କରୋନା କାଳରେ ଋଷରୁ ଆସିଲା ଭଲ ଖବର । କୋଭିଡ ୧୯ ପ୍ରେସକ୍ରିପସନର ପ୍ରଥମ ଔଷଧ ବିକ୍ରିକୁ ଅନୁମତି ଦେଲେ ଋଷ ସରକାର

867

କନକ ବ୍ୟୁରୋ : ବିଶ୍ୱର ପ୍ରଥମ କରୋନା ଟିକା ବାହାର କରିଥିବା ରୁଷିଆରୁ ଆସିଛି ପୁଣିଏକ ଭଲ ଖବର । ସାମାନ୍ୟରୁ ମଧ୍ୟମ ଧରଣର ଲକ୍ଷଣ ଦେଖାଯାଉଥିବା କରୋନା ଆକ୍ରାନ୍ତଙ୍କ ପାଇଁ ଏକ ଔଷଧକୁ ଅନୁମତି ଦେଇଛି ପୁଟିନ ପ୍ରଶାସନ । କରୋନାଭିର ନାଁରେ ଏହି ଔଷଧକୁ ବିକଶିତ କରିଛି ଆର-ଫାର୍ମା । ଶୁକ୍ରବାର କମ୍ପାନି କହିଛି ଆଗାମୀ ସପ୍ତାହରୁ ଏହା ବଜାରରେ ଉପଲବ୍ଧ ହେବ । ହସ୍ପିଟାଲରେ ଭର୍ତି ହୋଇନଥିବା ଆକ୍ରାନ୍ତ ମଧ୍ୟ ଏହି ଔଷଧ ବଜାରରୁ ନେଇ ଡାକ୍ତାରଙ୍କ ପରାମର୍ଶରେ ଖାଇପାରିବେ । ଔଷଧ ନିର୍ମାତା ଆର-ଫାର୍ମା କହିଛି ପ୍ରାୟ ୧୬୮ ଜଣ ଆକ୍ରାନ୍ତଙ୍କଠାରେ ଏହି ଔଷଧର ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପରେ ଔଷଧକୁ ଅନୁମତି ମିଳିଛି ।

ସେହିପରି ଆଉଏକ କରୋନା ଔଷଧ ଆଭିଫାଭିରକୁ ଗତ ମେ’ ମାସରେ ଅନୁମତି ମିଳିଥିଲା । କୁହାଯାଉଛି ଜାପାନ ଦ୍ୱାରା ବିକଶିତ ଫାବିପିରାଭିର ଭଳି ଏହି ଦୁଇଟି ଔଷଧ କୋଭିଡ ଭୂତାଣୁ ବିରୋଧରେ କାମ କରିବ । ବିଶ୍ୱର ପ୍ରଥମ କରୋନା ଟିକା ପ୍ରସ୍ତୁତ କରିବା ପରେ ପୁଣି ଦୁଇଟି ଔଷଧ ବିକାଶ କରି କରୋନା ବିରୋଧୀ ଲଢେଇରେ ସାରାବିଶ୍ୱରେ ରୁଷିଆ ଆଗରେ ରହିଥିବା ପ୍ରମାଣ ଦେଇଛି । ରୁଷିଆ ଦ୍ୱାରା ପ୍ରସ୍ତୁତ ପ୍ରଥମ କରୋନା ଟିତା ‘ସ୍ପୁଟନିକ-ଭି’କୁ ଏବେ ବିଶ୍ୱର ଅନେକ ଦେଶ ନେବାପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ।