ବାରମ୍ବାର ମୁଲତବୀ ପରେ ଚାଲିପାରିଲାନି ଗୃହ । ସ୍କୁଲ ବନ୍ଦ ପ୍ରସଙ୍ଗରେ ଆସନ୍ତାକାଲି ସରକାରୀ ଦଳ ମୁଖ୍ୟ ସଚେତକ ଆଣିବେ ପ୍ରସ୍ତାବ । କାଲି ଯାଏ ଗୃହ ମୁଲତବୀ

91

କନକ ବ୍ୟୁରୋ : ବାରମ୍ବାର ମୁଲତବୀ ପରେ ଆସନ୍ତାକାଲି ଯାଏ ବିଧାନସଭାକୁ ମୁଲତବୀ କରିଛନ୍ତି ବାଚସ୍ପତି । କାଲି ସରକାର ଦଳ ମୁଖ୍ୟ ସଚେତକ ସ୍କୁଲ ବନ୍ଦ ସଂପର୍କିତ ପ୍ରସ୍ତାବ ଆଣିବେ । ଆଉ ସେ ପ୍ରସ୍ତାବ ଉପରେ ଆଲୋଚନା ହେବ । ସର୍ବଦଳୀୟ ବୈଠକର ନିଷ୍ପତି ଅନୁଯାୟୀ ଆଜି ଆଉ କୌଣସି ପ୍ରସଙ୍ଗରେ ଆଲୋଚନା ହେବ ନାହିଁ । ରାଜ୍ୟରେ ୟୁପି ସ୍କୁଲ ବନ୍ଦ ପ୍ରସଙ୍ଗକୁ ନେଇ ବିଧାନସଭାରେ ଆଜି ବିରୋଧୀ ହଟ୍ଟଗୋଳ କରିଥିଲେ । ଅପରାହ୍ନ ଅଧିବେଶନରେ ମଧ୍ୟ ଗୃହରେ ବିଜେପି ଓ କଂଗ୍ରେସ ବିଧାୟକ ହୋହାଲ୍ଲା ଓ ପାଟିତୁଣ୍ଡ କରିଥିଲେ ।

ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଥିବା କାଚରେ ମୁଣ୍ଡ ପିଟିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । କଂଗ୍ରେସ ବିଧାୟକ ତାରାବାହିନୀ ପତି ବିଧାନସଭାରେ ଧମକ ଦେଇଥିଲେ ।ନିଷ୍ପତି ପ୍ରତ୍ୟାହାର ନହେଲେ ସେ ଆତ୍ମହୂତି ଦେବେ ଏବଂ ବେକ କାଟି ମରିବେ ବୋଲି କହିଥିଲେ । ଏହା ପରେ ଗୃହକୁ ସୁରୁଖୁରରେ ଚଳାଇବା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ । ୧୪ ହଜାର ସ୍କୁଲ ବନ୍ଦ ହେଲେ ପିଲା କୁଆଡେ ଯିବେ ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ।

ସେପଟେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ପ୍ରତିକ୍ରିୟା ଦେଇଛନ୍ତି । ୧୪ ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି ୭ ହଜାର ୭ ଶହ ୭୨ ସ୍କୁଲ ବନ୍ଦ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବା ରାଜ୍ୟ ସରକାରଙ୍କ ଉଦେଶ୍ୟ ନୁହେଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।