କନକ ବ୍ୟୁରୋ: ସମ୍ବଲପୁରରେ କର୍ଫ୍ୟୁ ହଟିଯାଇଛି, ସହରରେ ଶାନ୍ତି ଫେରି ଆସୁଛି, କିନ୍ତୁ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସାକୁ ନେଇ ରାଜନୀତି ଥମିବାର ନାଁ ନେଉନି । ଏବେ ସମ୍ବଲପୁର ଏସପି ଓ ରାଜ୍ୟ ସରକାରଙ୍କୁ ଗୁଇନ୍ଦା ବିଭାଗ ଆଗୁଆ ସତର୍କ କରିଥିଲେ ବି କାହିଁକି ହିଂସା ରୋକା ଯାଇ ପାରିଲାନି, ଏ ନେଇ ସରକାରଙ୍କୁ ଘେରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ ।

Advertisment

ଗୃହ ବିଭାଗର ଦାୟିତ୍ୱରେ ମୁଖ୍ୟମନ୍ତ୍ରୀ ରହିଥିବାରୁ ଘଟଣା ପାଇଁ ତାଙ୍କୁ ଦାୟୀ କରାଯିବା କଥା ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ ପ୍ରଶ୍ନ କରିଛନ୍ତି –ଗୁଇନ୍ଦା ବିଭାଗ ସତର୍କ କରିଥିବା ସତ୍ତେ୍ୱ କାହିଁକି ହିଂସାକୁ ରୋକା ଯାଇପାରିଲାନି? ଘଟଣାର ୪୮ ଘଂଟା ଭିତରେ ଅପରାଧୀଙ୍କୁ ଧରିବାରେ କାହିଁକି ଫେଲ୍ ମାରିଲା ପ୍ରଶାସନ?

ସେପଟେ କଂଗ୍ରେସ ଏହାକୁ ପ୍ରାୟୋଜିତ ଦଙ୍ଗା ବୋଲି ଆକ୍ଷେପ କରିଛି । କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି – ଦିନକ ପୂର୍ବରୁ ଗୁଇନ୍ଦା ବିଭାଗ ସମ୍ଭାବ୍ୟ ହିଂସା ନେଇ ସତର୍କ କରାଇଥିଲେ । କେନ୍ଦ୍ର ସରକାର କେବଳ ଆଡଭାଇଜରୀ ଜାରି କରି ଚୁପ୍ ହୋଇ ବସିଥିଲେ । ଘଟଣା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ।

ବିରୋଧୀଙ୍କ ଅଭିଯୋଗର ଜବାବ ରଖିଛି ବିଜେଡି । ବିଧାୟକ ଶଶୀ ଭୂଷଣ ବେହେରା କହିଛନ୍ତି –ନବୀନ ପଟ୍ଟନାୟକଙ୍କ ସରକାରର ମୂଳମନ୍ତ୍ର ହେଉଛି ସାମ୍ପ୍ରଦାୟିକ ସଦଭାବ । ଏହାକୁ ପଣ୍ଡ କରିବାକୁ କେହି ଚକ୍ରାନ୍ତ କଲେ ଓଡ଼ିଶାର ଜନସାଧାରଣ ଜବାବ ଦେବ ।

ହିଂସାକାଣ୍ଡର ଦିନକ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୧୧ ତାରିଖରେ ଗୁଇନ୍ଦା ବିଭାଗ ସମ୍ବଲପୁର ଏସପିଙ୍କୁ ଦେଇଥିଲେ ଚିଠି । ୧୨ ତାରିଖ ଅପରାହ୍ଣ ୩ଟାରେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ବିଶାଳ ବାଇକ ରାଲି ନେଇ ସୂଚନା ଦିଆଯାଇଥିଲା । କେତେ ସଦସ୍ୟ କେତେ ବାଇକ୍ ରାଲିରେ ଭାଗ ନେବେ ଚିଠିରେ ସବୁ ସୂଚନା ଦେଇଥିଲେ ଗୁଇନ୍ଦା ଏସପି । କେଉଁ ରୁଟ୍ ଦେଇ ବାଇକ୍ ରାଲି ଯିବ, କାହିଁକି ଗୋଷ୍ଠୀ ସଂଘର୍ଷ, ହିଂସାକାଣ୍ଡ ଘଟିବା ସମ୍ଭାବନା ରହିଛି ତାହା ମଧ୍ୟ ଚିଠିରେ ଉଲ୍ଲେଖ ରହିଥିଲା । ତେଣୁ ଆଗୁଆ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲା ଗୁଇନ୍ଦା ବିଭାଗ । ଏ ସଂପର୍କରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଆଇନ ଶୃଙ୍ଖଳା ଏଡିଜି, ଉତ୍ତରାଂଚଳ ଆଇଜି, ସମ୍ବଲପୁର ସ୍ପେଶାଲ୍ ବ୍ରାଂଚ ଜୋନାଲ୍ ଡିଏସପିକୁ ଅବଗତ କରାଯାଇଥିଲା ।
ଏଠି ପ୍ରଶ୍ନ ଉଠୁଛି - ଗୁଇନ୍ଦା ବିଭାଗ ଆଗୁଆ ସତର୍କ କରିବା ପରେ
କାହିଁକି ହିଂସା ରୋକିବାରେ ଅସମର୍ଥ ହେଲା ପୁଲିସ ପ୍ରଶାସନ?
ଗୁଇନ୍ଦା ବିଭାଗର ଚିଠିକୁ ହାଲୁକା ଭାବେ ନେଇଥିଲେ କି ଜିଲ୍ଲା ଅଧିକାରୀ?