କନକ ବ୍ୟୁରୋ: ମନ୍ତ୍ରୀ ହେବା ପରେ ଆକ୍ସନରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସବୁବେଳେ ରୋଗୀ ଡାକ୍ତରଖାନାରେ ହନ୍ତସନ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଏକ ଭଲ ପରାମର୍ଶ ଦେଇ କହିଛନ୍ତି, ମୁନ୍ନାଭାଇ ଏମବିବିଏସ୍ ଫିଲ୍ମ ଦେଖିବା ପାଇଁ । ଅର୍ଥାତ ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ହେବା ସହ ଭଲ ବ୍ୟବହାର ଦେଖାଇବାକୁ ସେ ପରାମର୍ଶ ଦେଇଛନ୍ତି ।

Advertisment

କଟକ ବଡ଼ ମେଡ଼ିକାଲର ଅନୁଧ୍ୟାନ ପାଇଁ ପହଂଚିଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ । ଏହି ଅବସରରେ ବିଭିନ୍ନ ୱାର୍ଡ ବୁଲିବା ସହ ରୋଗୀଙ୍କ ସହିତ ଆଲୋଚନା କରିଥିଲେ । ସେହିପରି ସ୍ୱାସ୍ଥ୍ୟ ବ୍ୟବସ୍ଥାର ସମୀକ୍ଷା କରି କହିଥିଲେ-
- ଉତ୍ତମ ସ୍ୱାସ୍ଥ୍ୟ ସେବା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ
- ଡାକ୍ତରଙ୍କୁ ସୁରକ୍ଷା ପ୍ରଦାନ କରିବା ସରକାରଙ୍କ କର୍ତ୍ତବ୍ୟ
- ରୋଗୀଙ୍କୁ ଭଲ ବ୍ୟବହାର ଦେଖାଇବା ମଧ୍ୟ ଡାକ୍ତରଙ୍କ ଦାୟିତ୍ୱ

ସ୍ୱାସ୍ଥ୍ୟମନ୍ତ୍ରୀ ସର୍ଜରୀ ବିଭାଗରେ ପହଂଚି ରୋଗୀସେବାର ଅନୁଧ୍ୟାନ କରିବା ସହ ଚିକିତ୍ସା ସୁବିଧା ସମ୍ପର୍କରେ ରୋଗୀଙ୍କୁ ପଚାରି ବୁଝିଥିଲେ । ଜୁନିଅର ଡାକ୍ତରଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହାପରେ ବୈଠକ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।

ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ଦାୟୀତ୍ୱ ନେବା ପରେ ମୁକେଶ ମହାଲିଙ୍ଗ ରାଜ୍ୟର ବିଭିନ୍ନ ଅଂଚଳ ପରିଦର୍ଶନ କରି ସ୍ୱାସ୍ଥ୍ୟ ସେବାର ଅବସ୍ଥା ପଚାରି ବୁଝୁଛନ୍ତି । ଆଉ ନୂଆ ସରକାର ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲକ୍ଷ୍ୟରେ ନୂଆ ନୂଆ ପଦକ୍ଷେପ ନେବା ପାଇଁ ଯୋଜନା କରୁଛନ୍ତି ।