କନକ ବ୍ୟୁରୋ: ଘରବାଡ଼ି ବିବାଦ, କେତେ ବଡ଼ ଘଟଣା ଘଟାଇପାରେ ତାର ଚିତ୍ରସାମ୍ନାକୁ ଆସିଛି । ବଡ଼ ଭାଇଙ୍କୁ ସାନଭାଇ ଠେଙ୍ଗାରେ ଗୋଟିଏ ପାହାର ମାରିବା ପରେ, ସାନ ଭାଇର ପୁଅ ଏବଂ ସ୍ତ୍ରୀ ଆସି ମାଡ଼ ମାରିଚାଲିଥିଲେ । ପିଟିପିଟି ମାରିବା ସମୟର ଚିତ୍ର ସିସିଟିଭିରେ କଏଦ ହୋଇଛି । ଏହି ଆକ୍ରମଣରେ ଘଟଣାସ୍ଥଳରେ ବେହୋସ ହୋଇଯାଇଥିଲେ ବଡ଼ ଭାଇ । କିନ୍ତୁ କେତେ ବେଳେ ପ୍ରାଣବାୟୁ ଉଡ଼ିଗଲା କେହି ଜାଣିବି ପାରିନଥିଲେ । କେନ୍ଦ୍ରାପଡ଼ା ସଦର ଥାନା ଗଣେଷପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

Advertisment

ଅଭିଯୋଗ ଅନୁସାରେ, ଗଣେଶପୁର ଗାଁର ଦୁଇ ଭାଇ ବସନ୍ତ ଦାସ ଓ ଶରତ ଦାସଙ୍କ ମଧ୍ୟରେ ପୂର୍ବରୁ ଘରବାଡିକୁ ନେଇ ବିବାଦ ରହିଥିଲା । ବିବାଦ ଭିତରେ ସାନ ଭାଇ ଶରତ ଦାସଙ୍କ ପୁଅ ଅଜୟ ଦାସ ଲୋନ ପାଇଁ ଘରକୁ ଜଣେ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କୁ ଡାକି ଆଣିଥିଲେ । ଏହାକୁ ବିରୋଧ କରିଥିଲେ ବଡ଼ ଭାଇ ବସନ୍ତ ଦାସ । ଏଥିରେ ଉତକ୍ଷୀପ୍ତ ହୋଇ ବସନ୍ତଙ୍କୁ ଶରତ ଦାସ ଓ ତାଙ୍କ ପୁଅ ଅଜୟ ଦାସ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ପିଟିପିଟି ଦରମରା କରିବା ପରେ ବଚିଂଥିବା ଭାବି ଅଭିଯୁକ୍ତମାନେ ପୁଣି ତାଙ୍କୁ ତଂଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଗଣେଶପୁର ଗାଁର ଦାସ ପରିବାରର ତିନି ଭାଇ ଗୋଟିଏ ଠିକଣାରେ ଘର କରି ରହୁଥିଲେ । ତେବେ ବଡ଼ ଭାଇ ବସନ୍ତ ଦାସ, ସରକାରୀ ଚାକିରି କରୁଥିବାରୁ ୬ ବଖରା ଘର ନିଜେ କରିଥିଲେ ବୋଲି ଦାବି କରୁଥିଲେ । ତେଣୁ ଅନ୍ୟ ଦୁଇ ଭାଇମାନଙ୍କୁ ଟଙ୍କାପଇସା ନେଇ ଅନ୍ୟତ୍ର ଘର କରିବାକୁ କହୁଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଏତେ ବଡ଼ କାଣ୍ଡ ଘଟିଥିବା ଜଣାପଡ଼ିଛି । ଘଟଣା ଦିନ ଗୋଟିଏ ଭାଇ ଅନୁପସ୍ଥିତ ଥିବା ଜଣାପଡ଼ିଛି । ଏହି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଛି କେନ୍ଦ୍ରାପଡ଼ା ପୁଲିସ୍ ।