ସରକାରଙ୍କ ନୂଆ ଶିକ୍ଷାନୀତି ଦେଶରେ ଶିକ୍ଷାର ମାନ ବୃଦ୍ଧି କରିବ: ଡ. ବିରଞ୍ଚି ନାରାୟଣ ପଣ୍ଡା (ଉପାଧ୍ୟକ୍ଷ, ଗିତା)

258

କନକ ବ୍ୟୁରୋ: ଓଡ଼ିଶାର ସୁନାମଧନ୍ୟ  ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ପରିଗଣିତ ଗାନ୍ଧି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନିକାଲ ଆଡଭାନ୍ସମେଣ୍ଟ (ଗିତା)ର ଉପାଧ୍ୟକ୍ଷ ଡ. ବିରଞ୍ଚି ନାରାୟଣ ପଣ୍ଡା ଏକାଧାରରେ ଜଣେ ଶିକ୍ଷାବିତ, ଚଳଚିତ୍ର ନିର୍ମାତା, , , ସାମ୍ବାଦିକ ଓ ଶିଳ୍ପଦ୍ୟୋଗୀ । ବି.ଏସ୍. ସି(ଏଜି) ଓ ଏଲଏଲବି କରିଥିବା ଡ.ପଣ୍ଡା ବିଭିନ୍ନ ବିଷୟ ଉପରେ ୮ଟି ଗବେଷଣାତ୍ମକ ସଂଦର୍ଭ ଲେଖିଛନ୍ତି । ‘ସମ୍ବାଦ ଡିଜିଟାଲ ’ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ ସରକାରଙ୍କ ନୂଆ ଶିକ୍ଷାନୀତି,  ଶିକ୍ଷାକ୍ଷେତ୍ର ଉପରେ କରୋନା ମହାମାରୀର ପ୍ରଭାବ ଆଦି ସାଂପ୍ରତିକ ପ୍ରସଙ୍ଗ  ଉପରେ ମତ ରଖିଛନ୍ତି।

ପ୍ରଶ୍ନ : କେନ୍ଦ୍ର ସରକାର ନୂଆ ଶିକ୍ଷାନୀତି ଘୋଷଣା କରିଛନ୍ତି । ଏହି ନୂଆ ଶିକ୍ଷାନୀତି ଉପରେ ଆପଣଙ୍କ ମତ କ’ଣ?

ଉତ୍ତର: କେନ୍ଦ୍ର ସରକାର ଆଣିଥିବା ନୂଆ ଶିକ୍ଷାନୀତି ବେଶ ସମୟପଯୋଗୀ ଓ ଏହା ଦେଶରେ ଶିକ୍ଷାର ମାନ ବୃଦ୍ଧି କରିବ । ବିଶେଷକରି ୯ମ ଠାରୁ ଦ୍ୱାଦଶ ପର୍ଯ୍ୟନ୍ତ ଶ୍ରେଣୀରେ ଧନ୍ଦାମୂଳକ ଶିକ୍ଷା ଓ ମାତୃଭାଷାରେ ଶିକ୍ଷାଦାନ ଉପରେ ଗୁରୁତ୍ୱ ଏହି ନୀତିର ଏକ ଭଲ ଦିଗ । ତେବେ ୩ ବର୍ଷରୁ ଶିଶୁମାନଙ୍କ ଶିକ୍ଷାରମ୍ଭ ଲାଗି କାହିଁକି ଚିନ୍ତା କରାଯାଉଛି ତାହା ଜାଣିହେଉନାହିଁ । ଦକ୍ଷତା ବିକାଶ ଓ ଧନ୍ଦାମୂଳକ ଶିକ୍ଷାଦାନ ଦ୍ୱାରା ପିଲାମାନେ ଆତ୍ମନିର୍ଭରଶୀଳ ଓ ନିଯୁକ୍ତିଯୋଗ୍ୟ ହୋଇପାରିବେ ।

ପ୍ରଶ୍ନ : ଦେଶରେ ଚାଲିଥିବା କରୋନା ମହାମାରୀ ଶିକ୍ଷାକ୍ଷେତ୍ର ଉପରେ  କିଭଳି ପ୍ରଭାବ ପକାଇଛି? 

ଉତ୍ତର : କରୋନା ମହାମାରୀ ଆମ ଦେଶର ଶିକ୍ଷାକ୍ଷେତ୍ର ଉପରେ ବ୍ୟାପକ ପ୍ରଭାବ ପକାଇଛି । ଏହା ଦ୍ୱାରା ଶିକ୍ଷାଦାନ ଗୁରୁତରଭାବେ ପ୍ରଭାବିତ ହୋଇଛି । ଅବଶ୍ୟ ଅନଲାଇନ୍ ମାଧ୍ୟମରେ ଶିକ୍ଷାଦାନ ଦ୍ୱାରା ଏହାର ଭରଣା ପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ଅନଲାଇନ୍ ଶିକ୍ଷାଦାନ ଶ୍ରେଣୀଗୃହରେ ଦିଆଯାଉଥିବା ଶିକ୍ଷା ପରି ପ୍ରଭାବଶାଳୀ ନୁହେଁ । ପୁଣି ଗରିବ ଓ ଇଣ୍ଟରନେଟ ସୁବିଧା ନ ଥିବା ଗ୍ରାମାଞ୍ଚଳର ପିଲାମାନେ ଅନଲାଇନ୍ ଶିକ୍ଷାଦାନର ସୁବିଧା ନେଇପାରିବେ ନାହିଁ ।

ପ୍ରଶ୍ନ : କରୋନା ମହାମାରୀ ଦ୍ୱାରା ଦେଶର ନିଯୁକ୍ତି କ୍ଷେତ୍ର କେତେଦୂର ପ୍ରଭାବିତ ହୋଇଛି  ?

ଉତ୍ତର : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ଦେଶର ଅର୍ଥନୀତି ବହୁ ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ଦ୍ୱାରା ନିଯୁକ୍ତି କ୍ଷେତ୍ର ମଧ୍ୟ ପ୍ରଭାବିତ ହୋଇଛି । ବିଶେଷକରି ମଧ୍ୟବିତ୍ତ, ଘରୋଇ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଏହା ଦ୍ୱାରା ଚାପରେ ରହିଛନ୍ତି । ମହାମାରୀ ଦ୍ୱାରା ଶିକ୍ଷା,,  ହସପିଟାଲିଟି,,  ମନୋରଂଜନ,, ପରିବହନ, , ରିଟେଲ ଆଦି କ୍ଷେତ୍ର ଗୁରୁତରଭାବେ ପ୍ରଭାବିତ ହୋଇଛି। ଫଳରେ ଏସବୁ ଶିଳ୍ପରେ ନିଯୁକ୍ତି ସୁଯୋଗ ହ୍ରାସ ପାଇଛି । କିନ୍ତୁ ଏବେ  ସ୍ଥିତିରେ ଧୀରେ ଧୀରେ ସୁଧାର ଦେଖିବାକୁ ମିଳିଲାଣି ।

ପ୍ରଶ୍ନ : ମହାମାରୀ ଓ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ କ୍ୟାମ୍ପସ୍ ନିଯୁକ୍ତି କମିଛି କି  ?

ଉତ୍ତର : କରୋନା ମହାମାରୀ ଦ୍ୱାରା ସଫ୍ଟଓୟାର ଶିଳ୍ପ ସେତେଟା ପ୍ରଭାବିତ ହୋଇନାହିଁ । ଲୋକମାନେ ଘରୁ ବି କାମ କରୁଛନ୍ତି । ଏଣୁ ସଫ୍ଟଓୟାର ଇଂଜିନିୟରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ସେତେଟା ହ୍ରାସ ପାଇନାହିଁ । କିନ୍ତୁ କୋର ଇଂଜିନିୟରିଂ ଅର୍ଥାତ ସିଭିଲ, ମେକାନିକାଲ, ଇଲେକ୍ଟ୍ରିକାଲ ଇଂଜିନିୟରିଂ କ୍ଷେତ୍ରରେ ନିଯୁକ୍ତି ସୁଯୋଗ ହ୍ରାସ ପାଇଛି ।

ପ୍ରଶ୍ନ : ‘ଗିତା’ରେ ଗତ ବର୍ଷ ପ୍ଲେସମେଣ୍ଟ ରେକର୍ଡ କିପରି ଥିଲା ? 

ଉତ୍ତର : ଗତ ବର୍ଷ ଅର୍ଥାତ କରୋନା ଆସିବା ପୂର୍ବରୁ ପ୍ଲେସମେଣ୍ଟ କ୍ଷେତ୍ରରେ ଆମର ପ୍ରଦର୍ଶନ ଭଲ ଥିଲା । ଗତ ବର୍ଷ ଆମେ ୭୦-୭୫ ପ୍ରତିଶତ ପ୍ଲେସମେଣ୍ଟ ସଫଳତା ହାସଲ କରିଥିଲୁ । ଗତ ବର୍ଷ ଆମ ଛାତ୍ରଛାତ୍ରୀମାନେ ଟିସିଏସ, ଇନଫୋସିସ, ଓ୍ୱିପ୍ରୋ, କଗନିଜାଣ୍ଟ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ, ଟାଟା ମୋଟର୍ସ, ମାଇଣ୍ଡଟ୍ରି ଆଦି ଦେଶର ପ୍ରମୁଖ କମ୍ପାନିରେ ନିଯୁକ୍ତି ପାଇଥିଲେ ।

ପ୍ରଶ୍ନ : ଏ ବର୍ଷ ପ୍ଲେସମେଣ୍ଟ ସ୍ଥିତି କିପରି ରହିବ ବୋଲି ଭାବୁଛନ୍ତି ?

ଉତ୍ତର : ଏ ବର୍ଷ ଆଇଟି କ୍ଷେତ୍ରରେ କ୍ୟାମ୍ପସ ପ୍ଲେସମେଣ୍ଟ ପ୍ରକ୍ରିୟା ଟିକିଏ ବିଳମ୍ବିତ ହୋଇଛି । ସାଧାରଣତଃ ସେପଟେମ୍ବର  ଓ ଅକ୍ଟୋବର ମାସରୁ ବିଭିନ୍ନ ଆଇଟି କମ୍ପାନି କ୍ୟାମ୍ପସ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଦିଅନ୍ତି । କିନ୍ତୁ ଏ ବର୍ଷ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ତେବେ ଆଇଟି କ୍ଷେତ୍ରରେ ନିଯୁକ୍ତି ସେତେଟା କମିବ ନାହିଁ ବୋଲି ଭାବୁଛି ।

ପ୍ରଶ୍ନ : ଆଜିକାଲି ନୂଆ ନୂଆ ପ୍ରକାରର ଟେକନଲୋଜିର ଉଦ୍ଭବ ହେଲାଣି । ଛାତ୍ରଛାତ୍ରୀମାନଙ୍କୁ ସେସବୁ କ୍ଷେତ୍ରରେ କିପରି ଶିକ୍ଷାଦାନ କରାଯାଉଛି ? 

ଉତ୍ତର : ଆମେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ଡାଟା ସାଇନ୍ସ କ୍ଷେତ୍ରରେ ନୂଆ କୋର୍ସ ଆରମ୍ଭ କରିଛୁ । ଏସବୁ କୋର୍ସ ପ୍ରତି ଛାତ୍ରଛାତ୍ରୀମାନେ ବିଶେଷଭାବେ ଆଗ୍ରହ ଦେଖାଉଛନ୍ତି ।

ପ୍ରଶ୍ନ : ଆଜିକାଲି ଛାତ୍ରଛାତ୍ରୀଙ୍କର ଶିଳ୍ପଜଗତରେ ବାସ୍ତବିକ ଅଭିଜ୍ଞତା ଉପରେ ଗୁରୁତ୍ୱ ଦିଆଯାଉଛି। ଆପଣଙ୍କ ଅନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କୁ କିପରି ଏହି ସୁଯୋଗ ଦିଆଯାଉଛି ?

ଉତ୍ତର : ଆମ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କୁ ଇଣ୍ଟର୍ନସିପ ମାଧ୍ୟମରେ ଶିଳ୍ପଜଗତର ଅଭିଜ୍ଞତା ଦେବାକୁ ପ୍ରଯତ୍ନ କରାଯାଉଛି । ବିପିୟୁଟି ପକ୍ଷରୁ ମଧ୍ୟ ଶେଷ ସେମିଷ୍ଟରକୁ ଇଣ୍ଟର୍ନସିପ ପାଇଁ ରଖାଯାଇଛି । ସେହିପରି ଭାରତ ସରକାରଙ୍କ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନଙ୍କ ଅନ୍ତଃରାଜ୍ୟ ଭ୍ରମଣ ପାଇଁ ସୁଯୋଗ ଦିଆଯାଉଛି । ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ଶିଳ୍ପଜଗତର ପ୍ରାକ୍ଟିକାଲ୍ ଅଭିଜ୍ଞତା ପାଇପାରୁଛନ୍ତି ।