ବିଶ୍ୱବିଦ୍ୟାଳୟ ସ୍ତରରେ ବର୍ଷ ଶେଷ ପରୀକ୍ଷା କରିବା ନେଇ ଅନୁମତି ଦେଲା ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ୟୁଜିସି ଗାଇଡ୍ ଲାଇନ୍ ଅନୁସାରେ କରିବାକୁ କେନ୍ଦ୍ର ଉଚ୍ଚଶିକ୍ଷା ସଚିବଙ୍କୁ ନିର୍ଦ୍ଦେଶ
କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ ଅନୁମତି ଦେଇଛି କେନ୍ଦ୍ର ଗୃହ ମନ୍ତ୍ରାଳୟ । ଏ ନେଇ କେନ୍ଦ୍ର ଉଚ୍ଚ ଶିକ୍ଷା ସଚିବଙ୍କୁ ଚିଠି ଲେଖିଛି ଗୃହ ମନ୍ତ୍ରାଳୟ । ୟୁଜିସି ଗାଇଡ୍ଲାଇନ ଅନୁସାରେ ଫାଇନାଲ ପରୀକ୍ଷା ବା ଶେଷ ବର୍ଷର ପରୀକ୍ଷା କରିବା ବାଧ୍ୟତାମୂଳକ ବୋଲି ଏହି ଚିଠିରେ କୁହାଯାଇଛି । ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ ପରୀକ୍ଷା କରାଯିବ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଜାରି କରିଥିବା କୋଭିଡ କଟକଣା ମଧ୍ୟରେ ପରୀକ୍ଷା କରିବାକୁ କହିଛି ଗୃହ ମନ୍ତ୍ରାଳୟ । ଫଳରେ ବିଶ୍ୱବିଦ୍ୟାଳୟ ଓ ଉଚ୍ଚ ଶିକ୍ଷାନୁଷ୍ଠାନର ଶେଷ ବର୍ଷର ପରୀକ୍ଷାକୁ ନେଇ ଯେଉଁ ଦ୍ୱନ୍ଦ୍ୱ ରହିଥିଲା, ତାହା ଦୂର ହୋଇଛି । ୟୁଜିସି ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନକୁ ସମୀକ୍ଷା କରିବାକୁ ୬ ତାରିଖରେ ବିଶେଷଜ୍ଞ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ବୈଠକର ନିଷ୍ପତି ଅନୁଯାୟୀ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନଗୁଡିକ ଶେଷ ବର୍ଷ ସେମିଷ୍ଟାର ପରୀକ୍ଷା ସେପ୍ଟେମ୍ବର ମାସ ଶେଷ ସପ୍ତାହରେ କରାଯାଇପାରିବ । ଅଫଲାଇନ ଓ ଅନଲାଇନରେ ପରୀକ୍ଷା କରାଯାଇପାରିବ । ଯେଉଁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅସମ୍ପୂର୍ଣ୍ଣ ଥିବ ସେମାନେ ପରୀକ୍ଷା ଦେବା ବାଧ୍ୟତାମୂଳକ । ଯଦି କୌଣସି କାରଣ ବସତଃ ଛାତ୍ରଛାତ୍ରୀ ଶେଷ ସେମିଷ୍ଟାର ପରୀକ୍ଷା ଦେଇ ନପାରନ୍ତି, ଏଭଳି ସ୍ଥିତିରେ ପରବର୍ତି ସମୟରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା କରାଯିବ । ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେଇ ପାରିବେ । ଏହି ବ୍ୟବସ୍ଥା କେବଳ ୨୦୧୯-୨୦ ଶିକ୍ଷାବର୍ଷ ପାଇଁ ଲାଗୁ ହେବ । ତେବେ ପୂର୍ବରୁ ଓଡିଶା ସମେତ ଅନେକ ଗୁଡିଏ ରାଜ୍ୟ ଶେଷ ବର୍ଷ ପରୀକ୍ଷା ବାତିଲ କରିଛନ୍ତି ଏବଂ ପୂର୍ବ ସେମିଷ୍ଟାର ଫଳାଫଳ ଅନୁସାରେ ପାସ କରାଇବା ପାଇଁ ନିଷ୍ପତି ନେଇଛନ୍ତି ।