ଭାରତକୁ ଘାରିଲା ଓମିକ୍ରନ୍ ଚିନ୍ତା । ୫ ରାଜ୍ୟରେ ସଂକ୍ରମଣ ବଢିବା ନେଇ ସତର୍କ କରାଇଲେ ସରକାର ।

329

କନକ ବ୍ୟୁରୋ: ଭାରତକୁ ବିଦେଶରୁ ଲୋକେ ଫେରିବା ଓ କିଛି ସ୍ଥାନରେ ବିଦେଶୀ ଯାତ୍ରୀ ଗାଏବ ହୋଇଯିବା ଏବେ ସରକାରଙ୍କ ଚିନ୍ତା ବଢାଇ ଦେଇଛି । ଏପରି ସ୍ଥିତିରେ ୫ ରାଜ୍ୟରେ ପଜିଟିଭ ସଂଖ୍ୟା ବଢିବାକୁ ନେଇ ସତର୍କ କରାଇଛନ୍ତି ଭାରତ ସରକାର ।

ଓମିକ୍ରନ୍‌ ଭୟ ମଧ୍ୟରେ ଦେଶରେ ୫ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ଦୈନିକ ସଂକ୍ରମଣ ବଢ଼ିଛି। ଓଡ଼ିଶା, କର୍ଣ୍ଣାଟକ, କେରଳ, ତାମିଲନାଡ଼ୁ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀରରେ ଗତ କିଛି ଦିନ ଧରି ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସରକାର ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ଏନେଇ ସରକାର ଉପରୋକ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଦ୍ବାରା ପଠାଯାଇଥିବା ଏହି ଚିଠିରେ କୁହାଯାଇଛି ଯେ, ଉକ୍ତ ରାଜ୍ୟମାନଙ୍କରେ ୧୩ଟି ଜିଲ୍ଲାରେ ଗତ ଗୋଟିଏ ମାସ ଧରି ସଂକ୍ରମଣ ବଢ଼ିଛି। ଏହି ରାଜ୍ୟମାନେ ଦେଶରେ ୫୫.୮୭ ପ୍ରତିଶତ ନୂଆ ମାମଲା ପାଇଁ ଦାୟୀ। କର୍ଣ୍ଣାଟକରେ ଦେଶର ପ୍ରଥମ ଓମିକ୍ରନ୍‌ ମାମଲା ଚିହ୍ନଟ ହୋଇଛି।

ବେଙ୍ଗାଲୁରୁ ସହରାଞ୍ଚଳରେ ସାପ୍ତାହିକ କରୋନା ମୃତ୍ୟୁ ବଢ଼ିଛି। ନଭେମ୍ବର ୫ରେ ଶେଷ ହେଉଥିବା ସପ୍ତାହରେ ବେଙ୍ଗାଲୁରୁ ସହରାଞ୍ଚଳରେ କରୋନା ମୃତ୍ୟୁ ୮ ଥିଲା, କିନ୍ତୁ ଡିସେମ୍ବର ୨ ତାରିଖରେ ଶେଷ ହେଉଥିବା ସପ୍ତାହରେ କରୋନା ମୃତ୍ୟୁ ୧୪କୁ ବୃଦ୍ଧି ପାଇଛି। କର୍ଣ୍ଣାଟକର ତୁମାକୁରୁ ଜିଲ୍ଲାରେ କରୋନା ସଂକ୍ରମଣ ୨ ସପ୍ତାହ ମଧ୍ୟରେ ୧୫୨ ପ୍ରତିଶତ ବୃଦ୍ଧି ପାଇଛି।ମିଜୋରାମର କିଛି ଜିଲ୍ଲାରେ ପଜିଟିଭ୍‌ ହାର ୧୭ ପ୍ରତିଶତକୁ ବୃଦ୍ଧି ପାଇଛି। କରୋନା ନିୟନ୍ତ୍ରଣ ପାଇଁ ତୁରନ୍ତ କାର୍ୟ୍ୟପନ୍ଥା ଗ୍ରହଣ କରିବାକୁ ହେବ ବୋଲି ଭୂଷଣ ମିଜୋରାମ ସ୍ବାସ୍ଥ୍ୟ ସଚିବଙ୍କୁ କହିଛନ୍ତି। ଓଡ଼ିଶାରେ ସାପ୍ତାହିକ କୋଭିଡ ଟେଷ୍ଟ୍‌ କମିଛି। ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ ଓଡ଼ିଶାରେ ‌ଟେଷ୍ଟିଂ ୪,୦୧,୧୬୪ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହୋଇଥିବା ସପ୍ତାହରେ ଟେଷ୍ଟିଂ ୩,୮୮,୭୮୮ ରହିଛି। ଗତ ୧୪ ଦିନ ମଧ୍ୟରେ ଢେଙ୍କାନାଳ ଜିଲ୍ଲାରେ ସଂକ୍ରମଣ ବଢ଼ିଛି। ସେହିପରି ଜମ୍ମୁ କାଶ୍ମୀରର କଠୁଆ ଜିଲ୍ଲାରେ ସଂକ୍ରମଣ ମାମଲାରେ ୭୩୬ ପ୍ରତିଶତ ବୃଦ୍ଧି ହୋଇଛି। କେରଳରେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁ ବଢ଼ିଛି।

କେରଳରେ ସାପ୍ତାହିକ କରୋନା ମୃତ୍ୟୁ ଚଳିତ ସପ୍ତାହରେ ବଢ଼ିଛି। ନଭେମ୍ବର ୨୬ରେ ଶେଷ ହେଉଥିବା ସପ୍ତାହରେ କେରଳର କରୋନା ମୃତ୍ୟୁ ୧୮୯୦ ଥିଲା କିନ୍ତୁ ଡିସେମ୍ବର ୩ରେ ଶେଷ ହେଉଥିବା ସପ୍ତାହରେ କେରଳ କରୋନା ମୃତ୍ୟୁ ୨,୧୧୮କୁ ବୃଦ୍ଧି ପାଇଛି। ଥ୍ରିସୁର ଜିଲ୍ଲାରେ ନଭେମ୍ବର ୧୯ରୁ ୨୫ ମଧ୍ୟରେ କରୋନା ମୃତ୍ୟୁ ୧୨ ଥିଲା କିନ୍ତୁ ପରବର୍ତ୍ତୀ ସପ୍ତାହରେ କରୋନା ମୃତ୍ୟୁସଂଖ୍ୟା ଏଠାରେ ୧୨୮କୁ ବୃଦ୍ଧି ପାଇଛି। ସେହିପରି ମଲପ୍ପୁରମରେ ଏହି ସମାନ ସମୟ ମଧ୍ୟରେ କରୋନା ମୃତ୍ୟୁସଂଖ୍ୟା ୭୦ ଥିଲା କିନ୍ତୁ ପରବର୍ତ୍ତୀ ସପ୍ତାହରେ ଏହା ୧୦୯କୁ ବୃଦ୍ଧି ପାଇଛି।