନ ୪ ଟା ବେଳେ ପୋଲିସକୁ ଏହି କାର ବାବଦରେ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଆଣ୍ଟିବମ୍ ସ୍କ୍ୱାଡ ସହୟତାରେ କାରକୁ ଯାଂଚ କରାଯାଇ ସେଠାରୁ ଦୂରକୁ ନିଆଯାଇଥିଲା ।