କରୋନାର ଦେଶୀ ଔଷଧ, ‘ଟୁ-ଡିଜି’କୁ ଉଦଘାଟନ କଲେ ସରକାର । ପାଉଡର ଆକାରରେ ରହିଛି ଔଷଧ, ପାଣି ସହ କରିବାକୁ ହେବ ସେବନ

215

କନକ ବ୍ୟୁରୋ: କରୋନା ବିରୋଧୀ ଲଢେଇ ପାଇଁ ଭାରତକୁ ନୂଆ ଅସ୍ତ୍ର ମିଳିଛି । ଡିଆରଡିଓ ପକ୍ଷରୁ ବିକଶିତ ସ୍ୱଦେଶୀ କରୋନା ଔଷଧ ‘୨-ଡିଜି’ ଖୁବ ଶୀଘ୍ର ହସ୍ପିଟାଲରେ ମିଳିବ । ହାଇଦ୍ରାବାଦର ଡକ୍ଟର ରେଡ୍ଡୀ ପରୀକ୍ଷାଗାର ଓ ଡିଆରଡିଓ ପକ୍ଷରୁ ପ୍ରସ୍ତୁତ ଏହି ଔଷଧକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ହୋଇଥିବା ‘୨-ଡିଜି’ ଔଷଧକୁ ଡ୍ରଗ କଂଟ୍ରୋଲର ଜେନେରାଲ ଅଫ ଇଣ୍ଡିଆ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛନ୍ତି । ଏହାର ନାଁ ୨-ଡିଅକ୍ସି-ଡି-ଗ୍ଲୁକୋଜ ଅର୍ଥାତ ‘୨-ଡିଜି’ ରଖାଯାଇଛି । ଏହି ଔଷଧ କରୋନା ଆକ୍ରାନ୍ତଙ୍କୁ ସୁସ୍ଥ କରିବାରେ ସହାୟକ ହେବ । ଆସନ୍ତୁ ନଜର ପକାଇବା ଏହି ‘୨-ଡିଜି’ କେମିତି କରୋନା ରୋଗୀଙ୍କ ପାଇଁ ସଞ୍ଜିବନୀ ଭଳି କାମ କରିବ ।
– ବାହାରୁ ଅକ୍ସିଜେନ ନେବା ଆବଶ୍ୟକତା ଦୂର କରିବ
– ଗ୍ଲୁକୋଜ ଆଧାରରେ ଏହି ଔଷଧ ପ୍ରସ୍ତୁତ ହୋଇଥିବାରୁ ଅକ୍ସିଜେନ ଆବଶ୍ୟକତା ଦୂର କରିଥାଏ
– କରୋନା ପ୍ର୍ରଭାବିତ କୋଷିକାକୁ ଯାଇ ଭୁତାଣୁର ଶକ୍ତି ସଂଗ୍ରହକୁ ନିୟନ୍ତ୍ରଣ କରି ବଢିବାକୁ ଦିଏ ନାହିଁ
– ଏହି ମେଡିସିନ୍ ପାଉଡର ଆକାରରେ ଶିଶିରେ ମିଳିବ
– ଓଆରଏସ ପ୍ୟାକେଟ ଭଳି ପାଣିରେ ଗୋଳେଇ ପିଇବାକୁ ପଡିବ
– କରୋନାରୁ ସୁସ୍ଥ ହେବା ପରେ ମଧ୍ୟ ୫ରୁ ୭ ଦିନ ‘୨-ଡିଜି’ ସେବନ କରିବାକୁ ପରାମର୍ଶ ଦିଆଯାଇଛି

କରୋନା ବିରୋଧରେ ଲଢ଼ିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନଥିବାବେଳେ, ଏହାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ଦେଇଛି ଦେଶର ଔଷଧ ନିୟାମକ- ଡିସିଜିଆଇ । ଦ୍ୱିତୀୟ ଓ ତୃତୀୟ କ୍ଲିନିକାଲ ଟ୍ରାଏଲରେ ଏହା ଫଳପ୍ରଦ ହୋଇଥିବା ସୂଚନା ମିଳିଛି ।