ଆଷାଢ଼ରେ ଫାଟିଲା ଭୂଇଁ। ଲୁଚକାଳି ଖେଳିଲା ମୌସୁମୀ, ନିଅଣ୍ଟିଆ ବର୍ଷାରେ ସରିଗଲା ଜୁନ୍।

84

କନକ ବ୍ୟୁରୋ: ଆରମ୍ଭରୁ ହିଁ ଲୁଚକାଳି ଖେଳୁଛି ମୌସୁମୀ । ନା ହେଲା ପ୍ରାକ୍ ମୌସୁମୀ ବର୍ଷା, ନା ରାଜ୍ୟରେ ମୌସୁମୀ ପ୍ରବେଶ କରିବା ପରେ ଭଲ ବର୍ଷା ହେଲା । ଏମିତି ଏମିତିରେ ସରିଗଲା ଜୁନ୍ । ପାଣିପାଗ ବିଭାଗର ତଥ୍ୟ କହୁଛି, ଓଡ଼ିଶାରେ ଜୁନ ମାସରେ ହୋଇଛି ମାତ୍ର ୧୩୧ ମିଲିମିଟର ବର୍ଷା । ଯାହା ସ୍ୱାଭାବିକ ଠାରୁ ୩୯ ପ୍ରତିଶତ କମ୍ । କେବଳ ବୌଦ୍ଧ ଜିଲ୍ଲାରେ ୪୨.୩ ପ୍ରତିଶତ ଅଧିକ ବର୍ଷା ହୋଇଛି । ଢେଙ୍କାନାଳ, ରାୟଗଡ଼ା, ନୂଆପଡ଼ା ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଆଉ ସବୁଠି ନିଅଂଟିଆ ବର୍ଷା ।

ଆଷାଢ଼ରେ ଜମି କାଦୁଅ ହୋଇଥାଏ, ହେଲେ ଏଥର ବର୍ଷା ଅଭାବରୁ ମାଟି ଫାଟିଗଲାଣି । ଉପକୂଳ ଓଡ଼ିଶା ହେଉ କି ପଶ୍ଚିମ ଓଡ଼ିଶା, ରାଜ୍ୟର ଅଧିକାଂଶ ସ୍ଥାନରେ ଏଭଳି ଚିତ୍ର ସାମ୍ନାକୁ ଆସିଛି । ଅକ୍ଷି ମୁଠି ଅନୁକୁଳ ପରେ ଆରମ୍ଭ ହୋଇଯାଏ ଚାଷ କାମ । ହେଲେ ବର୍ଷା ଅଭାବରୁ ଶୁଖିଲା ପଡିଛି ହଜାର ହଜାର ହେକ୍ଟର ଚାଷ ଜମି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡରେ ବର୍ଷା ଅଭାବରୁ ଏକମାତ୍ର ଖରିଫ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀ ଏବେ ଚିନ୍ତାରେ ।

ଏପଟେ ଉପକୂଳ ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଗଜା ମରୁଡ଼ି ଆଶଙ୍କା ଦେଖାଦେଇଛି । ଏ ହେଉଛି କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଚିତ୍ର । ହଜାର ହଜାର ହେକ୍ଟର ଜମି ପଡ଼ିଆ ପଡ଼ିଛି । ଜମିରେ ଗାଈ ଗୋରୁ ଚରୁଥିବା ଦେଖିବାକୁ ମିଳୁଛି । ରୁଆ, ବେଉସଣ କାର୍ଯ୍ୟ ଅଧାରେ ÷ଟକି ରହିଛି ।

ପୁରୀ ଜିଲ୍ଲା କାକଟପୁର ଓ ଅସ୍ତରଙ୍ଗର ଚିତ୍ର ମଧ୍ୟ ଏକାଭଳି । ବର୍ଷା ଅଭାବରୁ ଚାଷ ଜମି ଫାଟି ଆଁ କରିଛି । ମୌସୁମୀର ଲୁଚକାଳି ଖେଳ ଯୋଗୁଁ ଚାଷ ଉଜୁଡ଼ି ଯିବା ଆଶଙ୍କା ଦେଖାଦେଇଛି । ନଦୀ, ପୋଖରୀ ଓ ଅନ୍ୟ ଜଳାଶୟରେ ଶୁଖିଗଲାଣି । ଧାନ ଜମିରେ ଗାଈ ମଇଁଷୀ ଚରୁଥିବା ଦେଖି ହତାଶ ହୋଇ ପଡୁଛି ଚାଷୀ ।

ଜୁଲାଇରେ ଭଲ ବର୍ଷା ହେବ ବୋଲି ଆଶା ଦେଖାଇଛି ପାଣିପାଗ ବିଭାଗ । ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ବିଶେଷଜ୍ଞମାନେ କହିଛନ୍ତି, ଧୁଳିଆ ଗୁଣ୍ଡିଚା ହୋଇଛି, କାଦୁଆ ବାହୁଡ଼ା ଯାତ୍ରା ହେବ ।