କନକ ବ୍ୟୁରୋ: ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ମାମଲାରେ ରାଜ୍ୟ ସରକାରଙ୍କୁ ଶେଷ ସୁଯୋଗ ଦେଇଛନ୍ତି ହାଇକୋର୍ଟ । ଆଜି ଏ ସଂପର୍କିତ ମାମଲାର ଶୁଣାଣି ବେଳେ ଜବାବ ରଖି ପାରିଲା ନାହିଁ ଗୃହ ବିଭାଗ । କମିଶନଙ୍କ ରିପୋର୍ଟ ସାର୍ବଜନୀନ କରିବା ବଦଳରେ ଅଧିକ ସମୟ ମାଗିଛନ୍ତି । କୋର୍ଟ, ସରକାରଙ୍କ ଆବେଦନକୁ ଗ୍ରହଣ କରି ପରବର୍ତୀ ଶୁଣାଣି ପୂର୍ବରୁ ସତ୍ୟପାଠ ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି ।

ରତ୍ନଭଣ୍ଡାର ଚାବି ହଜିବା ମାମଲାରେ କମିଶନଙ୍କ ରିପୋର୍ଟ ସାର୍ବଜନୀନ ପରିବା ପ୍ରସଙ୍ଗରେ ପୁଣି ସମୟ ମାଗିଛନ୍ତି ରାଜ୍ୟ ସରକାର । କେବେ ସୁଦ୍ଧା ଷ୍ଟାର୍ଟସ୍ ଦାଖଲ କରିବେ, ସେନେଇ ରାଜ୍ୟ ସରକାରଙ୍କୁ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଦୀର୍ଘ ୮ ମାସ ଭିତରେ ଅନେକ ଥର ସମୟ ମାଗିିଥିବାରୁ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ନ୍ୟାୟାଳୟ । ତେବେ ବଡ ଦିନ ଛୁଟି ପରେ ମାମଲାର ଶୁଣାଣି ହେବ ବୋଲି ସୂଚନା ରହିଛି । ଏହାରି ଭିତରେ ରାଜ୍ୟ ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁସାରେ, ୨୦୧୮ ଜୁନ ମାସରେ ଜଷ୍ଟିସ୍ ରଘୁବୀର ଦାସଙ୍କ କମିଶନ ଗଠନ ହୋଇଥିଲା । ନଭେମ୍ବର ମାସରେ ତଦନ୍ତ କମିଶନ ତାଙ୍କ ରିପୋର୍ଟ ଦାଖଲ କରିଥିଲେ । ତେବେ ରିପୋର୍ଟ ସାର୍ବଜନୀନ କରିବା ଦାବିରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆବେଦନକରୀ । ସେହିପରି ରତ୍ନଭଣ୍ଡାରର ସ୍ଥିତି ନେଇ ମଧ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଏହା ପୂର୍ବରୁ ଭିତର ରତ୍ନ ଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ ହୋଇଥିଲେ ବି ତାହା ସଫଳ ହୋଇନଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଉଦ୍ୟମ ହୋଇଥିଲା । ୩ଟା ତାଲା ଖୋଲି ବାହାର ଭଣ୍ଡାରର ଦେଖିଥିଲେ ଯାଂଚ କମିଟି । ଜାଲି କବାଟ ଦେଇ ଟର୍ଚ୍ଚରେ କରିଥିଲେ ଅନୁଧ୍ୟାନ । ଭିତର ଭଣ୍ଡାର ଚାବି ନ ମିଳିବାରୁ ବାହାରୁ ଅନୁଧ୍ୟାନ କରିଥିଲେ । ତେବେ ସେହି ସମୟରେ ଚାବି ହଜିଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ରତ୍ନଭଣ୍ଡାରର ଚାବି ହଜିବା ପ୍ରସଙ୍ଗକୁ ନେଇ ଖୁବ୍ ତମ୍ବିତୋଫାନ ହୋଇଥିଲା ।