ରାଜଧାନୀର ଛାତି ଉପରେ ଜମି କେଳେଙ୍କାରୀ । ସରକାର କିଣିଲେ ଜାଲିଆତି ଜମି । ୧୯୭୩ରେ ସ୍ୱରେଜ ପ୍ରକଳ୍ପ ପାଇଁ କରିଥିଲେ ଜମି ଅଧିଗ୍ରହଣ ।

316

କନକ ବ୍ୟୁରୋ: ସରକାରୀ ଜମିକୁ କିଣିଲେ ସରକାର । ଗୋଟିଏ ଜମିକୁ ଦୁଇ ଦୁଇ ଥର କିଣିଲେ । ୧୯୭୩ରେ ଅଧିଗ୍ରହଣ କରିଥିବା ଜମିକୁ ପୁଣି ଥରେ ୨୦୧୦ରେ କିଣିଲେ ସରକାର । ଲାଭବାନ ହେଲେ ଦଲାଲ । ପାଣିରେ ଗଲା ସରକାରଙ୍କ ପଇସା । ରାଜଧାନୀ ଛାତି ଉପରେ ସରକାରଙ୍କୁ ଠକିଦେଲେ ଜମି ଦଲାଲ ।

  • ରାଜଧାନୀ ଛାତି ଉପରେ ଜମି କେଳେଙ୍କାରୀ
  • ସରକାରଙ୍କୁ ବିକିଦେଲେ ସରକାରୀ ଜମି

ସରକାରୀ ଜମିକୁ କିଣିଲେ ସରକାର । ଗୋଟିଏ ଜମିକୁ ଦୁଇ ଦୁଇଥର ଅଧିଗ୍ରହଣ କଲେ । ଗୋଟିଏ ନିର୍ଦ୍ଦିଷ୍ଟ ଜମି ପାଇଁ ରାଜସ୍ୱ ପାଣ୍ଠିରୁ ଦୁଇ ଦୁଇ ଥର ଗଲା ଲକ୍ଷାଧିକ ଟଙ୍କା । କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଟିଛି ଖୋଦ୍ ରାଜଧାନୀ ଛାତି ଉପରେ । ସୌଭାଗ୍ୟ ନଗରରେ ଥିବା ଏକ ଜାଗାଟିକୁ ଦୁଇ ଥର କିଣିଛନ୍ତି ରାଜ୍ୟ ସରକାର । ୧୯୭୩ରେ ସ୍ୱେରେଜ ପ୍ରକଳ୍ପ କରିବା ପାଇଁ ସରକାର ଜମି ଅଧିଗ୍ରହଣ କରିଥିଲେ । ସେତେବେଳେ ଉର୍ମିଲା ଗନ୍ତାୟତଙ୍କଙ୍କ ନାଁରେ ଥିଲା ଏହି ଜମି । ଆଉ ଏହା ବଦଳରେ ମଧୁସୁଦନ ନଗରରେ ଉର୍ମିଳାଙ୍କୁ ଜାଗା ଦେଲେ ସରକାର । ହେଲେ ଅଧିଗ୍ରହଣ ହୋଇଥିବା ଜମି ସରକାରୀ ରେକର୍ଡକୁ ଆସିଲାଣି । ଆଉ ଏହାର ଫାଇଦା ନେଲା ଜମି ମାଫିଆ ।

  • ଜମି ଅଧିଗ୍ରହଣ କରି ଭୁଲିଗଲେ ସରକାର
  • ଜମି ହଡପ କରି ସରକାରଙ୍କୁ ବିକିଦେଲା ଜମି ଦଲାଲ

ଦୀର୍ଘ ଦିନ ଧରି ଏହି ଜମିର କେହି ଦାବିଦାର ନଥିବାରୁ ମନୋଜ ପ୍ରହରାଜ ବୋଲି ଜଣେ ବ୍ୟକ୍ତି ଜମି ହାତେଇବା ପାଇଁ ଚକ୍ରାନ୍ତ କରିଥିଲେ । ପାୱାର ଅଫ ଆଟର୍ଣ୍ଣି ଥିବା ଦର୍ଶାଇ ଜାଲ କାଗଜପତ୍ର ଜରିଆରେ ଜମିକୁ ନିଜ ନାଁରେ କରି ଦୀନବନ୍ଧୁ ସାହୁଙ୍କୁ ୧୧୯ ଓ ରତ୍ନାକରଙ୍କୁ ୯୦ ଡିସିମିଲ ଜମି ବିକିଦେଇଥିଲେ ମନୋଜ । ୨୦୦୮ରେ ଏଠାରେ ଶହେ ଫୁଟିଆ ରାସ୍ତା କରିବା ପାଇଁ ସରକାର ଏହି ଜମିକୁ ଅଧିଗ୍ରହଣ କଲେ । ଏହି ବାବଦକୁ ସରକାର ଉଭୟ ଦୀନବନ୍ଧୁ ଓ ରତ୍ନାକରଙ୍କୁ ୪୦ ଲକ୍ଷ ଟଙ୍କା ବି ଦେଲେ । ତେବେ ୧୯୭୩ରେ ସରକାର ଏହି ଜମିକୁ ଅଧିଗ୍ରହଣ କରିବା ପରଠାରୁ ଏହି ଜମି ନେଇ କୌଣସି ଖବର ରଖିନଥିବା କହିଛନ୍ତି ଉର୍ମିଲାଙ୍କ ପୁଅ ଅତୁଲ୍ୟ । କୌଣସି ଅସମାଜିକ ବ୍ୟକ୍ତି ମାଙ୍କର ଦସ୍ତଖତକୁୁ ଜାଲିଆତି କରି ଜମିକୁ ନିଜ ନାଁରେ କରିନେଇଥିବା କହିଛନ୍ତି ଅତୁଲ୍ୟ ।