କନକ ବ୍ୟୁରୋ: ଆଜି ନିଜର ଜନ୍ମଦିନ ପାଳନ କରୁଛି ରାଜ୍ୟର ଏକ ନମ୍ବର ଖବରକାଗଜ ସମ୍ବାଦ ଓ ଟେଲିଭିଜନ ଚ୍ୟାନେଲ କନକ ନ୍ୟୁଜ୍ । ଏହି ଅବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ଯୋଗ ଦେଇଛନ୍ତି ଓଡିଆ ପୁଅ ତଥା ପାରା ଅଲିମ୍ପିୟାନ୍ ପ୍ରମୋଦ ଭଗତ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ନିଜର ପିଲାଦିନର ସ୍ମୃତି ବଖାଣିବା ସହିତ କେମିତି ପାରା ଅଲିମ୍ପିକରେ ମେଡାଲ ଜିତିଲେ ସେନେଇ ନିଜର ଅନୁଭୂତି ବର୍ଣ୍ଣନା କରିଛନ୍ତି ପ୍ରମୋଦ ଭଗତ ।

Advertisment

“ମୋ ବାପା, ମାଆ ବିହାରର ଥିଲେ । ହେଲେ ମୋର ପିଲାଦିନ ବରଗଡ ଜିଲ୍ଲାର ଅତାବିରାରେ କଟିଛି । ମୋର ଜନ୍ମ ଭୂମି ଓ କର୍ମଭୂମି ସବୁକିଛି ଓଡିଶା ”,କହିଛନ୍ତି ପାରା ଅଲିମ୍ପିୟାନ ପ୍ରମୋଦ ଭଗତ । ଖାଲି ସେତିକି ନୁହେଁ ନିଜ ପିଲା ଦିନର କଥା ମନେ ପକାଇ ପ୍ରମୋଦ କହିଛନ୍ତି, “ମୋତେ ଯେତେବେଳେ ୫ ବର୍ଷ ହୋଇଥିଲା ମୁଁ ପୋଲିଓରେ ଆକ୍ରାନ୍ତ ହୋଇଥିଲି । ହେଲେ ମୁଁ କେବେ ବି ଅନ୍ୟମାନଙ୍କଠୁ ଅଲଗା ବୋଲି ଅନୁଭବ କରିନି । ଏହି ଚିନ୍ତାଧାରା ହିଁ ମୋତ ସବୁବେଳେ ଆଗକୁ ନେଇପାରିଛି । ମୁଁ ସପ୍ତମ ଶ୍ରେଣୀରେ ପଢୁଥିବାବେଳେ ପ୍ରଥମେ କ୍ରିକେଟ୍ ଖେଳୁଥିଲି । ହେଲେ ଧୀରେ ଧୀରେ ମୋର ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ବଢିବାକୁ ଲାଗିଥିଲା, ଆଉ ମୁଁ ବ୍ୟାଡମିଣ୍ଟନ ଖେଳିବା ଆରମ୍ଭ କରିଥିଲି ।”

ଅନ୍ୟପଟେ ନିଜ ଛାତ ଉପରେ ବ୍ୟାଡମିଣ୍ଟନ ଅଭ୍ୟାସରୁ ଅଲିମ୍ପିକ୍ ସ୍ୱର୍ଣ୍ଣପଦକ ଜିତିବାର ଅନୁଭୂତି ମଧ୍ୟ ପ୍ରମୋଦ ବର୍ଣ୍ଣନା କରିଛନ୍ତି । ପ୍ରଥମେ ପ୍ରଥମେ ସେ ତାଙ୍କ ସାଙ୍ଗଙ୍କ ଛାତ ଉପରେ ବ୍ୟାଡମିଣ୍ଟନ ଖେଳୁଥିଲେ । ଏହି ନିଆରା ଚିନ୍ତାଧାର ହିଁ ତାଙ୍କୁ ସଫଳତା ଦେଇଥିଲା । ଆଜି ସେହି ଚିନ୍ତାଧାରା କାରଣରୁ ହିଁ ଅଲିମ୍ପିକ୍ସରେ ସେ ସ୍ୱର୍ଣ୍ଣପଦକ ଜିତିପାରିଥିଲେ । ତା ସହିତ ତାଙ୍କ ପ୍ରଥମ ରୋଜଗାର ୨ ହଜାର ଟଙ୍କା ଥିଲା ବୋଲି କହିଛନ୍ତି ସୁନାପୁଅ ପ୍ରମୋଦ ଭଗତ ।

“ଜଣେ ଖେଳାଳି ଭାବେ ମୋ ଜୀବନ ସଂଘର୍ଷମୟ ଥିଲା । ହେଲେ ମୋ ପରିବାର ମୋତେ ବହୁତ ସାହାଯ୍ୟ କରିଥିଲେ । ମୋର ସାଙ୍ଗସାଥୀ, ଗୁରୁ ସବୁବେଳେ ମୋତେ ଠିକ୍ ରାସ୍ତା ଦେଖାଇଥିଲେ । ସବୁପରେ ଓଡିଶା ସରକାରଙ୍କ ପ୍ରେରଣା ଅଲମ୍ପିକ୍ସ ମେଡାଲ ଜିତିବାକୁ ସାହାଯ୍ୟ କରିଥିଲା ”,କହିଛନ୍ତି ପ୍ରମୋଦ ଭଗତ । ତା ସହିତ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ସହିତ ତାଙ୍କ ସାକ୍ଷାତ କିପରି ହୋଇଥିଲା ତାହା ମଧ୍ୟ କହିଛନ୍ତି ପ୍ରମୋଦ । ତେବେ ନିଜ ସ୍ମୃତି ବଖାଣିବା ପରେ ସମ୍ବାଦ ପରିବାର ପକ୍ଷରୁ ପ୍ରମୋଦଙ୍କୁ ସମ୍ମାନିତ କରାଯାଇଥିଲା ।