କନକବ୍ୟୁରୋ: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଂଚଳ ଭଡ଼ାଘରୁ ସନ୍ଦେହଜନକ ଅବସ୍ଥାରେ ଯୁବତୀଙ୍କ ମୃତଦେହ ମିଳିବା ଘଟଣାରେ ରହସ୍ୟ ବଢ଼ିବାରେ ଲାଗିଛି । ପାରିପାଶ୍ୱିର୍କ ସ୍ଥିତିକୁ ନେଇ ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ଭଉଣୀ । ସେପଟେ ପୁରୁଷ ବନ୍ଧୁଙ୍କୁ ନେଇ ବଢୁଛି ସସପେନ୍ସ । ଭଡା ଘରୁ ମିଳିଲା ବାରଗାର୍ଲଙ୍କ ସନ୍ଦେହଜନକ ମୃତଦେହ । ପାରିପାଶ୍ୱିର୍କ ଅବସ୍ଥାକୁ ନେଇ ହତ୍ୟାକାଣ୍ଡ ଅଭିଯୋଗ ଆଣିଲେ ଭଉଣୀ ।

ଘଟଣା ଘଟିଛି ଭୁବନେଶ୍ୱର ବଡଗଡ ଥାନା ଅଂଚଳରେ । ତିର୍ତୋଲ ଅଲଣା ଗାଁର ସୁଲୋଚନା ଦାସ ନିଜ ପୁରୁଷ ବନ୍ଧୁଙ୍କ ସହ ଭୁବନେଶ୍ୱରରେ ରହି ଆସୁଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ପୁରୁଷ ବନ୍ଧୁଙ୍କ ଫୋନକଲ ପାଇ ମୃତ ସୁଲୋଚନାଙ୍କ ପରିବାର ଘଟଣାସ୍ଥଳରେ ପହଂଚିଥିଲେ । ଘର ଭିତରେ ଯୁବତୀଙ୍କ ଝୁଲନ୍ତା ମୃତ ଦେହ ସହ ବହୁତ ଗୁଡିଏ ଖାଲି ମଦ ବୋତଲ ଦେଖିବାକୁ ମିଳିଥିଲା । ସେନେଇ ପରିବାର ଲୋକଙ୍କ ସନ୍ଦେହ ବଢିଥିଲା ।

ପରିବାର ଲୋକଙ୍କ ଅଭିଯୋଗ ତାଙ୍କ ପୁରୁଷବନ୍ଧୁ ହିଁ ଏହି ପୁରା ଘଟଣା ସଂପର୍କରେ ସବୁକିଛି ଜାଣିଛନ୍ତି । ତାଙ୍କ ଭଉଣୀଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ କରିଛନ୍ତି ।
ମୃତ ଦେହକୁ ଜବତ କରି ତଦନ୍ତ ଚଳାଇଛି ବଡଗଡ ପୁଲିସ । ପରିବାର ଲୋକଙ୍କ ବୟାନ ରେକର୍ଡ କରିବା ସହ ବାର କର୍ମଚାରୀଙ୍କୁ ପଚରା ଉଚରା କରିଛି ପୁଲିସ ।

ତେବେ ମୃତ୍ୟୁ କେମିତି ହେଲା, ପୁରୁଷବନ୍ଧୁ ଏନେଇ କେମିତି ଜାଣିଲେ ଓ ପରିବାର ଲୋକଙ୍କୁ ତଥ୍ୟ ଦେଲେ ସେନେଇ ଖୋଲତାଡ ଚାଲିଛି । ତେବେ ମୃତ ବାରଗାର୍ଲଙ୍କ କଲ ଡିଟେଲ୍ସ ରେକର୍ଡର ଯାଂଚରୁ ପୁଲିସକୁ ବହୁ ତଥ୍ୟ ମିଳିପାରେ ବୋଲି ପୁଲିସ ଅନୁମାନ କରୁଛି ।