କନକ ବ୍ୟୁରୋ: ଦେଶରେ ଥମିବାର ନାଁ ନେଉନି ହିଜାବ ଝଡ । ରାଜ୍ୟକୁ ରାଜ୍ୟ ଡେଉଁଛି ବିବାଦ । ଆଉ ଏହାକୁ ନେଇ ବିଭିନ୍ନ ଶିକ୍ଷାନୁଷ୍ଠାନ ବାହାରେ ଗୁରଖା ଓ ହିଜାବ ପିନ୍ଧି ପ୍ରତିବାଦକୁ ଓହ୍ଲାଉଛନ୍ତି ମୁସଲମାନ ମହିଳା । ମାମଲା ଦିନକୁ ଦିନ ଜଟିଳ ହେଉଥିବାରୁ କର୍ଣ୍ଣାଟକରେ ପୁଣିଥରେ ଘୁଞ୍ଚିଛି ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ । ସେପଟେ ହିଜାବ ପ୍ରସଙ୍ଗରେ ଅନ୍ୟ ଦେଶରୁ ପ୍ରତିକ୍ରିଆ ଆସିବାରୁ ଏନେଇ ଜବାବ ରଖିଛି ବୈଦେଶିକ ମନ୍ତ୍ରାଳୟ । ଭାରତର ବୈଦେଶିକ ମନ୍ତ୍ରାଳୟ କହିଛି ଏହା ଭାରତର ଆଭ୍ୟନ୍ତରୀଣ ମାମଲା । ଏଥିରେ ଅନ୍ୟଦେଶ ମୁଣ୍ଡ ପୁରାଇବା ଅନୁଚିତ ।

ଥମୁନି ହିଜାବ ବିବାଦ । କର୍ଣ୍ଣାଟକ ଉଡୁପିରେ ଆରମ୍ଭ ହୋଇଥିବା ଏହି ବିବାଦ କ୍ରମଶଃ ସାରା ଦେଶରେ ବ୍ୟାପିବାରେ ଲାଗିଛି । ଏହି ସମସ୍ୟାକୁ ନେଇ କର୍ଣ୍ଣାଟକ ସରକାର ଗତ ୮ ତାରିଖରେ ୩ ଦିନ ଯାଏଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଥିଲେ । ଇତି ମଧ୍ୟରେ ୫ ଦିନ ବିତି ସାରିଲାଣି । ହେଲେ ତଥାପି ଥଣ୍ଡା ପଡୁନି ହିଜାବ ତାତି । ଯାହାକୁ ନେଇ ରାଜ୍ୟରେ ପୁଣିଥରେ ଶିକ୍ଷାନୁଷ୍ଠାନ ଖୋଲିବା ତାରିଖ ଘୁଂଚାଇଛନ୍ତି କର୍ଣ୍ଣାଟକ ସରକାର । ରାଜ୍ୟର ସମସ୍ତ ଡିଗ୍ରୀ ଓ ଡିପ୍ଲୋମା କଲେଜ ଗୁଡିକ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଘୋଷଣା କରିଛନ୍ତି । ସେପଟେ ଏବେ ଦେଶର ଅନ୍ୟ ରାଜ୍ୟରେ ତୀବ୍ର ହେବାରେ ଲାଗିଛି ହିଜାବ ବିବାଦ । ଶନିବାର ରାଜସ୍ଥାନ, ଜୟପୁରରେ ମୁସଲିମ ମହିଳା ଗୁରଖା ଓ ହିଜାବ ପିନ୍ଧି ହାତରେ ପ୍ଲା କାର୍ଡ ଧରି ପ୍ରତିବାଦକୁ ଓହ୍ଲାଇଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ମୁସଲିମ ମହିଳା ହିଜାବ ପାଇଁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରୁଥିବା ଦେଖିବାକୁ ମିଳିଛି ।

ସେପଟେ ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ ହିଜାବ ପ୍ରସଙ୍ଗକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ସାମ୍ନାକୁ ଆସୁଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି, ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ପ୍ରତିବନ୍ଧକ ଲଗାଯିବା ଧାର୍ମିକ ସ୍ୱତନ୍ତ୍ରତାର ଉଲ୍ଲଂଘନ । ସେପଟେ ପାକିସ୍ତାନ ମୁଖ୍ୟମନ୍ତ୍ରୀ ଇମ୍ରାନ ଖାନ କହିଛନ୍ତି, ଭାରତରେ ମୁସଲମାନଙ୍କ ସହ ଭେଦଭାବ କରାଯାଉଛି । ଯାହାକୁ ନେଇ ଜବାବ ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ହିଜାବ ବିବାଦକୁ ନେଇ ଆମେରିକା ଓ ପାକିସ୍ତାନ କରୁଥିବା ବୟାନବାଜୀଙ୍କୁ ନେଇ ଅସନ୍ତୋଷ ଜାହିର କରିଛି ଭାରତ । ଭାରତୀୟ ବୈଦେଶିକମନ୍ତ୍ରାଳୟ କହିଛି ଏହା ଭାରତୀ ଆଭ୍ୟନ୍ତରୀଣ ମାମଲା ତେଣୁ ଅନ୍ୟ ଦେଶମାନଙ୍କୁ ହସ୍ତକ୍ଷେପ ଆଦୌ ବରଦାସ୍ତ କରାଯିବନି ।