କନକ ବ୍ୟୁରୋ: ଓଡ଼ିଆ ଗୀତକୁ ଭଲ ପାଉଥିବା ଶ୍ରୋତା ଓ ଦର୍ଶକଙ୍କ ପାଇଁ ଖୁସୀ ଖବର। ସେମାନେ ଏଣିକି ବେଶ୍ କିଛି ସପ୍ତାହ ଧରି ପ୍ରତିଭାବାନ୍ ଯୁବ ଗାୟକ-ଗାୟିକାଙ୍କ କଣ୍ଠରେ ଲୋକପ୍ରିୟ ଓଡ଼ିଆ ଗୀତ ସବୁ ଶୁଣିବାକୁ ପାଇବେ କେବଳ ଲୋକପ୍ରିୟ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ। ପ୍ରଥମ ଥର ପାଇଁ ‘ମଞ୍ଜରୀ’ରେ ଓଡ଼ିଆ ଗୀତକୁ ନେଇ ପ୍ରସ୍ତୁତ ନୂଆ ମ୍ୟୁଜିକ୍ ରିୟଲିଟି ସୋ’ ‘ଓଡ଼ିଶା ସୁପର୍ ସିଙ୍ଗର୍’ର ପ୍ରସାରଣ ଆରମ୍ଭ ହେବାକୁ ଯାଉଛି। ଚଳିତ ମାସ ୪ ତାରିଖରୁ ପ୍ରତି ଶୁକ୍ର, ଶନି ଓ ରବିବାର ରାତି ୮ଟା ୩୦ରେ କେବଳ ‘ମଞ୍ଜରୀ’ରେ ଏହା ପ୍ରଦର୍ଶିତ ହେବ।
ନିକଟରେ ‘ଓଡିଶା ସୁପର ସିଙ୍ଗର’ର ଅନେକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଓଲିଉଡର ଲୋକପ୍ରିୟ ଗାୟିକା ଦୀପ୍ତିରେଖା, ଅନ୍ତରା ଏବଂ ଗାୟକ ଅଭିଜିତଙ୍କ ସହିତ ଓଡ଼ିଶାର ଘରେ ଘରେ ପରିଚିତ ପ୍ରତିଷ୍ଠିତ ଗାୟିକା ତୃପ୍ତି ଦାସଙ୍କୁ ଦେଖିବାକୁ ମିଳିଛି । ଦୀପ୍ତିରେଖା, ଅନ୍ତରା ଏବଂ ଅଭିଜିତ ଏହି ରିଆଲିଟି ସୋ’ରେ ଜଜ୍ ଭାବେ ଏବଂ ତୃପ୍ତି ଦାସ ସୁପର ଜଜ୍ ଭାବେ ଦେଖିବାକୁ ମିଳିବେ । ସେମାନେ ରାଜ୍ୟର ୪୦ ଜଣ ବଛାବଛା ଯୁବ କଣ୍ଠଶିଳ୍ପୀଙ୍କ ପ୍ରତିଭା ପରଖିବେ।
ଏହି ରିଆଲିଟି ସୋ’ରେ ପ୍ରତିଯୋଗୀମାନଙ୍କୁ ବିଭିନ୍ନ ପର୍ୟ୍ୟାୟ ଦେଇ ଆଗକୁ ବଢିବାକୁ ହେବ । ଏଥିରେ ବିଜେତାଙ୍କୁ ଲକ୍ଷାଧିକ ଟଙ୍କାର ପୁରସ୍କାର ରାଶି ସହିତ ଅନେକ ଆକର୍ଷଣୀୟ ଉପହାର ମିଳିବ। ଏହା ସହିତ ‘ମଞ୍ଜରୀ’ ମୁଭିଜ୍ ଓ ମ୍ୟୁଜିକ ଭିଡିଓ, ରେଡିଓ ଚକଲେଟ୍, ଆମର ମ୍ୟୁଜିକ୍ ଏବଂ ଓଡିଆ ୱାନ୍ ପରି ପ୍ଲାଟଫର୍ମରେ ଗୀତ ଗାଇବାର ସୁଯୋଗ ମିଳିବ ।
ପ୍ରତି ଶୁକ୍ର, ଶନି ଓ ରବିବାର ରାତି ୮ଟା ୩୦ରେ ମନୋରଞ୍ଜନ ଚ୍ୟାନେଲ ‘ମଞ୍ଜରୀ’ରେ ‘ଓଡିଶା ସୁପର ସିଙ୍ଗର’ ପ୍ରସାରିତ ହେବ । ଅନ୍ୟ ପକ୍ଷରେ ଧାରାବାହିକ ‘ରକ୍ତ ସମ୍ପର୍କ’ ସୋମବାରଠାରୁ ଶନିବାର ପ୍ରସାରିତ ହେବା ପରିବର୍ତ୍ତେ ସୋମରୁ ଗୁରୁବାର ରାତି ୮ଟା ୩୦ରେ ପ୍ରସାରିତ ହେବ।