କନକ ବ୍ୟୁରୋ: ରାଜ୍ୟରେ ନୂଆ ସରକାରର ପ୍ରଥମ ଅଧିବେଶନ। ଯାହାକୁ ସମସ୍ତଙ୍କ ଅପେକ୍ଷା ଥିଲା। କାରଣ ଗୃହରେ କଂଗ୍ରେସର ଭୂମିକା ସମାନ ରହିଥିବା ବେଳେ ବିଜେଡି ଓ ବିଜେପିର ଦାୟିତ୍ୱ ବଦଳିଛି। ଆଉ ରାଜ୍ୟପାଳ ପ୍ରଥମ ଦିନରେ ମୋହନ ସରକାରର ଆଭିମୁଖ୍ୟକୁ ଗୃହରେ ରଖିଛନ୍ତି । ଇତିମଧ୍ୟରେ ସରକାର ୪ଟି ପ୍ରତିଶ୍ରୁତି ପାଳନ କରିସାରିଛି ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି ।
ରାଜ୍ୟରେ ନୂଆ ସରକାର ଗଠନ ପରେ ପ୍ରଥମ ବିଧାନସଭା ଅଧିବେଶନ। ଯିଏ ବିରୋଧୀ ଆସନରେ ବସୁଥିଲେ ସିଏ ଏବେ ଶାସକ ଆଉ ୨୪ ବର୍ଷ ଧରି ଶାସନରେ ଥିବା ଦଳ ଓ ଏହାର ନେତା ଏବେ ବିରୋଧୀ। ବିଧାନସଭାର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବାବେଳେ ପ୍ରଥମ ଦିନରେ ଗୃହକୁ ସମ୍ୱୋଧିତ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ନୂଆ ସରକାର ଆଗାମୀ ଦିନରେ କଣ କରିବେ ସେନେଇ ଗୃହକୁ ଅବଗତ କରିଛନ୍ତି ରାଜ୍ୟପାଳ। ସବୁଠାରୁ ବଡକଥା ହେଉଛି, ଓଡିଆ ଅସ୍ମିତା କୈନ୍ଦ୍ରିକ ବିଜେପି ସରକାର କ୍ରୋଧ, ଘୃଣା, ଅହଙ୍କାର ଓ ପ୍ରତିଶୋଧଠାରୁ ଦୂରେଇ ରହିବେ ବୋଲି ରାଜ୍ୟପାଳ କହିଛନ୍ତି। ସରକାର ୪ଟି ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିଛନ୍ତି । ଓଡିଶାକୁ ପୂର୍ବ ଭାରତରେ ଶକ୍ତିଶାଳୀ ରାଜ୍ୟରେ ପରିଣତ କରିବାକୁ ଏହି କାର୍ୟ୍ୟକ୍ରମ ଜାରି ରହିବ।
ପ୍ରମୁଖ ଓଡିଆ ବ୍ୟକ୍ତିତ୍ୱଙ୍କୁ ସରକାର ଉପଯୁକ୍ତ ମାନ୍ୟତା ଦେବେ। ୨୦୨୭ ସୁଦ୍ଧା ପୁଷ୍ଟିହୀନତାକୁ ହ୍ରାସ କରାଯିବ। ସେହି ୨୦୨୭ ସୁଦ୍ଧା ୨୫ ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରାଯିବ। ସାର୍ବଜନୀନ ସ୍ୱାସ୍ଥ୍ୟବୀମା ପ୍ରଦାନ ପାଇଁ ଲାଗୁହେବ ଆୟୁଷ୍ମାନ ଭାରତ ଯୋଜନା। ୨୦୩୦ ସୁଦ୍ଧା ଓଡିଶା ମ୍ୟାଲେରିଆ ମୁକ୍ତ ହେବ। ଥାଲାସେମିଆ, ଆନ୍ଥ୍ରାକ୍ସ ଓ ସିକିଲସେଲ ଆନିମିଆ ରୋଗୀଙ୍କୁ ଆର୍ଥିକ ସହାୟତା ଦେବେ ସରକାର।
ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଲାଇବ୍ରେରୀ ଅନ ହ୍ୱିଲ। ସରକାରୀ ବିଦ୍ୟାଳୟରେ ଏଆଇ ବ୍ୟବହାର। ନୂଆ କ୍ରୀଡାନୀତିରେ ୮ରୁ ୧୭ ବର୍ଷର ଆଥଲେଟଙ୍କୁ ପ୍ରଶିକ୍ଷଣ। ଅବସରପ୍ରାପ୍ତ କ୍ରୀଡାବିତଙ୍କୁ ଅବସର ପରେ ପ୍ରଶିକ୍ଷକ ଓ ଅମ୍ପାୟାର ନିଯୁକ୍ତି ଭଳି ସୁଯୋଗ ପ୍ରଦାନ କରାଯିବ । ଧାମରା, ପାରାଦ୍ୱୀପ ଓ ଗୋପାଳପୁର ବନ୍ଦର ପାଖରେ ଶିଳ୍ପାଞ୍ଚଳର ବିକାଶ। ଓଡିଆ ଚଳଚ୍ଚିତ୍ର ଶିଳ୍ପକୁ ଚଳଚଞ୍ଚଳ କରିବା ଭଳି ପଦକ୍ଷେପ ନେବେ ସରକାର ।
ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ନେଇ ଏକ ବଡକଥା ସ୍ପଷ୍ଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି ସରକାରଙ୍କ ସମସ୍ତ ଯୋଜନାରେ ବରିଷ୍ଠ ନାଗରିକ ପ୍ରଥମ ନୀତି କରାଯିବ। ଅନୁସୂଚିତ ଅଂଚଳରେ ପେସା ଆଇନ କାର୍ଯ୍ୟକାରୀ ହେବ। ଓଡିଶା ହସ୍ତଶିଳ୍ପ ଡିଜାଇନ ବ୍ୟାଙ୍କ ପ୍ରତିଷ୍ଠା ହେବ ।