କନକ ବ୍ୟୁରୋ: ଶପଥ ନେବାର ମାସକ ଭିତରେ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ମୋହନ ସରକାର । ତେବେ ପରୀକ୍ଷା ପଦ୍ଧତିରେ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି । ଏସଂପର୍କରେ ବିଭାଗୀୟ ମୁଖ୍ୟମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଚିଠି ମଧ୍ୟ ଲେଖାଯାଇଛି । ପରୀକ୍ଷାରେ ଥିବା ଅନାବଶ୍ୟକ ନିୟମକୁ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି ମୋହନ ସରକାର । ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀଗୁଡିକ ତୁରନ୍ତ ପୂରଣ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଗତ ୩ ତାରିଖରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏ ନେଇ ସମୀକ୍ଷା କରିଥିଲେ। ସମୀକ୍ଷା ପରେ
ନିଯୁକ୍ତି ପ୍ରକ୍ରିୟାକୁ ସରଳ କରିବା ଏବଂ
ପ୍ରଚଳିତ କ୍ୟାଡର ଓ ନିଯୁକ୍ତି ନିୟମାବଳୀରେ ସଂଶୋଧନ କରି
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ୍ ଅଧୀନରେ ସମାନ ଯୋଗ୍ୟତା ଥିବା ପଦବୀ ପାଇଁ ଏକକ ପରୀକ୍ଷା
କରିବା ପାଇଁ କୁହାଯାଇଛି । ଏ ସଂପର୍କରେ ବିଭାଗୀୟ ମୁଖ୍ୟମାନଙ୍କୁ ଚିଠି ଲେଖିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ।
ଚୟନ ବେଳେ ଏପରି କିଛି ପରୀକ୍ଷା କରାଯାଏ, ଯାହା ଏବେ ଅନାବଶ୍ୟକ ହୋଇପଡିଛି। ଜଣେ ପଶୁଧନ ନିରୀକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀଙ୍କୁ ସାଇକେଲ ଚାଳନା ପରୀକ୍ଷା ଦେବାକୁ ପଡୁଛି। ଯାହା ଆଜି ନିରର୍ଥକ। ସମୀକ୍ଷା ବେଳେ ଏହିସବୁ ପ୍ରାସଙ୍ଗିକତା ନଥିବା ପରୀକ୍ଷାକୁ ହଟାଇ ଏକକ ପରୀକ୍ଷା ବ୍ୟବସ୍ଥା କରିବାକୁ ସ୍ଥିର କରିଛନ୍ତି ସରକାର।

ଯାହା ପ୍ରାର୍ଥୀ ଚୟନକୁ ସହଜ କରିବା ସହ ସମୟ ବଂଚାଇବ ବୋଲି କୁହାଯାଉଛି। କାରଣ ଏପରି କରାଗଲେ ଅଲଗା ଅଲଗା ପରୀକ୍ଷା ଆବଶ୍ୟକ ପଡ଼ିବ ନାହିଁ।
ପୂରଣ ହେବ ଖାଲିଥିବା ସରକାରୀ ପଦବୀ
୮୦ ହଜାରୁ ଅଧିକ ପଦବୀ ପୂରଣ ପାଇଁ ପ୍ରକ୍ରିୟା
ରାଜ୍ୟର ବିଭିନ୍ନ ବିଭାଗରେ ୧ଲକ୍ଷ ୩୪ହଜାର ୬୭ ପଦବୀ ଖାଲି ପଡିଛି ।

୯୩ ହଜାର ୫୨୪ ପଦବୀ ପାଇଁ କ୍ଷମତାପ୍ରାପ୍ତ କମିଟି ଅନୁମୋଦନ କରିଛନ୍ତି । ସେଥିମଧ୍ୟରୁ ୮୦ହଜାର ୧୭୩ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି।
୭ ଦିନ ମଧ୍ୟରେ ନିଯୁକ୍ତି ନିୟମ ସମୀକ୍ଷା ବିଭାଗୀୟ ସଚିବଙ୍କୁ କରିବାକୁ କୁହାଯାଇଛି । କୌଣସି ଅନାବଶ୍ୟକ ନିୟମକୁ ହଟାଇବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।