ରାଜଧାନୀର ଘରୋଇ ଇଞ୍ଜିନିୟରିଂ କଲେଜରେ ଅଭାବନୀୟ ଘଟଣା । ବୟଫ୍ରେଣ୍ଡର ଆକାଉଣ୍ଟକୁ ପ୍ରେମିକା ପଠାଇଲେ ୯୭ ଲକ୍ଷ ଟଙ୍କା

692

କନକ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରର ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କୁ ଯେଉଁ ଉପହାର ଦେଇଛନ୍ତି ତାହା ବୋଧହୁଏ ଆଉ କୌଣସି ପ୍ରେମିକା ଦେଇନଥିବେ । ଏହାର ପରିମାଣ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଯୁବତୀ ଜଣକ ତାଙ୍କ ପ୍ରେମିକଙ୍କ ୯୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଛନ୍ତି । କିନ୍ତୁ ଏହି ଉପହାର ଟଙ୍କା ସେ କାମ କରୁଥିବା ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଟଙ୍କା । ଏହି ଟଙ୍କାକୁ ହେରଫେର କରି ଉପହାର ଦେଇଥିଲେ ପ୍ରେମିକା ।

ରାଜଧାନୀର ଏକ ଇଞ୍ଜିନିୟରିଂ କଲେଜରେ ଏକ ଅଭାବନୀୟ ଘଟଣା ଘଟିଛି । କଲେଜରେ କାମ କରୁଥିବା ଜଣେ ଲେଡି ଆକାଉଣ୍ଟାଟାଣ୍ଟ ନିଜ ପୁରୁଷ ବନ୍ଧୁଙ୍କ ପାଇଁ ଅଭିଯୁକ୍ତ ପାଲଟିଯାଇଛନ୍ତି । ସେ ଯେଉଁ କାରନାମା କରିଛନ୍ତି, ତାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପ୍ରେମିକା ଜଣକ କଲେଜ ଆକାଉଣ୍ଟରୁ ମୋଟା ଆକାରର ଟଙ୍କା ତାଙ୍କ ପୁରୁଷ ବନ୍ଧୁଙ୍କ ଆକାଉଣ୍ଟକୁ ପଠାଇ ଦେଇଛନ୍ତି । ଆଉ ଏହି ଟଙ୍କାର ପରିମାଣ ଲକ୍ଷେ କି ଦୁଇ ଲକ୍ଷ ନୁହେଁ ୯୭ ଲକ୍ଷ ଟଙ୍କା ।

ତେବେ ପୁଲିସ ହାତରେ ବନ୍ଧା ହୋଇ ଗାଡିରେ ଯାଉଛନ୍ତି ପ୍ରେମିକା । ରାଜଧାନୀର ଏକ ଘରୋଇ କଲେଜର ଆକାଉଣ୍ଟ ବିଭାଗରେ କାମ କରୁଥିବା ପାୟଲ ବୋଧ ହୁଏ ଭାବିନଥିଲେ, ଚୋରା ପ୍ରେମ ପାଇଁ ସେ କରୁଥିବା ଚୋରି ଦିନେ ଧରା ପଡିଯିବ । ତେବେ ଗତ ବର୍ଷ ଭିତରେ ପାୟଲ ନିଜ ପ୍ରେମିକଙ୍କ ଆକାଉଣ୍ଟକୁ ୯୭ ଲକ୍ଷ ଟଙ୍କା ଫୋନ-ପେ ମାଧ୍ୟମରେ ପଠାଇଛନ୍ତି । କଲେଜରେ ଛାତ୍ର ଛାତ୍ରୀଙ୍କ ଆଡମିଶନ ଟଙ୍କା, ଟ୍ୟୁସନ ଫି, ହଷ୍ଟେଲ ଫି ଏହିପରି ବିଭିନ୍ନ ବାବଦରେ ଆସୁଥିବା ଟଙ୍କାକୁ କୁଆଡେ ହଡପ କରିଚାଲିଥିଲେ । ଏକାଥରକେ ବହୁ ପରିମାଣର ଟଙ୍କା ପଠାଉନଥିଲେ, ଏକ ବର୍ଷ ଭିତରେ କମ କମ କରି ୯୭ ଲକ୍ଷ ଟଙ୍କା ପଠାଇଥିଲେ । କିନ୍ତୁ ଏହା ଭିତରେ ଆକାଉଣ୍ଟସ ବିଭାଗର ମୁଖ୍ୟ ଏ ବିଷୟରେ ସୁରାକ ପାଇଯାଇଥିଲେ । ଏହା ପରେ ତମାଣ୍ଡୋ ଥାନାରେ ଏନେଇ କଲେଜ୍ କର୍ତୁପକ୍ଷ ଅଭିଯୋଗ କରିଥିଲେ ।

ଏତେ ଗୁଡାଏ ଟଙ୍କା ଯାଉଥିବା ଯୁବତୀଙ୍କ ବୟଫ୍ରେଣ୍ଡ ଜଣକ ସେହି କଲେଜର ଜଣେ ପୁରାତନ ଛାତ୍ର ଓ ସେ ଝାଡଖଣ୍ଡରେ ରହନ୍ତି ବୋଲି ଜଣାପଡ଼ିଛି । ବୟଫ୍ରେଣ୍ଡକୁ ଧରିବା ପାଇଁ କମିସନରେଟ ପୁଲିସ ଏକ ଟିମ ଗଠନ କରି ଝାଡଖଣ୍ଡ ଯିବାକୁ ଯୋଜନା କରିଛି ।