କନକ ବ୍ୟୁରୋ : କାନ୍ଥରେ ବିଜ୍ଞାପନ ଛାପି ଲଗାଇ ଫାଇନ ଗଣିଲେ ଜିମ୍ ମାଲିକ । ରାଜଧାନୀ ଭୁବନେଶ୍ୱର ବାପୁଜୀ ନଗର ଅଞ୍ଚଳରେ ଥିବା ଆଭିସ୍ ଫିଟନେସ ନାମକ ଜିମ ସଂସ୍ଥା ଠାରୁ ୫୦ହଜାର ଟଙ୍କା ଫାଇନ ଆଦାୟ କରିଛି ଭୁବନେଶ୍ୱର ମହାନଗର ନିଗମ । ଭୁବନେଶ୍ୱର ସହରର କାନ୍ଥ ଓ ବିଦ୍ୟୁତ୍ ଖୁଣ୍ଟରେ ଟୁ-ଲେଟର ବିଜ୍ଞାପନ ନ ଲଗାଇବାକୁ ବିଏମସି ପକ୍ଷରୁ ବାରମ୍ବାର ସଚେତନତା କରାଯାଉଥିଲେ ମଧ୍ୟ ଏହାକୁ ଅମାନ୍ୟ କରୁଥିବା ଅମାନିଆଙ୍କ ଠାରୁ ଫାଇନ ଆଦାୟ କରୁଛି ବିଏମସି ।
ପୂର୍ବରୁ ଗତ ୧୨ତାରିଖରେ ମଧ୍ୟ ବିଜ୍ଞାପନ ଦେଇଥିବା ୩ ଜଣଙ୍କଠାରୁ ଜରିମାନା ଆଦାୟ କରିବା ସହ ବିଜ୍ଞାପନ ଲଗାଇଥିବା ସଂସ୍ଥା ନାଁରେ ଏତଲା ମଧ୍ୟ ଦେଇଥିଲା ବିଏମସି । କିନ୍ତୁ ବଡ କଥା ହେଉଛି ବିଏମସି କେବଳ ସାଧାରଣ ଲୋକ ତଥା ବ୍ୟବସାୟୀଙ୍କ ଉପରେ ଜରିମାନା ଲାଗୁ କରିବ କି? କାରଣ ରାଜଧାନୀର ବିଭିନ୍ନ କାନ୍ଥବାଡରେ ଶାସକ ଦଳ ବିଜେଡିର ପୋଷ୍ଟର ରହିଛି, ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥନରେ ମଧ୍ୟ ପୋଷ୍ଟର ରହିଛି ।