ବିନା ବାଜାରେ ଯିବ ବର : ମଣ୍ଡପ ଓ ହୋଟେଲ ପାଇଁ ଜାରି ହେବ ଏସ୍‌ଓପି

761

କନକ ବ୍ୟୁରୋ : ଆଗକୁ ବାହାଘର ଋତୁ ଆସୁଥିବାବେଳେ ଲୋକ ଏବେ ମଣ୍ଡପ, ହୋଟେଲ, ବ୍ୟାଣ୍ଡ ପାର୍ଟି, ଫୁଲ, କ୍ୟାଟରିଂ ଆଦି ବୁକିଂ କରୁଛନ୍ତି । ଠିକ୍‌ ଏହି ସମୟରେ ବିଏମ୍‌ସି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି । ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବାହାଘର ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ । ହେଲେ ସେମାନଙ୍କୁ କରୋନା କଟକଣା ମାନି ସମସ୍ତ କାର୍ଯ୍ୟକ୍ରମ କରିବାକୁ ହେବ । ନଚେତ୍‌ ହୋଟେଲ/ମଣ୍ଡପକୁ ସିଲ୍‌ କରାଯିବ ।

ଶ୍ରୀ ଚୌଧରୀ କହିଛନ୍ତି ଯେ, ବାହାଘରରେ କୌଣସି ପ୍ରକାରର ଶୋଭାଯାତ୍ରା ହେବନି କି ବାଜା, ଡିଜେ ବାଜିବନି । ବର ବିନା ଶୋଭାଯାତ୍ରାରେ ବିବାହ ମଣ୍ଡପକୁ ଯିବ । କରୋନା ମହାମାରୀ ପାଇଁ ଏହି କଟକଣା ଲାଗୁ ହୋଇଛି। ସମସ୍ତେ ଏହାକୁ ମାନିବାକୁ ବାଧ୍ୟ । ଏହାବ୍ୟତୀତ ଯେଉଁମାନେ ବିବାହ କିମ୍ବା କୌଣସି ପ୍ରକାରର ଉତ୍ସବ କରୁଛନ୍ତି ସେମାନେ ବିଏମ୍‌ସିରୁ ଅନୁମତି ନେଇ କାର୍ଯ୍ୟକ୍ରମ କରନ୍ତୁ । ନଚେତ୍‌ ବିଏମ୍‌ସି ସ୍କ୍ବାଡ୍‌ ଚଢ଼ଉ କରି ଜରିମାନା ଆଦାୟ ସହ ମଣ୍ଡପ/ହୋଟେଲ ସିଲ୍‌ କରିବ । କମିସନର କହିଛନ୍ତି ଯେ, ବିବାହ ଉତ୍ସବରେ ଯୋଗଦେଉଥିବା ସମସ୍ତ ଲୋକ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ୨ମିଟର ସାମାଜିକ ଦୂରତା ରଖିବେ । ମଣ୍ଡପ/ହୋଟେଲରେ ବିଭିନ୍ନ ସ୍ଥାନରେ ହାତ ଧୋଇବା ବା ହାତ ବିଶୋଧନ ବ୍ୟବସ୍ଥା ରଖିବାକୁ ହେବ।
ଯେଉଁମାନଙ୍କର ଥଣ୍ଡା, ଜ୍ୱର ହୋଇଥିବ ସେମାନଙ୍କୁ ବାରଣ କରିବାକୁ ହେବ । ଏହାବ୍ୟତୀତ ବିବାହ ଉତ୍ସବ ସମୟରେ ମଣ୍ଡପ/ହୋଟେଲଗୁଡ଼ିକରେ କି ପ୍ରକାରର ବ୍ୟବସ୍ଥା ରହିବା‌ ଦରକାର ସେନେଇ ଏସ୍‌ଓପି ଜାରି ହେବ । ମୁଖ୍ୟତଃ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା ପାଇଁ ଯଦି କେହି ଅଳ୍ପ ଲୋକଙ୍କୁ ନେଇ କାର୍ଯ୍ୟକ୍ରମ କରୁଥିବେ ତେବେ ସେ ବିଏମ୍‌ସିରେ ଆବେଦନ କରି ଅନୁମତି ନେଇପାରିବେ । ସେହିପରି ବିଏମ୍‌ସି ପୂର୍ବରୁ ଗତ ମାର୍ଚ୍ଚ ମାସ ପୂର୍ବରୁ ଯେଉଁ ମଣ୍ଡପଗୁଡ଼ିକ ସିଲ୍‌ କରାଯାଇଛି ସେଗୁଡ଼ିକୁ ଦେଖି ଲୋକ ମଣ୍ଡପ ବୁକିଂ କରନ୍ତୁ । ଯେଉଁ ମଣ୍ଡପକୁ ଯେଉଁ ନିୟମ ଉଲ୍ଲଂଘନ ପାଇଁ ସିଲ୍‌ କରାଯାଇଥିଲା ସେମାନେ ଯଦି ତାହା ପୂରଣ କରି ବିଏମ୍‌ସିରୁ ଏନ୍‌ଓସି ପାଇଥିବେ ତେବେ ସେଗୁଡ଼ିକୁ ଲୋକ ବୁକିଂ କରିପାରିବେ ।