ବ୍ୟକ୍ତିଗତ ସମସ୍ୟାକୁ ଆଡେଇ ଦେଇ ରାଜକାର୍ଯ୍ୟ ପାଇଁ ଆଗେଇ ଆସିଲେ ରାଜ୍ୟପାଳ । ପତ୍ନୀଙ୍କ ବିୟୋଗ ପରେ ବି ଅଟକିଲାନି ବିଶ୍ୱବିଦ୍ୟାଳୟ କୁଳପତିଙ୍କ ସାକ୍ଷତକାର 

684

କନକ ବ୍ୟୁରୋ : ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଆଜି ଜଣେ କର୍ମଯୋଗୀ ଭାବେ ନିଜ ଦାୟିତ୍ୱ ସଂପାଦନ କରିଛନ୍ତି । ଗୋଟିଏ ପଟେ ପତ୍ନୀ ସୁଶୀଳା ଦେବୀଙ୍କ ମରଶରୀର ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଯାଉଥାଏ, ଏବଂ ଅନ୍ୟପଟେ ପ୍ରଫେସର ଗଣେଶୀଲାଲ୍ ନିଜ କର୍ତବ୍ୟ ସଂପାଦନ କରୁଥାନ୍ତି । ଆଜି ଥିଲା ୬ଟି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିର ଦିନ । ଏଥିପାଇଁ ସକାଳ ୧୧ଟାରେ ରାଜଭବନରେ ସାକ୍ଷାତକାର ପାଇଁ ସମୟ ଧାର୍ଯ୍ୟ ହୋଇଥିଲା ।

ଇତି ମଧ୍ୟରେ ଗତକାଲି ରାତିରେ ରାଜ୍ୟର ପ୍ରଥମ ମହିଳା ତଥା ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀ ଶେଷ ନିଶ୍ୱାସ ତ୍ୟାଗ କଲେ । କୋଭିଡ ପରବର୍ତି   ଜଟିଳ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସୁଶୀଳା ଦେବୀଙ୍କର ମୃତ୍ୟୁ ହୋଇଗଲା । ଗୋଟିଏ ପଟେ ରାଜକାର୍ଯ୍ୟ ଥିଲା ଏବଂ ଅନ୍ୟପଟେ ସବୁଠାରୁ ବଡ ବ୍ୟକ୍ତିଗତ ଦୁଃଖ ଥିଲା । କିନ୍ତୁ ତା ପରେ ବି ପ୍ରଫେସର ଗଣେଶୀ ଲାଲ ନିଜ କାର୍ଯ୍ୟ ଠିକ ଭାବରେ ତୁଳାଇ ପାରିଥିଲେ ।

ସାକ୍ଷାତକାର ପାଇଁ ଆସିଥିବା ପ୍ରାର୍ଥୀଙ୍କୁ ପ୍ରଶ୍ନ ଦେଇଥିଲେ, ଏବଂ ସେମାନେ ଲେଖିବା ପରେ ଏହି ଉତର ଓ ତାଙ୍କ ବାୟୋଡାଟା ନିଜେ ରାଜ୍ୟପାଳ ଯାଂଚ କରିଥିଲେ । ଏହାପରେ ୬ ଜଣଙ୍କୁ ନିଯୁକ୍ତି ଦିଆଯାଇଥିଲା । ପ୍ରଫେସର ସବିତା ଆଚାର୍ଯ୍ୟଙ୍କୁ ଉକ୍ରଳ ବିଶ୍ୱବିଦ୍ୟାଲୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା । ସେହିପରି ପ୍ରଫେସର ଅପରାଜିତା ଆଚାର୍ଯ୍ୟଙ୍କୁ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ,  ଫକୀରମୋହନ ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଦୀନବନ୍ଧୁ ସାହୁ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଫେସର ଏନ୍. ନାଗାରାଜୁଙ୍କୁ ଦାୟିତ୍ୱ ଦିଆଯାଇଛି ।

ଉତର ଓଡିଶା ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର କିଶୋର କୁମାର ବାସା, ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତିଙ୍କୁ ନିଯୁକ୍ତି ଦିଆଯାଇଛି । ସେପଟେ ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।