କନକ ବ୍ୟୁରୋ: ୨୦୧୯ରେ ଯେତେବେଳେ ଦେଶରେ ମୋଦୀ ଓ ରାଜ୍ୟରେ ନବୀନ ଲହର କାମ କରୁଥିଲା, ସେତିକି ବେଳେ କଟକରେ କଂଗ୍ରେସ ବିଜୟ ବାନା ଉଡାଇଥିଲେ ମୋକିମ୍ । ହେଲେ ଏଥର ନିର୍ବାଚନ ଲଢିପାରିବେ ତ ମହମ୍ମଦ ମୋକିମ୍? କାରଣ ନିର୍ବାଚନ ଆଗରୁ ହାଇକୋର୍ଟରୁ ମୋକିମ୍ ଲାଗିଛି ବଡ ଝଟକା । ଓଆରଏଚଡିସି ଦୁର୍ନୀତି ମାମଲାରେ ହାଇକୋର୍ଟଙ୍କ ରାୟ ପରେ ମୋକିମଙ୍କ ଅଡୁଆ ବଢିଛି । ଭିଜିଲାନ୍ସ କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ ।
- ନିର୍ବାଚନ ପୂର୍ବରୁ ମୋକିମଙ୍କୁ ବଡ଼ ଝଟକା
- ଦଣ୍ଡାଦେଶକୁ କାଏମ୍ ରଖିଲେ ହାଇକୋର୍ଟ
ଓଆରଏଚଡିସି ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ କଟକ ବାରବାଟୀ ବିଧାୟକ । ତେବେ ତାଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଏହାସହ ଦଣ୍ଡାଦେଶକୁ କାଏମ ରଖିଛନ୍ତି । କାରା ଦଣ୍ଡାଦେଶ ବିରୋଧରେ ମୋକିମଙ୍କ ଆବେଦନର ଶୁଣାଣି କରି ହାଇକୋର୍ଟ ଆବେଦନକୁ ଖାରଜ କରିବା ସହ ବେଲ୍ ବଣ୍ଡକୁ ବାତିଲ କରି ଦେଇଛନ୍ତି । ତେବେ ଏ ନେଇ ମୋକିମ୍ କହିଛନ୍ତି, ହାଇକୋର୍ଟଙ୍କ ରାୟ ଓ ଆଇନକୁ ସମ୍ମାନ ଜଣାଉଛନ୍ତି । ଜଜମେଣ୍ଟ କପି ପାଇବା ପରେ ଆଇନଜୀବୀଙ୍କ ପରାମର୍ଶ ନେବେ । ଆଇନ ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।
- ନିର୍ବାଚନ ଲଢ଼ିବା ନେଇ ବଢ଼ିଲା ସନ୍ଦେହ
- ମୋକିମଙ୍କୁ ଭରସା ସୁପ୍ରିମକୋର୍ଟ
ମୁଣ୍ଡ ଉପରେ ନିର୍ବାଚନ । ଏଭଳି ସମୟରେ ହାଇକୋର୍ଟଙ୍କ ରାୟ ମୋକିମଙ୍କ ଅଡୁଆ ବଢ଼ାଇ ଦେଇଛି । ନିୟମ ଅନୁଯାୟୀ ଦଣ୍ଡବିଧାନ ହୋଇଥିବା ବ୍ୟକ୍ତି ନିର୍ବାଚନ ଲଢ଼ିପାରିବେ ନାହିଁ । ବରିଷ୍ଠ ଆଇନଜୀବୀ ଗୋପାଳ ଅଗ୍ରୱାଲ କହିଛନ୍ତି...
- ୩ ବର୍ଷ ଜେଲ ଓ ୬ ବର୍ଷ ଅଯୋଗ୍ୟ ଅବଧିକୁ ମିଶାଇ ୯ ବର୍ଷ ନିର୍ବାଚନ ଲଢ଼ିପାରିବେ ନାହିଁ
- ଯଦି ମୋକିମ୍ ସୁପ୍ରିମକୋର୍ଟ ଯାଆନ୍ତି ଏବଂ ସୁପ୍ରିମକୋର୍ଟ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରନ୍ତି, ନିର୍ବାଚନ ଲଢ଼ିପାରିବେ ମୋକିମ୍
ଓଆରଏଚଡିସି ଋଣ ଜାଲିଆତି ମାମଲାରେ ମହମ୍ମଦ ମୋକିମଙ୍କ ସହ ପୂର୍ବତନ ଆଇଏଏମ୍ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତି ରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସ ନିର୍ଦ୍ଦେଶକ ପିୟୁଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ଶୁଣାଇଥିଲେ ଭିଜିଲାନ୍ସ କୋର୍ଟ । ଏହା ବିରୋଧରେ ହାଇକୋର୍ଟ ଯାଇଥିଲେ ମୋକିମ୍ । ୨୦୨୨ ଅକ୍ଟୋବର ମାସରେ ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରିଥିଲେ ହାଇକୋର୍ଟ । ଆଜି ଏହି ମାମଲାରେ ରାୟ ଶୁଣାଇଛନ୍ତି ଉଚ୍ଚ ନ୍ୟାୟାଳୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2024/04/31-6.jpg)