କନକ ବ୍ୟୁରୋ: ମୌସୁମୀର ଲୁଚକାଳି ଖେଳ । ଶ୍ରାବଣରେ ଜମି ଫାଟି ଆଁ କରିଛି । ମୁଣ୍ଡରେ ହାତ ଦେଇ ବସିଛି ଚାଷୀ  । ମୌସୁମୀ ଆରମ୍ଭରୁ ଧୋକା ଦେବାରୁ ଜୁନ୍ରେ ବର୍ଷା ପରିମାଣ କମିଗଲା । ଜୁଲାଇରେ  ସ୍ଥିତିରେ ପରିବର୍ତନ ହେବ ବୋଲି ଆଶା ରହିଥିଲା । କିନ୍ତୁ ମାସର ପ୍ରଥମ ୧୦ଦିନ ବି ବର୍ଷା ଉଭାନ ହୋଇଯାଇଛି । ଆବଶ୍ୟକୀୟ ପରିମାଣର ବର୍ଷା ହୋଇନଥିବାରୁ ଶ୍ରାବଣରେ ମଧ୍ୟ ଚାଷ କାମ ଆଗେଇ ପାରୁନାହିଁ । ଶିଳ୍ପ ବିହୀନ ନବରଙ୍ଗପୁର ଜିଲ୍ଲାରେ ଚାଷ ହିଁ ଏକମାତ୍ର ଜୀବିକା । କିନ୍ତୁ ନଦୀନଳ ପରିଚାଳନାରେ ସରକାରଙ୍କ ବିଫଳତା ଏବଂ ସେଚ ପ୍ରକଳ୍ପ ନିର୍ମାଣ କରିବାରେ ପ୍ରଶାସନର ଉଦାସୀନତା ଚାଷୀଙ୍କୁ ହୀନସ୍ତା ହେବାକୁ ପଡୁଛି । ତଥାପି ବର୍ଷାକୁ ଭରସା କରି ନବରଙ୍ଗପୁରର ଚାଷୀ ଧାନ ସହ ମକା ଏବଂ ଆଖୁ ଫସଲ କରିଥାନ୍ତି  ।

Advertisment

ତେବେ ଚଳିତ ବର୍ଷ ବର୍ଷା ଅଭାବରୁ ସ୍ଥିତି ବିଗିଡି ଯାଇଛି । ଏ ବର୍ଷ ଜିଲ୍ଲାରେ ୧ ଲକ୍ଷ ହେକ୍ଟର ଜମିରେ ଧାନ ଚାଷ ପାଇଁ କୃଷି ବିଭାଗ ଲକ୍ଷ୍ୟ ରଖିଥିଲା । ତେବେ ଜୁନ୍ ମାସରେ ୧୨୪ମିମି ବର୍ଷା ହୋଇଥିବା ବେଳେ ଜୁଲାଇ ମାସରେ ଆଦୌ ବର୍ଷା ନାହିଁ କହିଲେ ଚଳେ । ଜୁଲାଇ ୫ରୁ ୮ତାରିଖ ମଧ୍ୟରେ ସ୍ୱଳ୍ପ ବୃଷ୍ଟିପାତ ହୋଇଛି । ମୌସୁମୀ ବର୍ଷା ଉପରେ ନିର୍ଭର କରୁଥିବା ଜିଲ୍ଲାର ୮୫ପ୍ରତିଶତ ଜମି ଏବେ ପଡ଼ିଆ ପଡ଼ିଛି  । ବଳକା ୧୫ପ୍ରତିଶତ ଜମିରେ ଉଠା ଜଳସେଚନ ପ୍ରକଳ୍ପ ଓ ଜଳାଶୟ ଯୋଗୁଁ ଅଳ୍ପ କିଛି କାମ ହୋଇଛି  । ଅଧିକାଂଶ ଜମି ପୂରା ଶୁଖିଲା ରହିଥିବାରୁ ୩ରୁ ୪ଦିନ ମଧ୍ୟରେ ପ୍ରବଳ ବର୍ଷା ନହେଲେ ତଳି ପୋଡ଼ିଯିବ ବୋଲି ନବରଙ୍ଗପୁର ଚାଷୀ କହିଛନ୍ତି ।

ବର୍ଷା ଅଭାବରୁ ଚାଷ ପାଇଁ ପାଣିର ଅଭାବ ହୋଇଛି । ଧାନ ଚାଷ ପାଇଁ କାଦୁଅ ହୋଇପାରୁନି କି ତଳି ରୁଆ ହୋଇପାରୁନି । ତେଣୁ ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି ନୟାଗଡ ଭାଟସାହି ଅଂଚଳର ଧାନ ବିଲ । ସେପଟେ ପାରା ଖାଇଯାଉଥିବାରୁ ବିଲ ମୁଣ୍ଡରେ ତଳି ଜଗି ବସିଛନ୍ତି ମହିଳା ଚାଷୀ । ଖାଇବା ପିଇବା ସବୁ ଏଇଠି କରୁଛନ୍ତି । ଅପେକ୍ଷା କରିଛନ୍ତି, ବର୍ଷା ହେଲେ ତଳି ଉଠି ଗଲେ ଜମିରେ  ଜଗିବା କାମ ସରିଯିବ । ହେଲେ ବର୍ଷା ହେଉନାହିଁ, ତେଣୁ ନୟାଗଡରେ କେଉଁଠି ତଳି ବୁଢା ହେଲାଣି ତ କେଉଁଠି ତଳି ପୋଡି ଗଲାଣି । ତେଣୁ ଚାଷ କାମକୁ ନେଇ ଚାଷୀ ଆଶା ଆଶଙ୍କାରେ ପଡିଛନ୍ତି ।