ବିବାହ ପୂର୍ବରୁ ଏକାଠି ପ୍ରେମୀଯୁଗଳ ରହିବାକୁ ନାପସନ୍ଦ କଲେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ । କହିଲେ, ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ ଲିଭ-ଇନ ସମ୍ପର୍କ 

352

କନକ ବ୍ୟୁରୋ: ଲିଭ–ଇନ ରିଲେସନକୁ ନେଇ ପଂଜାବ-ହରିୟାଣା ହାଇକୋର୍ଟ ଏକ ବଡ ଟିପ୍ପଣୀ କରିଛନ୍ତି । ସୁରକ୍ଷା ନିବେଦନ କରିଥିବା ପ୍ରେମୀ ଯୁଗଳଙ୍କ ଆବେଦନକୁ ଖାରଜ କରି ହାଇକୋର୍ଟ କହିଛନ୍ତି ଲିଭ-ଇନ-ରିଲେସନ ନୈତିକ ଓ ସାମାଜିକ ଭାବେ ଗ୍ରହଣଯୋଗ୍ୟ ନୁହେଁ । ମିଡିଆ ରିପୋର୍ଟ ଅନୁସାରେ ୧୯ ବର୍ଷ ବୟସ୍କ ଗୁଲଜା କୁମାରୀ ଓ ୨୨ ବର୍ଷ ବୟସ୍କ ଗୁରବିନ୍ଦର ସିଂ ନାମକ ପ୍ରେମୀଯୁଗଳ ନିଜ ସୁରକ୍ଷା ପାଇଁ ପଂଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ଆବେଦନରେ ଦର୍ଶାଇଥିଲେ, ସେମାନେ ଲିଭ-ଇନ- ରିଲେସନସିପରେ ରହୁଛନ୍ତି ଓ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହେଲେ ପିତା ମାତାଙ୍କ ଆଡୁ ତାଙ୍କ ଜୀବନ ବିପଦରେ ଥିବା ଦର୍ଶାଇ କୋର୍ଟଙ୍କ ସୁରକ୍ଷା ଲୋଡିଥିଲେ । ମେ ୧୧ ତାରିଖରେ ଏହି ମାମଲାର ଶୁଣାଣି କରି ଜଷ୍ଟିସ ଏସଏଚ ମଦନ ନିଜ ଆଦେଶରେ କହିଥିଲେ, ପ୍ରକୃତରେ ଆବେଦନକାରୀ, ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଆବେଦନ ଆଳରେ ନିଜ ଲିଭ–ଇନ ରିଲେସନର ଅନୁମୋଦନ ସହ ମଂଜୁରୀ ଦାବି କରୁଛନ୍ତି ।

ଯାହା ନୈତିକ ଓ ସାମାଜିକ ଦୃଷ୍ଟିରୁ ଗ୍ରହଣ ଯୋଗ୍ୟ ନୁହେଁ । ତେଣୁ ଆବେଦନ ଉପରେ କୌଣସି ସୁରକ୍ଷା ଆଦେଶ ପାରିତ କରାଯାଇ ପାରିବ ନାହିଁ । ଏଣୁ ଆବେଦନକୁ ଖାରଜ କରିଦିଆଗଲା ବୋଲି ନିଜ ଆଦେଶରେ କହିଥିଲେ ଜଷ୍ଟିସ ଏସଏଚ ମଦନ ।