ଚାରି ଖଣ୍ଡ କାଠ ଉପରେ ଠିଆ ହୋଇଛି ଘର । ଦୀର୍ଘ ୧୦ ବର୍ଷ ହେଲା ଘର ଖଣ୍ଡିଏ ପାଇଁ ଗୁହାରି କରିଥିଲେ ବି ଶୁଣିନି ପ୍ରଶାସନ ।

59

କନକ ବ୍ୟୁରୋ: ଗରିବ ଆଦିବାସୀଙ୍କ ଥଇଥନ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରହଛିିି । ଜିଲ୍ଲା ସଦର ମହକୁମାରେ ରହୁଥିବା ବୃଦ୍ଧ ଆଦିବାସୀଙ୍କ ନିକଟରେ ଆଜିବି ପହଞ୍ଚିପାରିନି ପ୍ରଧାନମନ୍ତ୍ରୀ ଆବାସ କିମ୍ବା ମୋ ଘର । ଫଳରେ ଭଙ୍ଗା ଦଦରା କୁଡିଆ ତଳେ ନିଜ ଭାଗ୍ୟକୁ ଆଦରି ପଡିରହିନ୍ତି ଗୋଟିଏ ପରିବାରର ୧୦ ଜଣ ସଦସ୍ୟ ।

ଚାରି ଖଣ୍ଡ କାଠ ଉପରେ ପଡିଛି କେଇ ଖଣ୍ଡ ଭଙ୍ଗା ଆଜବେଷ୍ଟସ୍ । ଚାରିପଟେ ଘେରାଯାଇଛି ଚିରାଫଟା ଜରି । ଝରକା କି କବାଟ ବି ନାହିଁ । ସଞ୍ଜ ହେଲେ ସରିସୃପଙ୍କ ଭୟ । ୧୦ବର୍ଷ ତଳେ ବର୍ଷା ପବନରେ ଝାଟିମାଟି ଘର ଭାଙ୍ଗିଯିବା ପରେ ଏମିତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି ରାୟଗଡା ପିପୁଲଗୁଡା ପଚାଂୟତ ଅନ୍ତର୍ଗତ ତଳକଣି ଗାଁର ଲେଙ୍କା ମାଣ୍ଡାଙ୍ଗିଙ୍କ ପରିବାର । ଦୀର୍ଘ ଦିନ ହେଲା ଘର ଖଣ୍ଡିଏ ପାଇଁ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ଫଳ ଶୁନ୍ । ତେଣୁ ଭାଗ୍ୟକୁ ଆଦରି ବଂଚିବା ପାଇଁ ସଂଘର୍ଷ କରୁଛନ୍ତି ପରିବାରର ୧୦ ଜଣ ସଦସ୍ୟ ।

ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ଲେଙ୍କା ମାଣ୍ଡାଙ୍ଗିଙ୍କ ୪ ଜଣ ପୁଅ ସୁଦୁର ତାମିଲନାଡୁ ଯାଇ ଦାଦନ ଖଟୁଛନ୍ତି । ବର୍ତମାନ ଘରେ ୧୦ ଜଣ ସଦସ୍ୟ ସେହି ଭଙ୍ଗା ଦଦରା ଝାଟିମାଟି ଘରେ ଆଶ୍ରୟ ନେଇଛନ୍ତି । ଦିନରେ ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖା ଯାଉଥିବା ବେଳେ ବର୍ଷା ଦିନ କଥା ନକହିବା ଭଲ । ବର୍ଷା ଦିନେ ଘରେ ପାଣି ଗଳୁଥିବାରୁ ଅନ୍ୟ ଲୋକଙ୍କ ଘରେ ଆଶ୍ରୟ ନେବାକୁ ପଡ଼ିଥାଏ । ସରକାରୀ ସୁବିଧା କହିଲେ କେବଳ ପିଡିଏସ୍ ଚାଉଳ ।

ନିର୍ବାଚନ ଆସିଲେ ବିଭିନ୍ନ ପ୍ରକାର ପ୍ରତିଶ୍ରୁତି ମିଳିଥାଏ । ହେଲେ ନିର୍ବାଚନ ସରିଗଲେ କାହାରି ଦେଖାମିଳେନାହିଁ ବୋଲି କହିଛନ୍ତି ବୃଦ୍ଧ ଦମ୍ପତି । ଅନ୍ୟପଟେ ଜଙ୍ଗଲଜାତ ସଂଗ୍ରହ କରି ପରିବାର ଚଳାଉଥିବା ବେଳେ କେମିତି ଘର କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।