କନକ ବ୍ୟୁରୋ : ଗୁଜରାଟ ବାମନବୋର-କଚ୍ଛ ଜାତୀୟ ରାଜପଥ ଉପରେ କିଛି ଲୋକ ନିଜ ଜମି ଉପରେ ରାଜପଥକୁ ବାଇପାସ କରି ଏକ ନକଲି ଟୁଲ ପ୍ଲାଜା ସ୍ଥାପିତ କରିଥିଲେ । ଦେଢ ବର୍ଷରୁ ଅଧିକ ସମୟ ଧରି ସେମାନେ ସରକାରୀ ଅଧିକାରୀଙ୍କୁ ଧୋକ୍କା ଦେଇ ୭୫ କୋଟିରୁ ଅଧିକ ଟଙ୍କା ଲୁଟ୍ କରିଛନ୍ତି ।
ଜାତୀୟ ରାଜପଥର ଅଧିକୃତ ଟୁଲ ଅଧିକାରୀ କହିଛନ୍ତି କି, ବ୍ୟକ୍ତିଗତ ଜମିରେ ମାଲିକ ଟୁଲ ପ୍ଲାଜା ନିର୍ମାଣ କରି ଦୈନିକ ହଜାର ହଜାର ଟଙ୍କା ଠକେଇ କରୁଥିଲା । ଅଭିଯୁକ୍ତ ଟ୍ରାଫିକକୁ ବାସ୍ତବ ରାସ୍ତାରୁ ଡାଇଭର୍ଟ କରି ହ୍ୱାଇଟ ହାଉସ ସିରାମିକ କମ୍ପାନୀ ଜମି, ବନ୍ଦ କାରଖାନା ଓ ଭର୍ଗାସିଆ ଗ୍ରାମ ଆଡକୁ ନେଇଯାଇଥିଲେ ।
ମୋର୍ବି ଜିଲ୍ଲାପାଳ ଜିଟି ପାଣ୍ଡ୍ୟା କହିଛନ୍ତି ଯେ, ଭର୍ଗାସିଆ ଟୁଲ ପ୍ଲାଜାର ପ୍ରକୃତ ମାର୍ଗରୁ କିଛି ଗାଡିକୁ ଡାଇଭର୍ଟ କରାଯାଇ ଟୁଲ ଟ୍ୟାକ୍ସ ଆଦାୟ କରାଯାଉଥିଲା । ଏନେଇ ସୂଚନା ପାଇବା ପରେ ପୋଲିସ ଓ ବିଭାଗୀୟ ଅଧିକାରୀମାନେ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିବା ସହ ବିସ୍ତୃତ ଅଭିଯୋଗ କରିଛନ୍ତି ।
ଅଭିଯୋଗ ହେବା ପରେ ପୋଲିସ ହ୍ୱାଇଟ୍ ହାଉସ ସିରାମିକ କମ୍ପାନୀର ମାଲିକ ଅମର୍ଷି ପଟେଲ, ବନରାଜସିଂହ ଝାଲା, ହରବିଜୟସିଂହ ଝାଲା, ଯୁବରାଜସିଂହ ଝାଲା ଓ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛି ।