କନକ ବ୍ୟୁରୋ: ଅନୁଗୁଳ ରାଜନୀତିରେ ୫୫ନମ୍ୱର ଜାତୀୟ ରାଜପଥ । ରାଜପଥର ପ୍ରଶସ୍ତିକରଣରେ ବିଳମ୍ୱ ନେଇ ଉଭୟ ବିଜେଡି ଓ ବିଜେପି କାଦୁଅ ଫିଙ୍ଗାଫିଙ୍ଗି । ୫୫ ନମ୍ୱର ଜାତୀୟ ରାଜପଥ ମରଣଯନ୍ତା ପାଲଟି ଥିବା ଯୋଗୁଁ ଦୀର୍ଘ ବର୍ଷ ହେବ ଅନେକ ଧନ ଜୀବନ ହାନି ହେଉଛି । ନିର୍ବାଚନ ଆସିଲେ ଜାତୀୟ ରାଜପଥ ଏକ ମୁଦ୍ଦା ପାଲଟିଯାଏ ଅନୁଗୁଳ ରାଜନୈତିକ ଦଳଙ୍କ ପାଇଁ । ଆଲୋଚନା, ସମାଲୋଚନା ଓ ଆନ୍ଦୋଳନ ପରେ ମଧ୍ୟ ଏପର୍ୟ୍ୟନ୍ତ ସୁଫଳ ମିଳିପାରିନହିଁ ।

Advertisment

ଅନୁଗୁଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାମରେ ମନ୍ଥ୍ରଗତିରେ ଚାଲିଛି । ୨୦୧୭ରୁ ଆରମ୍ଭ ହୋଇଥିବା ପ୍ରଶସ୍ତିକରଣ କାମ ୨୦୧୯ରେ ସାରିବାକୁ ସମୟ ଧାର୍ଯ୍ୟ ହୋଇଥିଲା । ହେଲେ ଏଯାଏଁ କାମ ସରିନାହିଁ । ୨୦୨୪ ସୁଦ୍ଧା ସରିବ କି ନାହିଁ ତାକୁ ନେଇ ସନ୍ଦେହ ବଢୁଛି । ଜାତୀୟ ରାଜପଥର ଦୁରାବସ୍ଥାକୁ ନେଇ ଅନୁଗୁଳ ସାଂସଦ ମହେଶ ସାହୁ କେନ୍ଦ୍ର ମନ୍ତ୍ରୀ ନୀତିନ୍ ଡଗକରୀଙ୍କ ସହ ଆଲୋଚନା କରିଛନ୍ତି । ସଂସଦରେ ମଧ୍ୟ ବାରମ୍ବାର ଏକଥା ଉଠାଇଛନ୍ତି । ତଥାପି ୫୫ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ଶେଷ ହେଉନାହିଁ । ନିର୍ମାଣ କାମରେ ବିଳମ୍ବକୁ ବିରୋଧ କରି ସେପ୍ଟେମ୍ବର ପହିଲାରୁ ୨ ଘଂଟିଆ ରାଜପଥ ବନ୍ଦ ପାଳନ କରିବାକୁ ନିଷ୍ପତି ନେଇଛି ବିଜେଡି । ସକାଳ ୮ଟାରୁ ୧୦ଟା ଯାଏଁ ରାଜପଥ ଅବରୋଧ କରାଯିବ । ଅନୁଗୁଳ ସହରର ପିଟିସି ଛକ ଠାରେ ଆନ୍ଦୋଳନ କରିବ ବିଜେଡି ।

ବିଜେଡିର ଅଭିଯୋଗ ଅନୁସାରେ, ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ ଗୁଡିକର ଅବସ୍ଥା ପୁରା ଶୋଚନୀୟ ହୋଇପଡିଛି । ବାରମ୍ବାର ଦୁର୍ଘଟଣ ଘଟି ଧନଜୀବନ ଯାଉଛି । ତଥାପି ଜାତୀୟ ରାଜପଥ ବିଭାଗର ନିଦ ଭାଙ୍ଗୁ ନାହିଁ । ସେପଟେ ଏମସିଏଲ୍ ଅନୁଗୁଳ ଜମିହରା ପ୍ରଜାମାନଙ୍କ ଥଇଥାନ କରୁନାହିଁ । ଥଇଥାନ ନେଇ ରହିଥିବା ୨୦୦୬ କି ୨୦୧୩ ପଲିସିକୁ ସମାଧାନ କରୁନହାନ୍ତି କମ୍ପାନୀ କର୍ତୃପକ୍ଷ । ଜାତୀୟ ରାଜପଥ ଓ ବିସ୍ଥାପିତଙ୍କ ସମସ୍ୟାକୁ ନେଇ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ।