କନକ ବ୍ୟୁରୋ: ସରକାର ବଦଳିଲା, ହେଲେ ସୁଧୁରିଲାନି ସ୍ଥିତି। ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବା ପରଠାରୁ ଦିନଟିଏ ପାଇଁ ବି ସ୍ୱାଭାବିକ ଭାବେ ବିଧାନସଭା ଚାଲି ପାରି ନାହିଁ। ନାରାବାଜି ଓ ହଟ୍ଟଗୋଳରେ କମ୍ପୁଛି ଗୃହ। ପୂର୍ବରୁ ବିଜେଡି ସରକାର ସମୟରେ ଯେଉଁଭଳି ବିଜେପି ବିଧାୟକ ବିଭିନ୍ନ ପ୍ରସଙ୍ଗ ଉଠାଇ ହଙ୍ଗାମା କରୁଥିଲେ, ଏବେ ବିଜେପି ସରକାରରେ ବିଜେଡି ବିଧାୟକ ଠିକ୍ ସେହିପରି ହଙ୍ଗାମା କରୁଛନ୍ତି। ଫଳରେ ବିଧାନସଭାରେ ଲୋକଙ୍କ ସମସ୍ୟା ଉପସ୍ଥାପିତ ହୋଇପାରୁନାହିଁ ।

ସପ୍ତଦଶ ବିଧାନସଭାରେ ଚିତ୍ର ବଦଳିଛି । ୨୪ ବର୍ଷ ସରକାରରେ ଥିବା ଦଳ ବିରୋଧୀ ଦଳ ହୋଇଥିବାବେଳେ ବିଜେପି ପ୍ରଥମ ଥର ପାଇଁ ସରକାରକୁ ଆସିଛି । କିନ୍ତୁ ନୂଆ ବିଧାନସଭାକୁ ୩ ଦିନ ହୋଇଗଲା ସ୍ଥିତି ବଦଳିଲାନି । ପୁରୁଣାସ୍ଥିତି ଯେମିତିକୁ ସେମିତି ରହିଛି । ନାରାବାଜି ଓ ହଟ୍ଟଗୋଳରେ କମ୍ପୁଛି ଗୃହ । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଆଜି ବି ବିଧାନସଭାରେ ପ୍ରଥମାର୍ଦ୍ଧ ଚାଲିପାରିନାହିଁ । ବାଚସ୍ପତିଙ୍କ ସର୍ବଦଳୀୟ ବୈଠକ ବି ଫେଲ ମାରିଛି । ଗୃହ ଆରମ୍ଭରୁ ରାଜ୍ୟପାଳଙ୍କ ପୁଅ ଆଇନକୁ ହାତକୁ ନେଇଥିବା ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ବିଜେଡି ନିଜ ଆସନରେ ଠିଆହୋଇ ପ୍ରତିବାଦ କରିବା ସହ କକ୍ଷତ୍ୟାଗ କରିଥିଲା । ଆଉ କେନ୍ଦ୍ର ଅବହେଳା ପ୍ରସଙ୍ଗ ଉଠାଇ ନାରାବାଜି କରିଥିଲା କଂଗ୍ରେସ। ଗୃହର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ନିଷ୍କର୍ସ ବାହାରିପାରିନଥିଲା। ଫଳରେ ଗୃହକାର୍ଯ୍ୟ ୪ଟା ଯାଏଁ ମୁଲତବୀ ରହିଥିଲା।

ଅପରାହ୍ନ ୪ଟାରେ ପୁଣି ବିଧାନସଭା ଆରମ୍ଭ ହେବା ମାତ୍ରେ ବାଚସ୍ପତି ସୁରମା ପାଢୀ ଉପବାଚସ୍ପତି ଭାବେ ଭବାନୀ ଶଙ୍କର ଭୋଇଙ୍କ ନାଁ ଘୋଷଣା କରିଥିଲେ । ସବୁ ଦଳ ତାଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଥିଲେ । ଏହାପରେ ରାଜ୍ୟପାଳଙ୍କ ଅଭିଭାଷଣ ନେଇ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବା ମାତ୍ରେ ବିଜେଡି କକ୍ଷତ୍ୟାଗ କରିଥିଲା । କେନ୍ଦ୍ରୀୟ ଅବହେଳା ପ୍ରସଙ୍ଗ ଉଠାଇ କଂଗ୍ରେସ ବି କକ୍ଷତ୍ୟାଗ କରିଥିଲା । ବାଚସ୍ପତିଙ୍କ ନିର୍ଦ୍ଦେଶରେ ବିରୋଧୀ ସଦସ୍ୟଙ୍କୁ ଆଣିବାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ଓ ସରକାରୀ ଦଳ ମୁଖ୍ୟ ସଚେତକ ଯାଇଥିଲେ ବି କିଛି ଫଳ ମିଳିନାହିଁ । ଫଳରେ ବିନା ବିରୋଧୀରେ ଅପରାହ୍ନ ଅଧିବେଶନ ଚାଲିଥିଲା ।
ହଟ୍ଟଗୋଳ ଓ ନାରାବାଜି ଯୋଗୁଁ ବିଧାନସଭାରେ ଲୋକଙ୍କ ସମସ୍ୟା ଉପସ୍ଥାପିତ ହୋଇପାରୁନାହିଁ । ପ୍ରଶ୍ନ ଉଠୁଛି, କେବେ ସ୍ୱାଭାବିକ ହେବ ବିଧାନସଭା ?