ଏମିତି ବି ଆସେ ଦୁଃଖ । ସ୍ୱାମୀଙ୍କ ମୃତ୍ୟୁକୁ ୨ ଦିନ ନପୁରୁଣୁ ପୋଡ଼ିଗଲା ଘର । ପାଉଁଶ ହୋଇଗଲା ଘରେ ଥିିବା ଆସବାବପତ୍ର । ଅଙ୍ଗାର ଭିତରୁ ବଂଚିବାର ରାହ ଖୋଜୁଛନ୍ତି ଜୟପୁରର ସନିଆ ହରିଜନ ।

231

କନକ ବ୍ୟୁରୋ : ସ୍ୱାମୀ ମରିବାର ୨ ଦିନ ନ ପୁରୁଣୁ ଜଳିଗଲା ଘର । ପାଉଁଶରେ ମିଶିଗଲା ଘରର ସବୁ ଜିନିଷ । ବିଧବା ସ୍ତ୍ରୀ ନିଜର ୨ ଛୋଟ ସନ୍ତାନ କୁ ନେଇ ଏବେ ବାର ଦୁଆର । ନା ଖାଇବାକୁ ମୁଠାଏ ଚାଉଳ ଅଛି ନା ପିନ୍ଧିବାକୁ ଲୁଗା । ବିପତି ଉପରେ ବିପତି । ସ୍ୱାମୀର ମୃତ୍ୟୁକୁ ନେଇ ଦୁଃଖ କରିବ ନା ଉଜାଡ଼ି ଯାଇଥିବା ଘରକୁ ନେଇ ଦୋ ଛକିରେ ବିଧାବା ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁର ସହରରେ ।

ଦୁଃଖ ଦରିଆରେ ଭାସୁଛନ୍ତି ଜୟପୁର ସହର ଜୟନଗର ସ୍ଥିତ ଦାସରି ସାହିର ସନିଆ ହରିଜନ । ସନିଆଙ୍କ ସୁଖର ସଂସାରରେ ଲାଗି ଯାଇଛି ଦୁଃଖର ନଜର । ହୃଦଘାତରେ ଆରପାରିକୁ ଚାଲିଗଲେ ସ୍ୱାମୀ ଧୋବା ହରିଜନ । ସ୍ୱାମୀଙ୍କ ମୃତୁକୁ ଦୁଇ ଦିନ ନପୁଣୁ ପୋଡି ପାଉଁଶ ହୋଇଗଲା ସନିଆଙ୍କ ଘର ।

ସ୍ୱାମୀଙ୍କ ମୃତ୍ୟୁ କ୍ରିୟା କରିବା ପାଇଁ ଦୁଇ ପୁଅଙ୍କୁ ସାଥିରେ ଧରି ସଂପର୍କୀୟଙ୍କ ଘରକୁ ଯାଇଥିଲେ ସନିଆ । ଆଉ ସେହି ସମୟରେ ତାଙ୍କ ଘରେ ନିଆଁ ଲାଗିଗଲା । ଆଉ ଘରେ ଥିବା ସବୁ ଆସବାବ ପତ୍ର ପୋଡି ପାଉଁଶ ହୋଇଗଲା । ଟିଭି ଠାରୁ ଆରମ୍ଭ କରି ଲୁଗାପଟା, ପିଲାଙ୍କ ବହି, ବାସନ କୁସନ, ସ୍ୱାମୀଙ୍କ ଶେଷ କ୍ରିୟା କରିବା ପାଇଁ ଥିବା ଟଙ୍କା ସବୁ କିଛି ପୋଡ଼ି ଛାରଖାର ହୋଇଯାଇଛି । ଆଉ ଏବେ ନାଁ ଖାଇବାକୁ ଦାନା ଅଛି ନା ପିନ୍ଧିବାକୁ କନା । ଶେଷରେ ଦୁଇ ପୁଅଙ୍କ ସହ ପୋଡ଼ା ପାଉଁଶ ତଳୁ ବଂଚିବାର ରାହା ଖୋଜୁଛି ବିଧବା ପତ୍ନୀ । ତେବେ ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।