ଚଣ୍ଡିଗଡ ବିଶ୍ୱବିଦ୍ୟାଳୟର ଡିପ୍ଲୋମାଟିକ କନକ୍ଲେଭ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ଶିକ୍ଷା ବ୍ୟବସ୍ଥା ଶିଖରରେ ପହଞ୍ଚାଇବା ଲକ୍ଷ୍ୟ

89

କନକ ବ୍ୟୁରୋ: ଶୁକ୍ରବାର ପଞ୍ଜାବର ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଡିପ୍ଲୋମାଟିକ୍ କନକ୍ଲେଭ । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନୂଆ ଜାତୀୟ ଶିକ୍ଷା ନୀତି-୨୦୨୦ ସମେତ ବିଭିନ୍ନ ପଦକ୍ଷେପ ଦ୍ୱାରା ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚାଇବା ପାଇଁ ଭାରତ ସରକାର ବଦ୍ଧପରିକର ।

ଏହି କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଭାରତର ଶିକ୍ଷା ବ୍ୟବସ୍ଥା ନେଇ ଭାରତ ସରକାରଙ୍କ ଥିବା କଳ୍ପନା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି । ଭାରତର ଶିକ୍ଷା ବ୍ୟବସ୍ଥାକୁ ନୂତନ ଶିଖରରେ ପହଁଚିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜାତୀୟ ଶିକ୍ଷା ନୀତି ୨୦୨୦ (ଏନଇପି) ଆଧାରରେ ଥିବା ନୀତି ସରଂଚନାକୁ ସକ୍ରିୟ କରାଗଲେ ଶିକ୍ଷା ବ୍ୟବସ୍ଥାରେ ସକରାତ୍ମକ ପରିବର୍ତନ ଆସିବ ବୋଲି ସେ କହିଛନ୍ତି ।

ସେହିପରି ଗୁଣାତ୍ମକ ଶିକ୍ଷାନୁଷ୍ଠାନ, ବିବିଧ ସଂସ୍କୃତି ସହିତ ସାମାଜିକ ଅନ୍ତର୍ଭୂକ୍ତିକରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ । ଏହାସହ ଶିକ୍ଷା କ୍ଷେତ୍ରରେ ନବସୃଜନ, ଉଦ୍ୟୋଗୀ ଏବଂ ଆନ୍ତର୍ଜାତୀୟକରଣ ଉପରେ ଫୋକସ୍ ଦେବାକୁ ମଧ୍ୟ ସରକାରଙ୍କ କଳ୍ପନା ରହିଛି । ଏହା ଦ୍ୱାରା ଦେଶର ଶିକ୍ଷା ବ୍ୟବସ୍ଥା ନୂତନ ଶିଖରରେ ପହଁଚିପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନ ଭାରତକୁ ଜ୍ଞାନର ପେଣ୍ଠସ୍ଥଳି କରିବା ପାଇଁ ଥିବା ବୌଦ୍ଧିକ କ୍ଷମତା ଏବଂ କୋଭିଡର ପରବର୍ତୀ ସମୟରେ ଭାରତର ସାମଗ୍ରିକ ଦୃଶ୍ୟପଟ୍ଟକୁ ପରିବର୍ତନ କରିବା ପାଇଁ ଥିବା ଶିକ୍ଷା କ୍ଷେତ୍ରର ଭୂମିକା ଉପରେ ଅଭିଭାଷଣ ପ୍ରଦାନ କରିଛନ୍ତି । ବହୁ ପୁରାତନ କାଳରୁ ଭାରତ ‘ବସୁଧୈବ କୁଟୁମ୍ବକମ’ରେ ବିଶ୍ୱାସ କରି ଆସୁଛି । ବିଶ୍ୱର ନାଗରିକ ମାନଙ୍କୁ ପ୍ରସ୍ତୁତ କରିବା ଏବଂ ବୈଶ୍ୱିକ ଚ୍ୟାଲେଞ୍ଜ ଓ ଲକ୍ଷ୍ୟକୁ ହାସଲ କରିବା ପାଇଁ ମିଳିତ ଭାବରେ ଆଲୋଚନା ମାଧ୍ୟମରେ କାର୍ଯ୍ୟ କରିବା ଜରୁରୀ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।