ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ବେଡ ଓ ଭେଣ୍ଟିଲେଟର ନଥିବାରୁ ରୋଗୀଙ୍କୁ କରାଯାଉଛି ସ୍ଥାନାନ୍ତର । ସେପଟେ ପୁରୁଣା ଡାକ୍ତରଖାନାରେ ଖତ ଖାଉଛି ଆଇସିୟୁ ବେଡ୍

92

କନକ ବ୍ୟୁରୋ: ଛଅ ମହଲା ବିଶିଷ୍ଟ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ପ୍ରତ୍ୟେକ ଦିନ ଶହ ଶହ ରୋଗୀ ଆସିଥାନ୍ତି । ହେଲେ ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ଗୁରୁତର ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର ନଥିବାରୁ ରୋଗୀ ଓ ରୋଗୀ ସଂପର୍କୀୟ ନାନା ଅସୁବିଧା ଭୋଗୁଛନ୍ତି। ସେପଟେ ମଙ୍ଗଳବଜାର ସ୍ଥିତ ପୁରୁଣା ହସ୍ପିଟାଲରେ ଖତ ଖାଉଛି କୋଟି କୋଟି ଟଙ୍କାର ଆଇସିୟୁ ବେଡ୍ ଓ ଭେଣ୍ଟିଲେଟର । ସେସବୁ ଜିନିଷକୁ ଆଣି ରୋଗୀ ସେବାରେ ଉପଯୋଗ କରିବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

୨୦୧୮ରେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟକୁ ବାଲିଜୋରୀକୁ ସ୍ଥାନାନ୍ତର କରାଯାଇଛି । ସେବେଠୁ ମଙ୍ଗଳ ବଜାରରେ ଥିବା ହସ୍ପିଟାଲ ଖାଲି ରହିଥିଲା। ୨୦୨୦ରେ କୋଭିଡ ସମୟରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରାଯାଇଥିଲା । ୨୦ଟି ଆଇସିୟୁ ବେଡ ସହିତ ଡାଏଲସିସ୍ ପାଇଁ ଆବଶ୍ୟକ ସାମଗ୍ରୀ ଓ ଅକ୍ସିଜେନ ପ୍ଲାଣ୍ଟ ସ୍ଥାପନ କରାଯାଇଥିଲା । ହେଲେ କୋଭିଡ ସରିବା ପରେ ଡାକ୍ତରଖାନାଟି ଅଚଳ ହୋଇପଡିଛି । ଏଠାରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଜିନିଷ ଗୁଡ଼ିକ କିପରି ଉପଯୋଗ ହୋଇପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା ଚାଲିଥିବା କହିଛନ୍ତି ଝାରସୁଗୁଡା ସିଡିଏମଓ ।

ଝାରସୁଗୁଡ଼ାର ଗୋଟିଏ ହସ୍ପିଟାଲରେ କୋଟି କୋଟି ଟଙ୍କାର ଜିନିଷ ଖତ ଖାଉଥିବା ବେଳେ ଅନ୍ୟପଟେ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରୁ ଚିକିତ୍ସା ନପାଇ ରୋଗୀ ଫେରୁଥିବା ଘଟଣା ସବୁବେଳେ ସାମ୍ନାକୁ ଆସିଛି ।