ଆରମ୍ଭ ହେବ ‌ହେପାଟାଇଟିସ୍ ନିରାକରଣ କାର୍ଯ୍ୟକ୍ରମ : ପ୍ରତି ଜିଲ୍ଲାରେ ପରୀକ୍ଷା କେନ୍ଦ୍ର ପ୍ରତିଷ୍ଠା ଯୋଜନା

169

କନକ ବ୍ୟୁରୋ : ରାଜ୍ୟରେ ଆରମ୍ଭ ହେବ ହେପାଟାଇଟିସ୍ ନିରାକରଣ କାର୍ଯ୍ୟକ୍ରମ । ହେପାଟାଇଟିସ୍‌ ରୋଗର ଭୟାବହତା ନେଇ ଲୋକଙ୍କୁ ସଚେତନ କରିବା ଓ ନିୟନ୍ତ୍ରଣ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ । ଯଦିଓ ଏହା କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ, ତଥାପି ଏହାକୁ ତୃଣମୂଳସ୍ତରରେ ସୁଦୃଢ଼ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହି ଭିତ୍ତିରେ ଜିଲ୍ଲାୱାରୀ ଏହାର ପରୀକ୍ଷଣ କେନ୍ଦ୍ର ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହୋଇଛି । କରୋନା ପାଇଁ ଏହି କାର୍ଯ୍ୟକ୍ରମ ଧିମେଇ ଯାଇଥିବା ବେଳେ ଆସନ୍ତା କିଛି ମାସ ଭିତରେ ଏହାର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତ ହେବ ବୋଲି ସୂଚନା ମିଳିଛି । ହେପାଟାଇଟିସ୍‌ ମୁଖ୍ୟତଃ ଏ, ବି, ସି, ଡି ଓ ଇ। ହେପାଟାଇଟିସ୍‌ ‘ଏ’ ଦୂଷିତ ପାଣି ଦ୍ୱାରା ବ୍ୟାପିଥାଏ, ଯାହାକି ସାଧାରଣ ଭାବେ ଦେଖିବାକୁ ମିଳିଥାଏ । ମାତ୍ର ହେପାଟାଇଟିସ୍‌ ‘ବି’ ଓ ‘ସି’ ସଂକ୍ରମିତ ରକ୍ତ କିମ୍ବା ସିରିଞ୍ଜ ଜରିଆରେ କିମ୍ବା ଅସ୍ତ୍ରୋପଚାର ସମୟରେ ସଂକ୍ରମିତ ବ୍ୟକ୍ତିଙ୍କଠାରୁ ଅନ୍ୟମାନଙ୍କ ଶରୀରରେ ପ୍ରବେଶ କରିଥାଏ ।

ପରବର୍ତ୍ତୀ ସମୟରେ ଏହା ଶରୀରରେ କର୍କଟ ଭଳି ବ୍ୟାଧି ସୃଷ୍ଟି କରିଥାଏ । ହେପାଟାଇଟିସ୍ ‘ବି’ର ଚିକିତ୍ସା ମଧ୍ୟ ବ୍ୟୟବହୁଳ । ରାଜ୍ୟରେ କେତେ ‌ସଂଖ୍ୟକ ଲୋକ ହେପାଟାଇଟିସ୍ ‘ବି’ ଓ ‘ସି’ରେ ଆକ୍ରାନ୍ତ ହେଉଛନ୍ତି, ତାହାର କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ । ମେଡିକାଲ କଲେଜ ଓ ହସ୍ପିଟାଲଗୁଡ଼ିକରୁ ବର୍ଷ ଶେଷକୁ ଯେଉଁ ତଥ୍ୟ ସବୁ ସ୍ୱାସ୍ଥ୍ୟ ବିଭାଗକୁ ଆସୁଛି, ତାହା ମଧ୍ୟ ଅଧାପନ୍ତରିଆ । ତେଣୁ ହେପାଟାଇଟିସ୍ ଭଳି ଏକ ଜଟିଳ ରୋଗର ନିୟନ୍ତ୍ରଣ ତୃଣମୂଳସ୍ତରରେ କରିବା ଲାଗି ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଛି । ବିଶେଷକରି ଗର୍ଭବତୀ ମହିଳାମାନଙ୍କ ବାଧ୍ୟତାମୂଳକ ଭାବେ ଏହି ପରୀକ୍ଷା କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଚିନ୍ତା କରୁଛନ୍ତି ।

ରାଜ୍ୟର ଅଧିକାଂଶ ଜିଲ୍ଲାରେ ଜନସ୍ୱାସ୍ଥ୍ୟ ଲାବୋରେଟାରି ପ୍ରତିଷ୍ଠା କରାଯାଇଛି । ଏସବୁ ଲାବୋରେଟାରିରେ ବ୍ଲଡ୍‌ କଲଚର୍‌ ସହ ଡେଙ୍ଗୁ, ଚିକିନ୍‌‌ଗୁନିଆ ଭଳି ରୋଗର ପରୀକ୍ଷା ହୋଇପାରିବ । ତେବେ ଏହାକୁ ସବ୍‌-ଡିଭିଜନ୍‌ ବା ଉପଖଣ୍ଡସ୍ତରରେ ଏଭଳି ଲାବୋରେଟାରି ପ୍ରତିଷ୍ଠା କରିବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଫଳରେ ଲୋକମାନଙ୍କୁ ଆଉ ମେଡିକାଲ କଲେଜକୁ ଆସିବାକୁ ପଡ଼ିବ ନାହିଁ । ଜିଲ୍ଲାସ୍ତରରେ ଏହାର ଚିକିତ୍ସା ହୋଇପାରିବ । କାର୍ଯ୍ୟକ୍ରମ ଆରମ୍ଭ ହେଲେ ହେପାଟାଇଟିସ୍ ରୋଗର ପରୀକ୍ଷା ପାଇଁ ଆବଶ୍ୟକ କିଟ୍‌ ଓ ଔଷଧ ମହଜୁଦ୍ ରଖାଯିବ । ତେବେ ଲାବୋରେଟାରି ପ୍ରତିଷ୍ଠାଠାରୁ ଆରମ୍ଭ କରି ଏ ବାବଦ କେତେ ଟଙ୍କା ଖର୍ଚ କରାଯିବ, ଏଥିପାଇଁ ଯୋଜନା ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ମୁତାବକ, କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ମେଡିକାଲ କଲେଜସ୍ତରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ଲାଗି ଧାର୍ଯ୍ୟ ରହିଛି ।
ମାତ୍ର ମେଡିକାଲ କଲେଜସ୍ତରରେ ଏହି କାର୍ଯ୍ୟକ୍ରମ ସୀମିତ ରହିଲେ ତୃଣମୂଳସ୍ତରରେ କାର୍ଯ୍ୟକ୍ରମର ସଫଳତା ମିଳିବ ନାହିଁ । ତେଣୁ ଜିଲ୍ଲା ଓ ଉପଖଣ୍ଡସ୍ତରରେ କାର୍ଯ୍ୟକ୍ରମକୁ ଆଗେଇ ନେବା ଲାଗି ଯୋଜନା କରାଯାଇଛି । ହେପାଟାଇଟିସ୍ ଏ’କୁ ବାଦ୍ ଦେଲେ ବି ଓ ସି’ର ଚିକିତ୍ସା ବ୍ୟୟବହୁଳ । ତେଣୁ ନୂତନ କାର୍ଯ୍ୟକ୍ରମ ଜରିଆରେ ଅଧିକରୁ ଅଧିକ ଲୋକଙ୍କ ହେପାଟାଇଟିସ୍‌ ପରୀକ୍ଷା‌ ହେବା ସହିତ ରାଜ୍ୟରେ କେତେ ସଂଖ୍ୟକ ଏଥିରେ ଆକ୍ରାନ୍ତ ହେଉଛନ୍ତି, ତାହାର ନିର୍ଦ୍ଦିଷ୍ଟ ତଥ୍ୟ ମିଳିପାରିବ। କରୋନା ସଂକ୍ରମଣ ପାଇଁ କାର୍ଯ୍ୟକ୍ରମରେ ଶିଥିଳତା ଆସିଛି । ତେବେ ଆଗାମୀ ଦିନରେ ଏହାକୁ ଆରମ୍ଭ କରାଯିବ ବୋଲି ଅଧିକାରୀଜଣକ ସୂଚନା ଦେଇଛନ୍ତି ।