ଗଞ୍ଜାମ ଜିଲ୍ଲାରେ ରୋଗୀଙ୍କ ଭରସା କ୍ୱାକ୍ । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ କ୍ୱାକଙ୍କ ଉପରେ ନିର୍ଭର କରୁଛନ୍ତି ଲୋକେ

194

କନକ ବ୍ୟୁରୋ: ରାଜ୍ୟ ସରକାର ମେଡକାଲଗୁଡିକରେ ଲକ୍ଷ ଲକ୍ଷ ଟଙ୍କା ପାଣି ଭଳି ଖର୍ଚ୍ଚ କରୁଛନ୍ତି । ହେଲେ ମେଡକାଲରେ ଡାକ୍ତର ନଥିବା କାରଣରୁ ଗାଁ ଗହଳି ଲୋକ, କ୍ୱାକଙ୍କ ଚିକିତ୍ସାକୁ ଭରସା କରିଛନ୍ତି । ଆଗରୁ ଆମେ ବିଚ୍ଛିନ୍ନାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ କ୍ୱାକ୍ ବା ନକଲି ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ଖବର ଦେଖିଥିଲେ । କିନ୍ତୁ ଏବେ ଗଞ୍ଜାମ ଜିଲ୍ଲାରେ କାୟା ବିସ୍ତାର କରିଛନ୍ତି କ୍ୱାକ ବା ନକଲି ଡାକ୍ତର ।

ପଶ୍ଚିମବଙ୍ଗର ବାସିନ୍ଦା ଅନିମେଶ ବିଶ୍ୱାସ । ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୨ । ଅନିମେଶ ଡାକ୍ତରୀ କି ଫାର୍ମାସି ପାଠ ପଢିନାହାନ୍ତି, କିନ୍ତୁ ଏବେ ସେ ଗଂଜାମ ଜିଲ୍ଲା ଗ୍ରାମାଞ୍ଚଳରେ ରୋଗୀଙ୍କୁ ଚିକିତ୍ସା ଯୋଗାଉଛନ୍ତି । ଦୀର୍ଘ ୪ ବର୍ଷ ହେଲା ଖଲ୍ଲିକୋଟ ବ୍ଲକ ଦାନପୁର ଗାଁରେ କ୍ଲିନିକ କରି ଚିକିତ୍ସା କରିବା ସହ ମେଡିସିନ ବିକୁଛନ୍ତି ଏବଂ ଆବଶ୍ୟକ ସ୍ଥଳେ ସାଲାଇନ-ଇଞ୍ଜେକ୍ସନ ଦେଉଛନ୍ତି । ସେହିଭଳି ସେହି ପଶ୍ଚିମବଙ୍ଗର ଯୁବକ ଶମ୍ଭୁ ସରକାର । ତାଙ୍କ କହିବା ଅନୁସାରେ, ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ୩ କିନ୍ତୁ ପାଖରେ ସାର୍ଟିଫିକେଟ ନାହିଁ । ସେ ବି ଡାକ୍ତରୀ ପାଠ ପଢି ନାହାନ୍ତି । କିନ୍ତୁ ୩ ବର୍ଷ ହେଲା ଏଠାରେ ଦାନ୍ତ ଡାକ୍ତର ଭାବେ ଚିକିତ୍ସା ଯୋଗାଉଛନ୍ତି । ଖାଲି ଦାନ୍ତ ଡାକ୍ତର ନୁହେଁ ଜ୍ୱର ଥଣ୍ଡା କାଶ ହେଲେ ମଧ୍ୟ ରୋଗୀଙ୍କୁ ଦେଖି ଔଷଧ ଦେଉଛନ୍ତି । ମେଡିସନ, ଇଞ୍ଜେକ୍ସନ ଓ ସାଲାଇନ ମଧ୍ୟ ଦେଉଛନ୍ତି ।

ସେହିଭଳି କୋଲକାତାର ରାଜୁ ମଣ୍ଡଳ ମଧ୍ୟ କୋଲକତାରେ ଯୁକ୍ତ ୨ ପଢିଥିବା ବେଳେ ୪ ବର୍ଷ ହେଲା ସେ ଗଞ୍ଜମରେ କ୍ୱାକ୍ ସାଜିଛନ୍ତି । କ୍ଲିନିକ ଖୋଲି ରୋଗୀଙ୍କୁ ଚିକିତ୍ସା ଯୋଗାଇ ଆସୁଛନ୍ତି । ତାଙ୍କ ଭଳି ଦୁର୍ଗା ଦିନବନ୍ଧୁ ଦାସଙ୍କ ପାଖରେ କର୍ଣ୍ଣାଟକରେ ପାଥୋଲୋଜି ପଢିଥିବାର ସାର୍ଟିଫିକେଟ ଅଛି । ପାଥୋଲୋଜି ପାଠ ପଢି ଗଞ୍ଜାମରେ ଜଣେ ନକଲି ଡାକ୍ତର ପାଲଟିଛନ୍ତି ଦୁର୍ଗା ଦିନବନ୍ଧୁ ଦାସ । ଏହିଭଳି କ୍ୱାକ ବା ନକଲି ଡାକ୍ତରମାନେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ଗଞ୍ଜାମ, ଖଲ୍ଲିକୋଟ ବ୍ଲକର ଗ୍ରାମାଞ୍ଚଳରେ ନିଜର କ୍ଲିନିକ କରି ଚିକିତ୍ସା ଚଳାଇଛନ୍ତି । ଆଉ ଘର ପାଖ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ଥିବାରୁ ରୋଗୀମାନେ ଏମାନଙ୍କ ଉପରେ ଭରସା କରୁଛନ୍ତି ।