ଭାରତୀୟ ବଜାରରୁ ହଜି ଯିବ ହାର୍ଲି- ଡେଭିଡସନ ବାଇକ୍ । କେଉଁଠି କରିବେ ସର୍ଭିସ୍ ଓ ମେଣ୍ଟେନାନ୍ସ ଆସନ୍ତୁ ଦେଖିବା ଏହି ରିପୋର୍ଟ

93

କନକ ବ୍ୟୁରୋ : ବିଶ୍ୱର ପ୍ରସିଦ୍ଧ ବାଇକ ନିର୍ମାତା କମ୍ପାନୀ ହାର୍ଲି ଡେଭିଡସନ ଗତକାଲି ଠାରୁ ଭାରତୀୟ ବଜାରରେ ତା’ର ଉତ୍ପାଦନ ଓ ବିକ୍ରୟ ବନ୍ଦ କରିବା ପାଇଁ ଘୋଷଣା କରିଛି । କମ୍ପାନୀ ରିୱାଇର ନାମକ ପୁନଗଠନ ପ୍ରକ୍ରିୟା ଅଧିନରେ ଏଭଳି ନିଷ୍ପତ୍ତି ନେଇଛି । ଅଗଷ୍ଟ ମାସରେ ଏହି ବାଇକ ନିର୍ମାତା କମ୍ପାନୀ ଅର୍ନ୍ତଜାତୀୟ ବଜାରରେ କ୍ଷତିରେ ଚାଲୁଥିବାର ସୂଚନା ମିଳିଥିଲା । ଫଳରେ କମ୍ପାନୀ ବର୍ତମାନ ୟୁ,ଏସ୍ ମାର୍କେଟ ଉପରେ ଫୋକସ କରିବ ବୋଲି ଜଣାପଡିଛି ।

ଖରାପ ବିକ୍ରୟ ରେକର୍ଡ ଏବଂ କରୋନା ମହାମାରୀ କାରଣରୁ ଚାହିଦା ହ୍ରାସ ହେତୁ କମ୍ପାନୀକୁ ଏଭଳି ନିଷ୍ପତ୍ତି ନେବାକୁ ପଡିଛି ବୋଲି ଜଣାପଡିଛି । ଗତ ଆର୍ଥିକ ବର୍ଷରେ ଭାରତୀୟ ବଜାରରେ କମ୍ପାନୀ ମୋଟ ୨,୫୦୦ ହାର୍ଲି ଡେଭିଡସନ – ୟୁନିଟ୍ ବିକ୍ରି କରିଥିଲା । ଏହା ଭାରତୀୟ ବଜାରରେ କମ୍ପାନୀର ସବୁଠାରୁ ଖରାପ ପ୍ରଦର୍ଶନ ଥିଲା । ହେଲେ କମ୍ପାନୀ ବନ୍ଧ ହେବା ପରେ ଭାରତୀୟ୍ର ବଜାର ପାଇଁ କାମ କରୁଥିବା ୭୦ ହଜାର କର୍ମଚାରୀଙ୍କୀ ଭାଗ୍ୟ ଓ ଭବିଷ୍ୟତ ଏବେ ଅନ୍ଧାର ଭିତରକୁ ଠେଲି ହୋଇ ଯାଉଥିବା ବେଳେ କର୍ମଚାରୀଙ୍କ ପାଇଁ କିଭଳି ବ୍ୟବସ୍ଥା କରାଯିବ ସେ ନେଇ କମ୍ପାନୀ ପକ୍ଷରୁ କିଛି ସ୍ପଷ୍ଟ ହୋଇନାହିଁ ।

ଭାରତୀୟ ବଜାରରେ କମ୍ପାନୀର ସ୍ଥିତିକୁ ଅନୁଧ୍ୟାନ କଲେ ଚଳିତ ଆର୍ଥିକ ବର୍ଷରେ କମ୍ପାନୀ ଭାରତୀୟ ବଜାରରେ ୨୨ ପ୍ରତିଶତ କମ୍ କାରବାର କରିଥିଲା । ଏହି ବର୍ଷ କମ୍ପାନୀ ମୋଟ ୨,୬୭୬ ୟୁନିଟ ବିକ୍ରି କରିଥିଲା । ହେଲେ ପୂର୍ବ ଆର୍ଥିକ ବର୍ଷରେ କମ୍ପାନୀ ୩.୪୧୩ ୟୁନିଟ୍ ବିକ୍ରି କରିଥିଲା । ଭାରତରେ ବିକ୍ରି ହୋଇଥିବା ମୋଟ ୟୁନିଟରୁ ୬୫ ପ୍ରତିଶତ ବାଇକ ୭୫୦ ସିସି ଅଧିନରେ ଥିଲା । ଅନ୍ୟପଟେ ହାର୍ଲି – ଡେଭିଡସନ୍ ଓଟ୍ରୋମେଟିକ୍ ବ୍ରାଣ୍ଡରେ ଯୋଗ ଦେଇଛି । ଯାହା ଆସନ୍ତା ୩ ରୁ ୪ ବର୍ଷ ମଧ୍ୟରେ ଭାରତୀୟ ବଜାରରେ ତା’ର ଉତ୍ପାଦ ଛାଡିବ ବୋଲି ନିଷତପତ୍ତି ନିଆଯାଇଥିବା ଜଣାପଡିଛି । ଏହି ତାଲିକାରେ ଜେନେରାଲ ମୋଟର୍ସ, ଫେଏଟ୍, ସାଙ୍ଗୟଙ୍ଗ, ସ୍କାନିଆ, ମ୍ୟାନ୍ ଓ ୟୁଏମ ମୋଟରସାଇକେଲ ସାମିଲ ରହିଛି ।

ମାତ୍ର କିଛି ବର୍ଷ ପୂବେ ହାର୍ଲି- ୩୫୦ ସିସି ଇଞ୍ଜିନ ବାଇକ ତିଆରି କରିବାକୁ ଏକ ଚାଇନିଜ୍ କମ୍ପାନୀ କିୟାଙ୍ଗଙ୍ଗ ସହିତ ଏକ ବୁଝାମଣା କରିଥିଲା । ବୁଝାମଣା ମୁତାବକ ୨୦୨୦/୨୧ ଆର୍ଥିକ ବର୍ଷରେ ଏହି ବାଇକ ଭାରତୀୟ ବଜାରକୁ ଆସିବାର ଥିଲା । ହେଲେ ଏନେଇ ଏବେ କିଛି ସୂଚନା ମିଳିପାରି ନାହିଁ । ସେପଟେ ହାର୍ଲି ଡେଭିଡସନ ସହ ପ୍ରତିଦ୍ୱନ୍ଦିତା କରୁଥିବା ବ୍ରାଣ୍ଡଗୁଡିକ ହେଉଛି ଟ୍ରିୟାଥଲନ୍ , ବେନେଲି, କାୱାସିକ୍, ଦୁକାଟା, ଏପ୍ରିଲିଆ, ୟାମହା, ସୁଜୁକି, ଓ ହୋଣ୍ଡା ବାଇକ । ଗୋଟିଏ ପଟେ ଏହି ବାଇକ ନିର୍ମାତା ଭାରତୀୟ ବଜାର ଛାଡୁଥିବା ବେଳେ ଏହି ବାଇକ କିଣିଥିବା ଗ୍ରାହକ ମାନେ ଏବେ ଚିନ୍ତାରେ । କାରଣ ବାଇକର ସର୍ଭିସ ଓ ମେଣ୍ଟେନାନ୍ସ କିଭଳି ଓ କେଉଁଠି ହେବ ସେ ନେଇ ସେମାନଙ୍କର ଚିନ୍ତା ବଢିଛି । ଏପଟେ କମ୍ପାନୀ କହିଛି କି ଭାରତୀୟ ବଜାରରେ ତା’ର ଉତ୍ପାଦ ଓ ବିକ୍ରି ବନ୍ଦ କରାଗଲେ ବି ସର୍ଭିସ ଓ ମେଣ୍ଟେନାନ୍ସ ଚାଲୁ ରହିବ ।