ଆଧୁନିକ ଚିକିତ୍ସା ବିଜ୍ଞାନର ବଡ଼ ଉପଲବ୍ଧି । ଚିକିତ୍ସା ଇତିହାସରେ ନୂଆ ଅଧ୍ୟାୟ ଯୋଡିବାକୁ ଯାଉଛି କରୋନା ଟିକା । ବର୍ଷକ ଭିତରେ ପ୍ରସ୍ତୁତିର ଶେଷ ପର୍ଯ୍ୟାୟରେ ପହଁଚିଛି ଭ୍ୟାକ୍ସିନ୍ 

1,013

କନକ ବ୍ୟୁରୋ : ଡିସେମ୍ବରରେ ଅକ୍ସଫୋର୍ଡର ୧୦ କୋଟି କରୋନା ଟିକା ଭାରତରେ ପ୍ରସ୍ତୁତ ହୋଇଯିବ । ସିରମ ଇନଷ୍ଟିଚ୍ୟୁଟ ମୁଖ୍ୟ ଅଦାର ପୁନାବାଲାଙ୍କ ଏହି ସୂଚନା ସଙ୍କେତ ଦେଉଛି, ଯେ ଆମେ କରୋନା ଟିକାର ପାଖାପାଖି ପହଂଚିଗଲୁଣି ।

୨୦୧୯ ଡିସେମ୍ବରରେ ଚୀନରେ କରୋନା ଭାଇରସ ବ୍ୟାପିବା ପରେ ପ୍ରଥମେ ଏହି ଭାଇରସକୁ ଜାଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଗଲା ଓ ଫେବୃୟାରୀ ମାର୍ଚ୍ଚ ବେଳକୁ ସାରା ବିଶ୍ୱରେ କରୋନା କାୟା ବିସ୍ତାର କଲା । ଏହା ପରେ ପରେ ଆରମ୍ଭ ହୋଇଗଲା ଟିକା ପାଇଁ କାମ । ସମସ୍ତେ ଅନୁଭବ କଲେ ଏହି ମହାମାରୀକୁ ରୋକିବା ଆଉ ସମ୍ଭବ ନୁହେଁ । ଏକମାତ୍ର ଟିକା ହିଁ ମାନବ ଜାତିକୁ ରକ୍ଷା କରିପାରିବ ।

ଚିକିତ୍ସା ବିଜ୍ଞାନ ଇତିହାସରେ ଏହା ପ୍ରଥମ ଥର ହେବାକୁ ଯାଉଛି, ଯେ ପ୍ରାୟ ଏକ ବର୍ଷ ଭିତରେ ଏକ ଭୟଙ୍କର ମହାମାରୀର ଟିକା ଆସିବାକୁ ଯାଉଛି । ଇତିହାସ ପୃଷ୍ଠା ଓଲଟାଇଲେ ଆପଣ ଜାଣିପାରିବେ, ଟିକା ପ୍ରସ୍ତୁତି ପାଇଁ କେତେ ସମୟ ଲାଗେ ।

ଦୁଇ ଜଣ ବୈଜ୍ଞାନିକ ଘୋଷଣା କଲେ ପୋଲିଓ ମହାମାରୀର ଉତ୍ତର ସେମାନେ ପାଇଗଲେ । କିନ୍ତୁ ଏହାର ସାଇଡ ଇଫେକ୍ଟ ବା ପାଶ୍ୱର୍ପ୍ରତିକ୍ରିୟାକୁ ନେଇ ବିଶେଷଜ୍ଞ ମହଲରେ ବଡ ଅସନ୍ତୋଷ ଦେଖା ଦେଲା ଏବଂ ସେଇଠି ପୁଣି କାମ ଅଟକିଗଲା । ଏହାପରେ ୧୯୫୨ ମସିହାରେ କେବଳ ଆମେରିକାରେ ୫୭ ହଜାର ୬୦୦ ଜଣ ପୋଲିଓରେ ଆକ୍ରାନ୍ତ ହେଲେ, ସେଥି ମଧ୍ୟରୁ ୩ ହଜାର ୧୪୫ ଜଣଙ୍କର ମୃତ୍ୟୁ ହୋଇଗଲା ଏବଂ ପ୍ରାୟ ୨୨ ହଜାର ଲୋକଙ୍କୁ ପାରାଲିସିସ୍ ହୋଇଗଲା । ଏହାପରେ ୧୯୫୫ରେ ପୋଲିଓ ଟିକା ପ୍ରସ୍ତୁତ ହେଲା । ଅର୍ଥାତ୍ ଟିକା ପ୍ରସ୍ତୁତି ଆରମ୍ଭର ପ୍ରାୟ ୩୦ ବର୍ଷ ପରେ ପୋଲିଓ ଟିକା ଲୋକଙ୍କୁ ଦେବା ପାଇଁ ପ୍ରସ୍ତୁତ ହେଲା ।

ସେହିପରି ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତିର ଏକ ବିରଳ କାହାଣୀ ରହିଛି । କୁହାଯାଏ. ପ୍ରାୟ ୧୯୨୦ ମସିହାରୁ ଡେଙ୍ଗୁ ପାଇଁ ଟିକା ପ୍ରସ୍ତୁତି କାମ ଏକପ୍ରକାର ଆରମ୍ଭ ହୋଇଛି । ଏବଂ ଏହାର ୯୮ ବର୍ଷ ପରେ ୨୦୧୮ରେ ଆମେରିକା ଡେଙ୍ଗୁ ଭ୍ୟାକସିନକୁ ଅନୁମୋଦନ ଦେଇଛି ।

ଏହି ତଥ୍ୟରୁ ଆପଣ ଅନୁମାନ କରିପାରିବେ ଟିକା ପ୍ରସ୍ତୁତି ପାଇଁ କେତେ ସମୟ ଲାଗେ । ଏବଂ କୋଭିଡ ଟିକା ଆସିବାର ଖବର ସୂଚନା ଦେଉଛି, ଯେ ଆମ ଚିକିତ୍ସା ବିଜ୍ଞାନ ଇତିହାସରେ ଏହା ସବୁଠାରୁ କମ ସମୟ ଭିତରେ ଆସିବାକୁ ଯାଉଛି ।