ଭୁଲ୍ ହୋଇଗଲା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଆକଳନ । ନିର୍ବାଚନୀ ରାଲି, କ୍ରିକେଟ ମ୍ୟାଚ ଓ ଧାମିର୍କ ସମାବେଶ ଦେଶରେ ବଢାଇଲା ସଂକ୍ରମଣ । ପ୍ରଥମ ଠାରୁ ଆହୁରି ବେକାବୁ ହେଉଛି ଦ୍ୱିତୀୟ ଲହର ।

316

କନକ ବ୍ୟୁରୋ: ଚଳିତ ବର୍ଷ ମାର୍ଚ୍ଚ ମାସ ଆରମ୍ଭରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଘୋଷଣା କରିଥିଲେ ଯେ, ଭାରତରେ କରୋନା ମହାମାରୀ ଶେଷ ହେବାକୁ ଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ପ୍ରଶଂସା କରି କହିଥିଲେ, ଭାରତ ଅର୍ନ୍ତରାଷ୍ଟ୍ରୀୟ ସହଯୋଗର ଏକ ଉଦାହରଣ ସୃଷ୍ଟି କରିଛି । ଭ୍ୟାକସିନ ଡିପ୍ଲୋମୋସି ଅନୁଯାୟୀ ଅନ୍ୟ ରାଷ୍ଟ୍ରଗୁଡିକୁ ଭାରତ ଟିକା ଯୋଗାଉଛି । ଗତବର୍ଷ ସେପ୍ଟେମ୍ବର ମାସରେ ଦେଶରେ ସଂକ୍ରମଣ ଶୀର୍ଷରେ ପହଂଚିଥିଲା । ସେହି ସମୟରେ ୯୦ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହେଉଥିଲେ । ଆଉ ଏହାପରେ ସଂକ୍ରମଣ ହ୍ରାସ ପାଇଥିଲା । ଏହାକୁ ନଜରରେ ରଖି ମହାମାରୀର ଶେଷ ସମୟ ଆସିଯାଇଥିବା କହିଥିଲେ କେନ୍ଦ୍ରମନ୍ତ୍ରୀ ।

ଫେବ୍ରୁଆରୀ ମଧ୍ୟଭାଗ ପର୍ଯ୍ୟନ୍ତ ଦେଶରେ ପ୍ରତିଦିନ ପାଖାପାଖି ୧୧ହଜାର ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ସାପ୍ତାହିକ ମୃତ୍ୟୁ ହାର ଶହେ ତଳକୁ ରହୁଥିଲା । ଏହାପରେ ଗତବର୍ଷ ଶେଷ ଆଡକୁ ମହାମାରୀ ଶେଷ ହୋଇଯାଇଥିବା ସମସ୍ତେ ଆକଳନ କରିସାରିଥିଲେ । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ମଧ୍ୟ କୁହାଯାଇଥିଲା ଯେ, ଭାରତର ଅର୍ଥନୀତି ଏବେ ସୁଧୁରିବାକୁ ଲାଗିଛି ।

ଫେବ୍ରୁୟାରୀ ଶେଷ ଆଡକୁ ଦେଶରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଂଚଳରେ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା । ଯାହା ପରେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା । ଏହି ସ୍ଥାନ ଗୁଡିକରେ ନିର୍ବାଚନୀ ପ୍ରଚାର ବେଳେ ଲୋକଙ୍କ ମୁହଁରେ ନା ରହିଲା ମାସ୍କ, ନା କିଏ ମାନିଲା ସାମାଜିକ ଦୂରତା । ହଜାର ହଜାର ଲୋକ ଏକାଠି ହୋଇ ନିର୍ବାଚନୀ ରାଲିରେ ମାତିଲେ ।

କେବଳ ଏତିକି ନୁହେଁ ମାର୍ଚ୍ଚ ମଧ୍ୟଭାଗରେ ଗୁଜରାଟରେ ହୋଇଥିବା ଭାରତ ଇଂଲଣ୍ଡ ମ୍ୟାଚରେ ୧ଲକ୍ଷ ୩୦ହଜାର ଦର୍ଶକ ଏକତ୍ରିତ ହୋଇଥିଲେ । ସେଠାରେ ମଧ୍ୟ କୋଭିଡ ନିୟମ ଉଲ୍ଲଙ୍ଘନ ହୋଇଥିଲା । ଏହାପରେ ପରେ ଛତିଶଗଡରେ ଆୟୋଜିତ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ମଧ୍ୟ କୋଭିଡ ସଂକ୍ରମଣକୁ ଆହୁରି ବଢାଇ ଦେଇଥିଲା । ଏହି ସବୁ ଘଟଣାର ମାତ୍ର ମାସକ ମଧ୍ୟରେ ସ୍ଥିତି ଓଲଟି ଯାଇଥିଲା । ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ହୁ ହୁ ହୋଇ ବଢିଚାଲିଲା ।