ଉପାନ୍ତ ନୁହେଁ ଉପକୁଳ ଗାଁରେ ପହଂଚି ପାରିନି ସରକାରୀ ଆବସ । ପୁରୀ ଜିଲ୍ଲା କଣାସରେ ଅଛି ଚାଳ ଘରର ଗାଁ

Advertisment
ଉପାନ୍ତ ନୁହେଁ ଉପକୁଳ ଗାଁରେ ପହଂଚି ପାରିନି ସରକାରୀ ଆବସ । ପୁରୀ ଜିଲ୍ଲା କଣାସରେ ଅଛି ଚାଳ ଘରର ଗାଁ

କନକ ବ୍ୟୁରୋ : ଅତି ଦୟନୀୟ ଅବସ୍ଥାରେ ଜୀବନ ଅତିବାହିତ କରୁଛନ୍ତି ପୁରୀ ଡେଲାଙ୍ଗ ବ୍ଲକ ତିରିପ ଗାଁର ୨ଶହ ଲୋକ । ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ । ୩୦ ଜଣ ଛୋଟ ପିଲାଙ୍କ ପାଇଁ ଅଙ୍ଗନବାଡି କେନ୍ଦ୍ର ନାହିଁ, ଗାଁରେ ବିଦ୍ୟୁତ୍ ଖୁଣ୍ଟ ଅଛି, ହେଲେ ବିଜୁଳି ଜଳୁନାହିଁ । ବସୁଧା ଯୋଜନାରେ ପାଇପ ବିଛା ଯାଇ ଷ୍ଟାଣ୍ଡ ପୋଷ୍ଟ ଅଛି ହେଲେ ପାଣି ଆସୁନି । ଆଉ ସବୁଠୁ ବଡ଼ କଥା ହେଲା ଆବାସ ଯୋଜନାର ସ୍ୱଚ୍ଛତା ବଖାଣୁଛି ଗାଁରେ ଥିବା ମୁଣ୍ଡ ନୁଆଁଣିଆ ପଲିଥିନ କୁଡ଼ିଆ ।

ଆବାସ ଯୋଜନାରେ କିଏ ଯୋଗ୍ୟ କିଏ ଅଯୋଗ୍ୟ, ଯେମିତି ମାପକାଠି ଏଠି ଭାଙ୍ଗି ଯାଇଛି ତାହା ପ୍ରତିପାଦିତ କରୁଛି ଦିନରେ ଖରା ଓ ରାତିରେ ତାରା ଦେଖା ଯାଉଥିବା ଘର ଭିତରର ଦୃଶ୍ୟ, ତଦନ୍ତ କରୁଥିବା ଅଧିକାରୀ ଏମାନଙ୍କ ପାଇଁ ଅନ୍ଧ ସାଜିଥିବା ବେଳେ ଦୁର୍ଦିନରେ ଦିନ କାଟୁଛନ୍ତି ଗ୍ରାମବାସୀ, ହାତ ଗଣତି ଜଣେ ଦି ଜଣଙ୍କୁ ଛାଡିଦେଲେ ବାକି ସମସ୍ତେ ଆବାସ ଯୋଜନାର ପ୍ରକୃତ ହିତାଧିକାରୀ ଭାବେ ବିବେଚିତ ହେଉଥିଲେ ମଧ୍ୟ ଅପାରଗ ନେତା ଓ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଯୋଗୁଁ ଯୋଜନା ୟାଙ୍କ ପାଇଁ ଅପହଞ୍ଚ!

ରାସ୍ତା ନଥିବାରୁ ଯାତାୟାତ ପାଇଁ ବିଲ ହିଡ଼ ଓ ପିଇବା ପାଇଁ ୭୨ ନଳା ଖଲାସୀ ନାଳ ଉପରେ ନିର୍ଭର କରୁଛନ୍ତି ଗ୍ରାମବାସୀ । ତିରିପ ଗାଁର ମୁଖ୍ୟ ସମସ୍ୟା ହେଲା ମାଟି ରାସ୍ତା । ଯଦି ପ୍ରଶାସନ ନିର୍ବାଚନ ପୂର୍ବରୁ ଗାଁକୁ ପକ୍କା ରାସ୍ତା ସଂଯୋଗ ନକରେ ତେବେ ଗ୍ରାମବାସୀ ଭୋଟ ବର୍ଜନ କରିବେ ଓ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଗାଁରେ ବିରୋଧ କରିବେ ଚେତାବନୀ ଦେଇଛନ୍ତି! ସେପଟେ ପୁରୀ ଜିଲ୍ଲାପାଳ କହୁଛନ୍ତି, ପ୍ରଶାସନକୁ ସବିଶେଷ ତଥ୍ୟ ଦେଲେ ତଦନ୍ତ କରି ପଦକ୍ଷେପ ନେବେ ।

ତିରିପ ଗାଁର ଦୃଶ୍ୟ ଦେଖିବା ପରେ ମନକୁ ଅନେକ ପ୍ରଶ୍ନ ଆସେ । ସରକାରୀ ଯୋଜନା କାହା ପାଇଁ? ଚାଳ ଛପର ଘରେ ରହୁଥିବା ଲୋକଙ୍କୁ ଯଦି ଆବସ ନମିଳେ, ତେବେ ଆବାସ ହିତାଧିକାରୀ କିଏ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe