କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ହାବସପୁରୀ ଶାଢି ରାଜ୍ୟ ତଥା ଦେଶ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କିନ୍ତୁ ହାବସପୁରୀ ଶାଢ଼ୀର ପ୍ରଚାର ଓ ପ୍ରସାର ପାଇଁ ସରକାର କିମ୍ବା ପ୍ରଶାସନର ତତ୍ପରତା ଦେଖାଉ ନଥିବାରୁ ଏବେ ଏହା ବିଲୁପ୍ତ ହେବାକୁ ବସିଛି । ଫଳରେ ବୁଣାକାରମାନେ ମଧ୍ୟ ରୋଜଗାର ହରାଇ ଘରେ ବସିଛନ୍ତି । ଆଉ ଏହି ସମୟରେ କଳାହାଣ୍ଡିର ଫ୍ୟାସନ ଡ଼ିଜାଇନର ସୁଜିତ କୁମାର ମେହେର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି । ବୁଣାକାରଙ୍କୁ ବିଭିନ୍ନ ପ୍ରକାର ସମ୍ବଲପୁରୀ ବସ୍ତ୍ର ତିଆରି କରିବାର ତାଲିମ ଦେବା ସହ ବିକ୍ରି କରିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି ସୁଜିତ ।

Advertisment

ଉନବିଂଶ ଶତାବ୍ଦୀରୁ କଳାହାଣ୍ଡି କନ୍ଧ ଜନଜାତିର ଲୋକମାନେ ହାବସପୁରୀ ଶାଢ଼ି ବୁଣିବା କାମ ଆରମ୍ଭ କରିଥିଲେ । ଭୂଲିଆ ବା ମେହେର ସମ୍ପଦ୍ରାୟ ଲୋକମାନଙ୍କର ନିଜର କଳାକୌଶଳ ଓ କାରିଗରୀ ବିଦ୍ୟାର ପରିଚୟ ଏହି ଶାଢ଼ୀକୁ ହାବସପୁରୀ ଶାଢ଼ୀ ବୋଲି କୁହାଯାଏ । ହାବସପୁରୀ ଶାଢ଼ିରେ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ବିିଭିନ୍ନ କଳାକୃତି ବୁଣାଯାଇଥାଏ । ୧୯୫୧ ମସିହାରେ ଏହି ହାବସପୁରୀ ଶାଢ଼ି ଦିଲ୍ଲୀର ପ୍ରଦର୍ଶନୀ ପଡ଼ିଆରେ ଭାଗ ନେଇ ଆଦୃତ ହୋଇଥିଲା । ବର୍ତମାନ ବିଭିନ୍ନ ମେସିନ୍ ବୁଣା ଶାଢ଼ି ବଜାରକୁ ଆସିବା ଯୋଗୁଁ ହାତବୁଣା ଶାଢ଼ିର ଚାହିଦା କମିବାକୁ ଲାଗିଛି । ଆଉ ଏହି ସମୟରେ ଫ୍ୟାସନ ଡ଼ିଜାଇନରଙ୍କ ଏପରି ଉଦ୍ୟମ ବୁଣାକାରଙ୍କୁ ରୋଜଗାର ଦେବା ନେଇ ଆଶା କରାଯାଉଛି ।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପ୍ରକାରର ଶାଢ଼ି ପ୍ରସ୍ତୁତ କରାଯାଏ । ସେଥିମଧ୍ୟରୁ ସମ୍ବଲପୁରୀ ଶାଢ଼ି, ବରପାଲି ଶାଢ଼ି, ସୋନପୁରୀ ଶାଢ଼ି, ବାନ୍ଧ ଶାଢ଼ି, ବଉଦ ଶାଢ଼ି ଆଦି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । କଳାହାଣ୍ଡି ଜିଲ୍ଲାର ଚିଚେଇଗୁଡ଼ା, ହାବସପୁରି ଶାଢ଼ି ଲାଗି ବେଶ ନାମ କରିଥିଲା । ତେବେ ଫ୍ୟାସନ ଡ଼ିଜାଇନରଙ୍କ ଉଦ୍ୟମ କ୍ରମେ ନିଜ ଅଂଚଳର ବୁଣାକାରଙ୍କ ହାତ ତିଆରି ବିଭିନ୍ନ ପ୍ରକାର ବସ୍ତ୍ର ପାଖରେ ପାଇ ଖୁବ ଖୁସି ଅଛନ୍ତି ଗ୍ରାହକ ।