କନକବ୍ୟୁରୋ: ମହିଳା ରେସଲର ଭିନେଶ ଫୋଗାଟଙ୍କୁ ୫୦କେଜି ବର୍ଗ ମହିଳା କୁସ୍ତିରେ ଯୁଗ୍ମ ରୌପ୍ୟ ପଦକ ଦିଆଯିବା ଆବେଦନ ଉପରେ ଶୁଣାଣୀ ଶେଷ ହୋଇଛି। ଅଲିମ୍ପିକ୍ସ ଉଦଯାପନୀ ପୂର୍ବରୁ ଏହି ମାମଲାର ରାୟ ପ୍ରକାଶ ପାଇବା ନେଇ ଆଶା କରାଯାଉଛି। ଫାଇନାଲରୁ ବଞ୍ଚିତ ହେବା ସହ ଅଯୋଗ୍ୟ ଘୋଷିତ ହେବା ପରେ ୭ ତାରିଖରେ କାସରେ ଆବେଦନ କରିଥିଲେ ଭିନେଶ। ଫାଇନାଲରେ ଖେଳିବାକୁ ଭିନେଶ ଅନୁରୋଧ କରିଥିଲେ ମଧ୍ୟ କାସ ଏହାକୁ ଆଗ୍ରାହ୍ୟ କରିଦେଇଥିଲେ। ତେବେ ଯୁଗ୍ମ  ରୌପ୍ୟ ପଦକ ଦିଆଯିବା ଉପରେ ହୋଇଥିବା ଅନ୍ୟ ଆବେଦନକୁ ଗ୍ରହଣ କରିବା ସହ ଏହାର ଶୁଣାଣୀ କରିଛନ୍ତି।

Advertisment

କାସର ଏକକ ଖଣ୍ଡପୀଠ ଡକ୍ଟର ଆନାବେଲେ ବେଟେନଙ୍କ କୋର୍ଟରେ ଶୁକ୍ରବାର ଏହି ମାମଲାର ଶୁଣାଣୀ କରାଯାଇଛି। ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ କ୍ରୀଡ଼ା କ୍ଷେତ୍ରରେ ଓକିଲାତି କରିଥିବା ବିଦୁସପାଟ୍ ସିଙ୍ଘାନିଆ କାସରେ ଏହି ମାମଲାର ପରିଚାଳନା କରୁଛନ୍ତି। ଶୁଣାଣୀ ସମୟରେ ଭିନେଶଙ୍କ ପକ୍ଷରୁ କରାଯାଇଥିବା ଯୁକ୍ତିରେ କୁହାଯାଇଥିଲା ଯେ ସେ କୌଣସି ଜାଲିଆତି କରିନାହାଁନ୍ତି। ତାଙ୍କର ଶରୀରର ପ୍ରାକୃତିକ ପ୍ରକ୍ରିୟା ସ୍ବରୂପ ଓଜନ ବୃଦ୍ଧି ହୋଇଥିଲା।

ନିଜ ଶରୀରର ଯତ୍ନ ନେବା ଜଣେ କ୍ରୀଡ଼ାବିତଙ୍କର ଅଧିକାର ରହିଛି। ପ୍ରତିଯୋଗିତାର ପ୍ରଥମ ଦିନରେ ତାଙ୍କ ଶରୀର ଓଜନ ଧାର୍ଯ୍ୟ ମାନଦଣ୍ଡ ଭିତରେ ରହିଥିଲା। ରିକଭରି ପ୍ରକ୍ରିୟା ଭିତରେ ତାଙ୍କର ଓଜନ ପ୍ରକ୍ରିୟା ବୃଦ୍ଧି ହୋଇଥିବାରୁ ଆଦୌ ଜାଲିଆତି କରାଯାଇନାହିଁ ବୋଲି ଭିନେଶଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇଛି।