ଆଦିବାସୀଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଜୈବିକ କୃଷିକୁ ପ୍ରୋତ୍ସାହନ ପାଇଁ ସରକାରଙ୍କ ଉଦ୍ୟମ । ସମ୍ବଲପୁର କୁଚିଣ୍ଡା ଉପଖଣ୍ଡରେ ପରୀକ୍ଷାମୂଳକ ଭାବେ ଆଇଟିଡିଏ ଦେଉଛି ସହାୟତା

89

କନକ ବ୍ୟୁରୋ : ଜୈବିକ ଉପାୟରେ ଚାଷ କରି ବେଶ ସଫଳତା ପାଇଛନ୍ତି ସମ୍ବଲପୁର କୁଚିଣ୍ଡାର ଚାଷୀ । କୁଚିଣ୍ଡା ଉପଖଣ୍ଡରେ ଚିନାବାଦାମ ଓ ଅନ୍ୟାନ୍ୟ ପନିପରିବା ଚାଷ କରି ଆଦିବାସୀମାନେ ରୋଜଗାରର ନୂଆ ବାଟ ପାଇଛନ୍ତି । ସେମାନଙ୍କୁ ସ୍ୱାବଲମ୍ବୀ କରାଇବା ପାଇଁ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ବିହନ, ଜୈବିକ ସାର ଯୋଗାଇବା ସହ ଉନ୍ନତ ଚାଷ ପ୍ରଣାଳୀ ଯୋଗାଇ ଦିଆଯାଇଥିଲା ।

ସମ୍ବଲପୁର ଜିଲ୍ଲା କୁଚିଣ୍ଡା, ବାମରା ଓ ଜମନକିରା ବ୍ଲକରେ ଜୈବିକ ଉପାୟରେ ହୋଇଥିବା ଚିନାବାଦାମ ଚାଷ । କୁଲାଙ୍ଗଯୋର, ଅର୍ଡାବାହାଲ, ବାଉରିଗୋଡା, ଟିକିଲିପଡା, ସିରିଡ, ସାଲୋହି, ଦହମୁଣ୍ଡା ଆଦି ଅଂଚଳରେ ଗରିବ ଆଦିବାସୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏବେ ବାଦାମ ଅମଳ କରୁଛନ୍ତି । ଫସଲ ଭଲ ହୋଇଛି, ଭଲ ରୋଜଗାରର ଆଶା ରଖିଛନ୍ତି ଚାଷୀ ।

କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ସ୍ଥାନରେ ୧୫୦ ଏକର ଜମିରେ ପରୀକ୍ଷାମୂଳକ ଭାବେ ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ସହାୟତାରେ ଚାଷ କରାଯାଇଥିଲା । ଚିନାବାଦାମ ଚାଷ କରିବା ପାଇଁ ପ୍ରତ୍ୟେକଙ୍କୁ ୨୦ କେଜି ଲେଖାଏଁ ବିହନ ମାଗଣାରେ ଯୋଗାଇ ଦିଆଯାଇ ସେମାନଙ୍କୁ ଜୈବିକ ପ୍ରଣାଳୀରେ ଚାଷ କରିବା ପାଇଁ ସମସ୍ତ ସୁବିଧା ସୁଯୋଗ ଦିଆଯାଇଥିଲା ।

ଆଦିବାସୀଙ୍କୁ କିପରି ସ୍ୱାବଲମ୍ବୀ କରାଯିବ ଏବଂ ସେମାନେ କିପରି ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପାଇପାରିବେ, ସେଥିପାଇଁ ବିଭିନ୍ନ ଯୋଜନା ହାତକୁ ନେଇଛି ଆଇଟିଡିଏ ।