କନକ ବ୍ୟୁରୋ : ପତ୍ନୀଙ୍କ ନାଁରେ ନକଲି ଫେସବୁକ ଆକାଂଉଟ କରି ଫସିଲେ ଓ ଗିରଫ ହେଲେ । ବ୍ରହ୍ମପୁର ସାଇବର ଥାନା ପୁଲିସ କଳାହାଣ୍ଡି ଜିଲ୍ଲା କେସିଙ୍ଗାର ସ୍ୱାମୀ ଭାଗବତ ପ୍ରସାଦ ମିଶ୍ରଙ୍କୁ ଗିରଫ କରିଛି । ପତ୍ନୀଙ୍କୁ ବଦନାମ କରିବା ପାଇଁ ତାଙ୍କୁ କଲଗାର୍ଲର ପରିଚୟ ଦେଇ ଅଶ୍ଲୀଳ ଫଟୋ ଛାଡିଥିଲେ । ବିଭିନ୍ନ ଲୋକଙ୍କ ସଂପୃକ୍ତ ମହିଳାଙ୍କୁ ଫୋନ କରି ହଇରାଣ ଆରମ୍ଭ କରିବା ପରେ ମାମଲା ଥାନାକୁ ଯାଇଥିଲା ।
ଶେଷରେ ଭଗବତ ମିଶ୍ର ଗିରଫ ହୋଇଛନ୍ତି । ଦଶପଲ୍ଲା ଅଚଂଳର ଜଣେ ଯୁବତୀଙ୍କ ସହ ଭାଗବତ ପ୍ରସାଦ ମିଶ୍ରଙ୍କ ବାହାଘର ହୋଇଥିଲା । ଭାଗବତ ପୂର୍ବରୁ ବିବାହିତ ବୋଲି ଜାଣିବା ପରେ ସଂପୃକ୍ତ ଯୁବତୀ ସ୍ୱାମୀଙ୍କଠାରୁ ଅଲଗା ହୋଇ ଘରକୁ ଚାଲିଆସିଲେ । ଏହାର ପ୍ରତିଶୋଧ ନେବାକୁ ପତ୍ନୀଙ୍କ ନକଲି ଆକାଂଉଟ ଖୋଲି କଲଗାର୍ଲର ପରିଚୟ ଦେଇଥିଲେ ସ୍ୱାମୀ । ଏପରିକି ସେ ମୋବାଇଲ ନମ୍ବର ବି ଦେଇଥିଲେ ।
ଘଟଣା ଜଣାପଡିବା ପରେ ସଂପୃକ୍ତ ଯୁବତୀ ସେପେଟମ୍ବର ୧୨ ତାରିଖରେ ବ୍ରହ୍ମପୁର ସାଇବର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ସ୍ୱାମୀ ଏଭଳି କାଣ୍ଡ କରିଥିବା ପୁଲିସ ତଦନ୍ତରୁ ଜାଣିପାରିଥିଲା । ଭଗବତ ପ୍ରସାଦ ମିଶ୍ରଙ୍କୁ କେସିଙ୍ଗାରୁ ଗିରଫ କରାଯାଇଛି । ବେଲ ନାମଞ୍ଜୁର ହେବା ପରେ ତାଙ୍କୁ ଜେଲ ପଠାଇଦିଆଯାଇଛି ।