କନକ ବ୍ୟୁରୋ: ଭଡାରେ ଲାଗିଛି ସରକାରୀ କାର୍ଯ୍ୟାଳୟ । ଭଡା ଦେଇ ସରକାରୀ କାର୍ଯ୍ୟାଳୟରେ ରହୁଛନ୍ତି ମୁର୍ଶିଦାବାଦରରୁ ଆସିଥିବା ରାଜମିସ୍ତ୍ରୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲା କପ୍ତିପଦା ବ୍ଲକରେ । କପ୍ତିପଦା ବ୍ଲକର ପଛପାଖରେ ପୂର୍ବରୁ ରହିଥିବା ସମନ୍ୱିତ ଶିଶୁ ବିକାଶ ସଂସ୍ଥା ତଥା ଆଇସିଡିଏସର କାର୍ଯ୍ୟାଳୟ । ଯେଉଁ କାର୍ଯ୍ୟାଳୟ ଦେଢ ବର୍ଷରୁ ଅଧିକ ହେବ ବିପଦସଙ୍କୁଳ ଘୋଷିତ ହୋଇଛି । ସେବେ ଠାରୁ ଏହି କାର୍ଯ୍ୟାଳୟକୁ ମାଡି ବସିଛନ୍ତି କିଛି ମୁର୍ଶିଦାବାଦର ମିସ୍ତ୍ରୀ । ଯେଉଁମାନେ କି ବିନା ଦ୍ୱିଧାରେ ସେହି ସରକାରୀ କାର୍ଯ୍ୟାଳୟରେ ରହିବା ସହିତ ନିଜର ସମସ୍ତ ଆସବାବପତ୍ର ଏବଂ ଘର କାମରେ ବ୍ୟବହାର ହେଉଥିବା ପଟ୍ଟା ରଖିଛନ୍ତି ।

Advertisment

ସେହି କାର୍ଯ୍ୟାଳୟ ଏବେ ମୁର୍ଶିଦାବାଦ ମିସ୍ତ୍ରୀଙ୍କ ସ୍ଥାୟୀ ଠିକଣା ପାଲଟିଛି । ଦୀର୍ଘ ଏକ ବର୍ଷରୁ ଅଧିକ ହେବ ମିସ୍ତ୍ରୀମାନେ ଏହି ଘରକୁ ନିଜ କବଜାରେ ରଖିଥିବା ବେଳେ ଏନେଇ ବ୍ଲକ ପ୍ରଶାସନ କିମ୍ବା ସ୍ଥାନୀୟ ପ୍ରତିନିଧି କେହି କୌଣସି ପଦକ୍ଷେପ ନେଉନାହାନ୍ତି । ସବୁଠାରୁ ବଡ କଥା ଏହି ମିସ୍ତ୍ରୀମାନେ ଏହି କାର୍ଯ୍ୟାଳୟରେ ରହିବା ନିମନ୍ତେ ଭଡା ମଧ୍ୟ ଦେଉଛନ୍ତି । ହେଲେ ସେହି ଭଡା କୌଣସି ସରକାରୀ କାର୍ଯ୍ୟାଳୟ କିମ୍ବା ସରକାରୀ ଅଧିକାରୀ ନୁହେଁ ବରଂ ଜଣେ ବାହାର ଲୋକ ନିଜ ପତିଆରାରେ ଏହି ମିସ୍ତ୍ରୀମାନଙ୍କୁ ଏହି କାର୍ଯ୍ୟାଳୟ ରଖିଥିବା ସୂଚନା ମିଳିଛି ।