ଭଙ୍ଗାଘରୁ ଆରମ୍ଭ ହୋଇଥିଲା ହକି ସ୍ୱପ୍ନ। ଦେଶ ବିଦେଶରେ ଖ୍ୟାତି ଅର୍ଜନ କରିଛନ୍ତି ସୁନ୍ଦରଗଡ଼ର ଖେଳାଳି।

269

କନକ ବ୍ୟୁରୋ: ଅଲମ୍ପିଆନ ଅମିତ ରୋହିଦାସ ହୁଅନ୍ତୁ କି ଭାରତୀୟ ପୁରୁଷ ହକି ଦଳର ଡିଫେଣ୍ଡର ନୀଲମ ସଂଜୀବ ଖେସ । ଉଭୟ ସୁନ୍ଦରଗଡର ଅଖ୍ୟାତ ପଲ୍ଲୀରୁ, ଗରିବ ପରିବାରରୁ, ଭଂଗାଘରୁ ଯାଇ ସାରାଦେଶରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଆଉ ସେମାନେ ଆଜି ଯେଉଁ ସ୍ଥାନରେ ପହଁଚିଛନ୍ତି ସେଥିପାଇଁ ତାଙ୍କୁ କମ୍ ସଂଘର୍ଷ କରିବା ପାଇଁ ପଡି ନାହିଁ ।

ଜାତୀୟ ଦଳ ପାଇଁ ଚୟନ ହେବା ପୂର୍ବରୁ, ହାତକୁ ପେସାଦାର ହକି ଷ୍ଟିକ୍ ଆସିବା ପୂର୍ବରୁ ଏହି ହକି ତାରକା ବି ଦିନେ ଗାଁ ଦାଣ୍ଡରେ ଖେଳୁଥିଲେ । ଗାଁର ଅନ୍ୟମାନଙ୍କ ଭଳି ସେ ବି କାଠ ତିଆରି ହକି ବାଡିରେ ମୁଳଦୂଆ ପକାଇଥିଲେ । ଅଲିମ୍ପିଆନ ଅମିତ ରୋହିଦାସଙ୍କ ମା’ଙ୍କ କହିବା ଅନୁସାରେ ସେ ମାତ୍ର ୪ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଦେଇଥିଲେ । ପରିବାରର ଦାରିଦ୍ର୍ୟତା ଆଗକୁ ଯିବାକୁ ବାଟ ଓଗାଳିଥିଲା । ପରିସ୍ଥିତି ଏପରି ଥିଲା ପରିବାର ଲୋକ ହକି ଷ୍ଟିକ ଖଣ୍ଡିଏ କିଣିକି ଦେବା ମୁସ୍କିଲ ହୋଇପଡ଼ିଥିଲା । ଗାଁର କିଛି ବଦନ୍ୟ ବ୍ୟକ୍ତି ହକି ଷ୍ଟିକ ଦେବା ପରେ ଖେଳିବା ଆରମ୍ଭ କରିଥିଲେ ଅମିତ୍ । ତା ପରେ ସେ ଆଉ ପଛକୁ ଫେରିନଥିଲେ ।

ସୁନ୍ଦରଗଡ ଜିଲ୍ଳା ସାରନାଟୋଲା ଗାଁର ଝାଟିମାଟି ଘର, ଗରିବ ଚାଷୀ ପରିବାରରୁ ଯାଇ ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଡିଫେଣ୍ଡର ଭାବେ ସ୍ଥାନ ପାଇବାରେ ସକ୍ଷମ ହୋଇଛନ୍ତିି । ନୀଲମ ସଂଜୀବ ଖେସ୍ । ଗାଁର ଶୁଖିଲା ମାଟି ପଡିଆ ଓ କେନ୍ଦୁ ଗଛ ଡାଳରେ ତିଆରି ହକି ବାଡିରେ ଖେଳିବା ଆରମ୍ଭ କରିଥିଲେ ନୀଲମ । ଗାଁ ସ୍କୁଲରେ ପାଠ ପଢ଼ିବା ସମୟରେ ହକି ଖେଳ ପ୍ରତି ତାଙ୍କ ଭିତରେ ଅହେତୁକ ଦୁର୍ବଳତା ଦେଖିବାକୁ ମିଳିଥିଲା ।ତାପରେ ସ୍କୁଲ ଶିକ୍ଷକଙ୍କକ ପରାମର୍ଶରେ ସାଇ ସ୍ପୋର୍ଟସ ହଷ୍ଟେଲରେ ଛାଡିଥିଲେ ତାଙ୍କ ବାପା । ୨୦୧୬ରେ ଜାତୀୟ ଦଳରେ ସ୍ଥାନ ପାଇବାଠାରୁ ଅଦ୍ୟାବଧି ଦେଶ ପାଇଁ ୩୪ଟି ଆନ୍ତର୍ଜାତିକ ମ୍ୟାଚ ଖେଳି ସାରିଲେଣି । ଏବେ ଭାରତୀୟ ଦଳର ଡିଫେଣ୍ଡର ଭାବେ ସ୍ଥାନ ବଜାୟ ରଖି ଚଳିତ ବିଶ୍ୱକପ୍ ନିଜ ହୋମ ଗ୍ରାଉଣ୍ଡରେ ଖେଳିବେ ।

ସୁନ୍ଦରଗଡ ଏବେ ହକି ଖେଳାଳି ତିଆରିର ହବ୍ ପାଲଟିଥିବାବେଳେ, ଗାଁ ପିଲାମାନଙ୍କ ପାଇଁ ଆଧୁନିକ ଟର୍ଫର ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ପ୍ରତି ବ୍ଲକରେ ଉଦୀୟମାନଙ୍କ ହକି ଖେଳାଳିଙ୍କ ପାଇଁ ତିଆରି ହେଉଛି ଆଷ୍ଟ୍ରୋ ଟର୍ଫ । ଯେଉଁ ଟର୍ଫରେ ଅଭ୍ୟାସ କରିବାର ସୁଯୋଗ ପାଉଛନ୍ତି ସୁନ୍ଦରଗଡ ଜିଲ୍ଲାର ଗ୍ରାମାଞ୍ଚଳର ଭବିଷ୍ୟତର ହକି ତାରକା ।