ଦୁଗ୍ଧଚାଷୀଙ୍କ ମହାନତା। ମାଗଣାରେ ବସ୍ତି ପିଲାଙ୍କୁ କ୍ଷୀର ବାଣ୍ଟୁଛନ୍ତି ଅସ୍ମିତ୍।

132

କନକ ବ୍ୟୁରୋ: କରୋନାର ଲକଡାଉନ୍ ଗୋପାଳକ ତଥା ଦୁଗ୍ଧ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି । ଲକଡାଉନରେ ଯାତାୟାତ ଠାରୁ ଆରମ୍ଭ କରି ବଣିଜ ବ୍ୟବସାୟ ସବୁ ବନ୍ଦ ରହିବାରୁ ଦୁଗ୍ଧ ଉତ୍ପାଦନ ହେଉଥିଲେ ବି ତାହା ନଷ୍ଟ ହୋଇଯାଉଥିଲା । ହେଲେ ଏପରି ଜଣେ ଦୁଗ୍ଧ ଚାଷୀ, ଯିଏ ଉତ୍ପାଦିତ କ୍ଷୀରକୁ ବିକ୍ରି ନକରି ଗରିବ ବସ୍ତି ପିଲାଙ୍କୁ ବାଣ୍ଟୁଛନ୍ତି । ବଦଳରେ ପିଲାଙ୍କ ଠାରୁ ପାଉଛନ୍ତି ଶ୍ରଦ୍ଧା ଓ ଲୋକଙ୍କ ଠାରୁ ଆଶୀର୍ବାଦ ।

ସୁନ୍ଦରଗଡ ଟାଉନ୍ ଇଦନଗର ବାସିନ୍ଦା ଅସ୍ମିତ୍ ପଟେଲ । ବିଜ୍ଞାନରେ ସ୍ନାତକ କରିଥିବା ଅସ୍ମିତ୍ ଚାକିରି ପଛରେ ନଧାଇଁ ଶେଷରେ ନିଷ୍ପତ୍ତି ନେଲେ ଗୋପାଳନ କରିବେ । ଏଥିପାଇଁ ପ୍ରଥମେ ୨୦୦୫ରେ ଘରେ ଥିବା ଗୋଟିଏ ଦେଶୀ ଗାଈରୁ ଆରମ୍ଭ କଲେ ଗାଈଫାର୍ମ । ଏହାପରେ ସଞ୍ଚିତ କିଛି ଅର୍ଥରେ ଗୋଟେ ପରେ ଗୋଟେ ଗାଈ କିଣିଲେ । ଏବେ ତାଙ୍କ ପାଖରେ ୩୦ଟି ଗାଈ, ବ।।ଛୁରୀ ଅଛନ୍ତି । ଦୈନିକ ୫୦ରୁ ୬୦ ଲିଟର କ୍ଷୀର ଉତ୍ପାଦନ ହେଉଛି । କେବଳ କ୍ଷୀର ନୁହେଁ ଗୋବରରୁ ଜୈବିକ ଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି ।

ସବୁ ଠିକ୍ ଚାଲିଥିଲା । ହେଲେ କରୋନା ସବୁ ବିଗାଡିଦେଲା । ଦୀର୍ଘ ଦିନ ଲକଡାଉନ ଯୋଗୁଁ କ୍ଷୀର ଠିକ ଭାବେ ବିକ୍ରି ହୋଇପାରିଲା ନାହିଁ । ଫଳରେ ଅନେକ କ୍ଷତି ସହିବାକୁ ପଡିଲା । ହେଲେ ଏଥିରେ ଭାଙ୍ଗିପଡିନଥିଲେ ଅସ୍ମିତ୍ । ଆଖପାଖର ଲୋକେ ଘରକୁ ଆସି ଯାହ କ୍ଷୀର କିଣି ନେଇଯାନ୍ତି । ଏହାବାଦ୍ ଯାହା କ୍ଷୀର ବଳେ ତାକୁ ପାଖ ବସ୍ତିର ଗରିବ ପିଲାଙ୍କୁୁ ବାଣ୍ଟିବାକୁ ଇଚ୍ଛା ପ୍ରକାଶ କଲେ ଅସ୍ମିତ୍ । ସମୟ ହେବା ମାତେ ଛୋଟ ଛୋଟ ବୋତଲ ଧରି କ୍ଷୀର ପାଇଁ  ଲାଇନ ଲଗାଇ ଦିଅନ୍ତି କୁନିପିଲାମାନେ । ସେବେଠୁ ଏହି ମହତ୍ କାର୍ଯ୍ୟକୁ ଜାରି ରଖିଛନ୍ତି ଅସ୍ମିତ୍ । ତାଲାବନ୍ଦ ହଟିଥିଲେ ବି ବସ୍ତି ପିଲାଙ୍କୁ ମାଗଣାରେ କ୍ଷୀର ବାଣ୍ଟିବା ବନ୍ଦ କରିନାହାଁନ୍ତି ଅସ୍ମିତ୍ । କାରଣ ଏଥିରୁ ତାଙ୍କୁ ମିଳୁଛି ଅନେକ ପ୍ରଶଂସା ।