କନକ ବ୍ୟୁରୋ: ବିଧାନସଭା ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ଆରମ୍ଭରୁ ହଙ୍ଗାମା । ଚାଲିପାରିଲାନି ଗୃହ, ଗୃହରେ ମନ୍ତ୍ରୀ ନବ ଦାସ ହତ୍ୟା ପ୍ରସଙ୍ଗ ଉଠାଇ କମ୍ପିଲେ ବିରୋଧୀ । ବାଚସ୍ପତିଙ୍କ ପୋଡିୟମ ତଳକୁ ଯାଇ ନାରାବାଜି କଲେ ବିଜେପି ଓ କଂଗ୍ରେସ ସଦସ୍ୟ । ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହୋ ହଲ୍ଲା କଲେ ବିରୋଧୀ । ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ବି ବିରୋଧୀ ସମାନ ପ୍ରସଙ୍ଗକୁ ନେଇ ହଟ୍ଟଗୋଳ କରିଥିଲେ । ଯାହା ପାଇଁ ପ୍ରଥମେ ସାଢ଼େ ୧୧ ପରେ ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି । ମନ୍ତ୍ରୀଙ୍କ ହତ୍ୟାକୁ ୪୧ ଦିନ ବିତି ଯାଇଥିଲେ ବି ଏପର୍ଯ୍ୟନ୍ତ ଘଟଣାର ପର୍ଦ୍ଦାଫାସ ହୋଇପାରିନି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି । ସେହିପରି କଂଗ୍ରେସ ବିଧାୟକ ତାରା ବାହିନୀପତି ତଦନ୍ତର ଗତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ମନ୍ତ୍ରୀଙ୍କ ହତ୍ୟା ପଛର କାରଣ ଖୋଜିବା ବଦଳରେ ସରକାର ଗୋପାଳ ପାଗଳ କି ନୁହେଁ, ସେ ନେଇ ତଦନ୍ତ କରି ସରକାରଙ୍କୁ ଘେରିଛନ୍ତି ତାରା । ସେପଟେ ଗୃହ ଅଚଳ ନେଇ ଦୁଇ ବିରୋଧୀ ଦଳକୁ ଟାର୍ଗେଟ୍ କରିଛି ବିଜେଡି ।

ତେବେ ନବ ଦାସ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ ବିଭାଗ ଥିବାରୁ ମନ୍ତ୍ରୀଙ୍କ ହତ୍ୟାକାଣ୍ଡ ସେ ଉତ୍ତରଦାୟୀ । ଗୃହ ଅଚଳ ହେବା ନେଇ ପ୍ରତିକ୍ରିୟା ରଖି ନରସିଂହ ଆହୁରି କହିଛନ୍ତି, ବାଚସ୍ପତି ଚାହିଁଥିଲେ ଗୃହ ସୁପରିଚାଳନା ପାଇଁ ସର୍ବଦଳୀୟ ବୈଠକ ଡକାଇ ପାରିଥାନ୍ତେ । ଏଥିପାଇଁ ବିରୋଧୀ ଦଳଙ୍କ ସହଯୋଗ ମଧ୍ୟ ନେଇପାରିଥାନ୍ତେ । କିନ୍ତୁ ତାହା ନକରି ବାଚସ୍ପତି ରାଜ୍ୟ ସରକାରଙ୍କୁ ଘଣ୍ଟ ଘୋଡ଼ାଉଥିବା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ସେପଟେ ଗୃହ ଅଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । ସେ କହିଛନ୍ତି, ସବୁ ଜାଣି ମୁଖ୍ୟମନ୍ତ୍ରୀ ଡ୍ରାମା କରୁଛନ୍ତି । ଯାହା କିଛି ଘଟିଛି, ସବୁ ତାଙ୍କ ସହମତିରେ ହେଉଛି । ଅନେକ କଥା ବାହାରୁଛି, ଆଗକୁ ଆହୁରି ଅନେକ କଥା ବାହାରିବ ବୋଲି କହିଛନ୍ତି ବିରୋଧୀ ଦଳ ନେତା ।