ଚିକିତ୍ସା ପାଇଁ ସର୍ବସ୍ୱ ସରିବା ପରେ ଜୀବନ ପାଲଟିଛି ଦୁର୍ବିସହ : ରୋଗାକ୍ରାନ୍ତ ପତ୍ନୀଙ୍କୁ ବୋହି ଭିକ ମାଗୁଛନ୍ତି ସ୍ୱାମୀ; ବାଲେଶ୍ୱର ଫାଣ୍ଡି ଛକରୁ ଆସିଲା କରୁଣ ଦୃଶ୍ୟ

270

କନକ ବ୍ୟୁରୋ : ଯନ୍ତ୍ରଣାସିକ୍ତ ଜୀବନ । ରୋଗାକ୍ରାନ୍ତ ପତ୍ନୀଙ୍କୁ ଭଲ କରିବା ପାଇଁ ସର୍ବସ୍ୱ ସାରିଦେଲେଣି। କଟକଠାରୁ ଆରମ୍ଭ କରି ରାଜଧାନୀ ଭୁବନେଶ୍ବର ପର୍ଯ୍ୟନ୍ତ ବିଭିନ୍ନ ହସ୍‌ପିଟାଲକୁ ଯାଇ ନୟାନ୍ତ ହୋଇଗଲେଣି । ଏହା ସତ୍ତ୍ୱେ ପତି ଧର୍ମ ପାଳନରୁ ସେ ବିଚ୍ୟୁତ ହୋଇନାହାନ୍ତି । ମହାମାରୀ କରୋନା ପ୍ରଭାବରେ ଏବେ କେଉଁଠି କାମ ମିଳୁନଥିବାବେଳେ ପେଟକୁ ମୁଠାଏ ଦାନା ଯୋଗାଡ କରିବା କାଠିକର ପାଠ ହୋଇଛି । ଏଭଳି ପରିସ୍ଥିତିରେ ରୋଗାକ୍ରାନ୍ତ ପତ୍ନୀଙ୍କୁ କାନ୍ଧରେ ବୋହି ସେ ଭିକ୍ଷା ବୃତ୍ତି କରୁଛନ୍ତି । ବାଲେଶ୍ୱର ଫାଣ୍ଡି ଛକରେ ଆଜି ଦିପହରବେଳେ ଏଭଳି ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ।

ଏହି ହତଭାଗ୍ୟ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଚରମ୍ପା ଅଞ୍ଚଳର ଶମ୍ଭୁ ନାୟକ ଓ ଦୀପା ନାୟକ । ଶମ୍ଭୁଙ୍କ କହିବା ମୁତାବକ, ପକ୍ଷାଘାତ କାରଣରୁ ଦୀର୍ଘଦିନ ଧରି ତାଙ୍କ ପତ୍ନୀଙ୍କର ଦୁଇଟି ଯାକ ଗୋଡ଼ ଅଚଳ ହୋଇଯାଇଛି। ବିଛଣାରୁ ଉଠି ମଧ୍ୟ ପାରୁନାହାନ୍ତି । ତାଙ୍କୁ ଭଲ କରିବା ପାଇଁ ସେ ସର୍ବସ୍ୱ ହରାଇ ସାରିଲେଣି । ଯୁଆଡେ ବି ଯାଉଛନ୍ତି ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ କହି ଡାକ୍ତର ଫେରାଇ ଦେଉଛନ୍ତି। ନିକଟରେ ସେ ପତ୍ନୀଙ୍କୁ କଟକ ବଡ଼ ଡାକ୍ତରଖାନା ନେଇ ଯାଇଥିଲେ । ହେଲେ ସେଠାରେ କିଛି ସୁଫଳ ମିଳିଲାନାହିଁ । ଡାକ୍ତର ଫେରାଇ ଦେବାରୁ କଟକରୁ ସେ ସିଧା ବାଲେଶ୍ବର ଆସି ଫକୀରମୋହନ ଗୋଲେଇସ୍ଥିତ ଓଭରବ୍ରିଜ୍‌ ତଳେ ଆଶ୍ରୟ ନେଇଛନ୍ତି। ଫାଣ୍ଡି ଛକ, ଆନନ୍ଦ ବଜାର ଛକ, କଚେରି ପରିସର ଆଦି ଆଖପାଖ ଅଞ୍ଚଳରେ ବୁଲି ବୁଲି ଅର୍ଥ ଓ ଖାଦ୍ୟ ମାଗି ଚଳୁଛନ୍ତି। ତେବେ ଅଜଣା ଅଚିହ୍ନା ଜାଗାରେ ପତ୍ନୀଙ୍କୁ ଛାଡ଼ି ନଯିବା ପାଇଁ ସେ ତାଙ୍କୁ କେତେବେଳେ କାନ୍ଧରେ ତ କେତେବେଳେ କାଖରେ ବୋହି ପତିଧର୍ମ ପାଳନ କରୁଥିବା କହିଛନ୍ତି । ଅଭାବ ଅନଟନ ଭିତରେ ଘାଣ୍ଟିଚକଟି ହେଉଥିଲେ ମଧ୍ୟ ତାଙ୍କୁ କୌଣସି ସରକାରୀ ସହାୟତା ମିଳୁନାହିଁ। କରୋନା ପାଇଁ ସରକାର ଗରିବ, ଅସହାୟଙ୍କ ପାଇଁ ସହାୟତା ଘୋଷଣା କରିଥିବାବେଳେ ଏହି ଦମ୍ପତି ବଞ୍ଚିବା ପାଇଁ ବାରଦୁଆର ହେବା ଅତ୍ୟନ୍ତ ପରିତାପର ବିଷୟ ।