କନକ ବ୍ୟୁରୋ : କଟକ ସହରରେ କରୋନାର ହଟ୍ସ୍ପଟ୍ ସାଜିଛି ବିଭିନ୍ନ ହସ୍ପିଟାଲ୍। ସହରରେ ଚିହ୍ନଟ ହୋଇଥିବା ୨୪୮ ଜଣ ସଂକ୍ରମିତଙ୍କ ମଧ୍ୟରୁ କେବଳ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ୧୨୦ ଜଣ ଅଛନ୍ତି। ସେହିପରି ୧୮ ଜଣ ସଂକ୍ରମିତ ଏସ୍ସିବି ମେଡିକାଲ କଲେଜରୁ ଚିହ୍ନଟ ହୋଇଛନ୍ତି ବୋଲି କଟକ ମହାନଗର ନିଗମ କମିସନର୍ ଅନନ୍ୟା ଦାସ କହିଛନ୍ତି। ଏହା ମଧ୍ୟରେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ ଚିହ୍ନଟ କରୋନା ରୋଗୀଙ୍କ ମଧ୍ୟରୁ ୪୩ ଜଣ ସୁସ୍ଥ ହୋଇସାରିଛନ୍ତି।
ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦାସ କହିଥିଲେ ଯେ କଟକ ହେଉଛି ରାଜ୍ୟର ମେଡିକାଲ ହବ୍। ରାଜ୍ୟର ବିଭିନ୍ନ ସ୍ଥାନରୁ ଲୋକ ଚିକିତ୍ସା ପାଇଁ ଏଠାକୁ ଆସନ୍ତି। ତେଣୁ ହସ୍ପିଟାଲ୍ଗୁଡ଼ିକରେ ସଂକ୍ରମଣକୁ ରୋକିବା ପାଇଁ ତ୍ରିସ୍ତରୀୟ ଏସ୍ଓପି ପ୍ରସ୍ତୁତ କରାଯାଇଛି। ରୋଗୀ ହସ୍ପିଟାଲ୍ରେ ଭର୍ତ୍ତି ହେବା ପୂର୍ବରୁ କରୋନା ଲକ୍ଷଣ ଜାଣିବା ପାଇଁ ପ୍ରଥମେ ତାଙ୍କର ସ୍କ୍ରିନିଂ କରାଯିବ। ଯଦି ଲକ୍ଷଣ ଦେଖାଯିବ, ତେବେ ତାଙ୍କୁ ଅଲଗା ରଖାଯିବ। ଯଦି କୌଣସି ଲକ୍ଷଣ ନ ଥିବ, ତେବେ ରୋଗୀଙ୍କ ଆଣ୍ଟିଜେନ୍ ଟେଷ୍ଟ କରାଯିବ। ସେଥିରେ ପିଜିଟିଭ୍ ଆସିଲେ, ତାଙ୍କୁ କରୋନା ହସ୍ପିଟାଲ୍ ସ୍ଥାନାନ୍ତର କରାଯିବ। ନେଗେଟିଭ୍ ଆସିଲେ, ସେହି ହସ୍ପିଟାଲ୍ରେ ତାଙ୍କୁ ଭର୍ତ୍ତି କରାଯିବ। ରୋଗୀଙ୍କୁ ଚିକିତ୍ସା କଲା ବେଳେ ଓପିଡିରେ ସମସ୍ତେ ଡାକ୍ତର ପର୍ୟ୍ୟାପ୍ତ ପରିମାଣରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ। ସମସ୍ତ ଘରୋଇ ନର୍ସିଂ ହୋମ୍ ଏହି ଏସ୍ଓପି ମାନିବାକୁ ବାଧ୍ୟତାମୂଳକ କରାଯାଇଛି।
ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରୁ କରୋନା ପଜିଟିଭ୍ ବଢ଼ିବା ସଂକ୍ରାନ୍ତରେ କମିସନର୍ କହିଥିଲେ ଯେ ଏହି କେନ୍ଦ୍ରକୁ ରାଜ୍ୟର କରୋନା ହଟ୍ସ୍ପଟ୍ ଜିଲ୍ଲାରୁ ଜଣେ ରୋଗୀ ଚିକିତ୍ସା ପାଇଁ ଆସିଥିଲେ। ସେହି ବ୍ୟକ୍ତିଙ୍କର କରୋନା ପଜିଟିଭ୍ ଆସିଥିଲା ଓ ତାଙ୍କ ସଂସ୍ପର୍ଶରେ ସେଠାରେ ୫୨ ଜଣ ଆସିଥିଲେ। ଆହୁରି ମଧ୍ୟ କଟକରେ ମାଲଗୋଦାମ ଓ ଛତ୍ରବଜାର ପରି ଦୁଇଟି ପ୍ରମୁଖ ବ୍ୟାବସାୟିକ କେନ୍ଦ୍ର ରହିଛି। ବିଭିନ୍ନ ସାମଗ୍ରୀ ଆଣି ରାଜ୍ୟ ବାହାରୁ ଲୋକ ଏଠାକୁ ଆସୁଛନ୍ତି। ତେଣୁ ଲୋକମାନେ ଏପରି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯାଇ ପାଖ ଦୋକାନରୁ ସାମଗ୍ରୀ କିଣିବା ଉଚିତ। ସେହିପରି କଟକରେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ୧୨ ଜଣ ବ୍ୟକ୍ତି କରୋନା ସଂକ୍ରମିତ ଭାବେ ଚିହ୍ନଟ ହୋଇଛନ୍ତି। ସହରରେ ଚିକିତ୍ସାଳୟ, ଜନଗହଳିପୂର୍ଣ୍ଣ ବଜାରଗୁଡ଼ିକ ଉପରେ ବିଶେଷ ଧ୍ୟାନ ଦିଆଯାଇଛି ଏବଂ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ବିଶୋଧନ ଓ ସକ୍ରିୟ ନିରୀକ୍ଷଣ କାର୍ୟ୍ୟ ଜାରି ରହିଛି କମିସନର୍ ଶ୍ରୀମତୀ ଦାସ ସୂଚନା ଦେଇଥିଲେ।